ଚିତ୍ରଡା : ହେଷ୍ଟଲରେ ବ୍ୟାପକ ଅବ୍ୟବସ୍ଥା। ମାନସିକ ନିର୍ଯାତନା ବି ମିଳୁଛି। କହିଲେ ବି କେହି ଶୁଣୁ ନାହାନ୍ତି। ଦୁଃଖ ଦୂର କରିବା ପାଇଁ ଗୁହାରି କରିବାକୁ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇ ପ୍ରାୟ ୨୦ କିମି ଦୂର ଚାଲିଲେ। ଏମିତି ଅଭାବନୀୟ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅନ୍ତର୍ଗତ ମାକୁନ୍ଦ ହାଇସ୍କୁଲରେ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ମାକୁନ୍ଦ ହାଇସ୍କୁଲର ୧୧୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି। ଆଜି ସକାଳ ୭ଟାରେ ପ୍ରାୟ ୨୫ ଜଣ ଛାତ୍ରୀ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ହେଷ୍ଟଲରୁ ବାହାରି ଆସିଥିଲେ। ହଷ୍ଟେଲ କର୍ତୃପକ୍ଷ ଜାଣିବା ପରେ ପିଲାମାନଙ୍କୁ ଖୋଜିବାରେ ଲାଗିଥିଲେ। ସୂଚନାପାଇ ବ୍ଲକ୍ ମଙ୍ଗଳ ଅଧିକାରୀ ଅଜୟ କୁମାର ଜେନା ଛାତ୍ରୀମାନଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଜିଦ୍ କରି ପୁଣି ଚାଲିଥିଲେ। ଖବରପାଇ ମୋରଡା ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ ପହଞ୍ଚିଥିଲେ ବି ଛାତ୍ରୀମାନଙ୍କୁ ସେ ବୁଝାଇବାରେ ଅସମର୍ଥ ହୋଇଥିଲେ। ସେତେବେଳକୁ ଛାତ୍ରୀମାନେ ଦୀର୍ଘ ୨୦ କିମି ପାଦରେ ଚାଲି ଚାଲି ବରକନ୍ଦଠାରେ ପହଞ୍ଚି ଯାଇଥିଲେ। ଏତିକିବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟ ପହଞ୍ଚି ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ।
ତେବେ, ହଷ୍ଟେଲରେ ପହଞ୍ଚିବା ପରେ ମଧ୍ୟ ଛାତ୍ରୀମାନେ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଅଡ଼ି ବସିଥିଲେ। ଅଭିଭାବକମାନେ ମଧ୍ୟ ସ୍କୁଲ ଗେଟ୍ ସମ୍ମୁଖରେ ଧାରଣାରେ ବସି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ। ତୁରନ୍ତ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିିତି ଶାନ୍ତ ପଡ଼ିଥିଲା।
ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲା। ତେବେ ଉଭୟ ଅଧିକାରୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନଥିଲେ। ପ୍ରଧାନଶିକ୍ଷକ ପର୍ଶୁରାମ ମହାନ୍ତଙ୍କୁ ପଚାରିବାରୁ ଛାତ୍ରୀମାନଙ୍କ ଅଭିଯୋଗକୁ ସେ ଅସ୍ବୀକାର କରିଥିଲେ।