ଛାତ୍ରଛାତ୍ରୀ ପଢ଼ିବେ ସାଇବର ପାଠ

ଭୁବନେଶ୍ୱର : ସୋସିଆଲ ନେଟଓ୍ଵାର୍କିଂର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ସାଇବର ଅପରାଧ ବିଷୟରେ ସଚେତନ କରିବା ଲାଗି ଉଦ୍ୟମ କରାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ପଠାଯାଇଛି। ଏପ୍ରିଲ ୧୭ରେ ବିଦ୍ୟାଳୟରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦିଆଯାଇଛି।

କାର୍ଯ୍ୟକ୍ରମ ଅନୁଯାୟୀ, ଏପ୍ରିଲ ୧୭ରେ ସାରା ଓଡ଼ିଶାରେ ଥିବା ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ଦିନ ଶେଷ ଦୁଇଟି କ୍ଲାସ ବାତିଲ୍‌ କରାଯାଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବିଦ୍ୟାଳୟ ପ୍ରଧାନଶିକ୍ଷକମାନେ କାର୍ଯ୍ୟକ୍ରମର ଫଟୋ ଓ କାର୍ଯ୍ୟକ୍ରମ ସମ୍ପର୍କରେ ‘[email protected]’ରେ ପଠାଇବାକୁ କୁହାଯାଇଛି। ଷଷ୍ଠରୁ ଦଶମ ଶ୍ରେଣୀର ପିଲାମାନେ ଏଥିରେ ସାମିଲ ହେବେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ବାପା, ମା’ମାନଙ୍କୁ ସାମିଲ କରାଯିବ। ବିଦ୍ୟାଳୟର କମ୍ପ୍ୟୁଟର ଦକ୍ଷତା ଥିବା ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଲୋଚନା କରିବାର ଦାୟିତ୍ୱ ଦେବେ। ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମ ଯେପରି ସୂଚାରୁରୂପେ ପରିଚାଳନା କରାଯାଇପାରିବ ସେଥିପାଇଁ ଜିଲ୍ଲା ନୋଡାଲ ଅଧିକାରୀମାନେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଓପେପାର ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ କହିଛନ୍ତି।

ସମ୍ବନ୍ଧିତ ଖବର