ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇଲେ ମହିଳା

ବଲାଙ୍ଗୀର: ବଲାଙ୍ଗୀରର ମୁରସୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାୟ ୩ ଘଣ୍ଟା ଧରି ମନ୍ଦିର ଘରେ ଗାଁ ମହିଳା ବନ୍ଦ କରି ରଖିଥିଲେ । ଏପରି କି ଯେତେବେଳ ଯାଏଁ ସେମାନେ ଦାବି କରିଥିବା ସମସ୍ୟାର ସମାଧାନ ହୋଇନାହିଁ ସେ ଯାଏଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇ ରଖିବେ ବୋଲି ଗାଁ ମହିଳା କହିଥିଲେ।

ସୂଚନା ଅନୁଯାୟୀ, ବଲାଙ୍ଗୀର ମୁରସୁଣ୍ଡ ଗାଁରେ ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ହିତାଧିକାରୀଙ୍କ ନାମରେ ନକଲି ବିଲ୍‌ କରି ଟଙ୍କା ମଧ୍ୟ ଉଠାଯାଇଥିଲା । ଧନୀ ଓ ସରକାରୀ ଚାକିରିଆଙ୍କ ନାମରେ ଇନ୍ଦିରା ଆବାସ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିଲା। ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଏପରିକି ଏହି ଘଟଣାକୁ ବିଡିଓ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରିଥିଲେ ଇନ୍ଦିରାଆବାସରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ।

ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଏହାର ସତ୍ୟତା ଜାଣିବା ପାଇଁ ଉକ୍ତ ଗାଁରେ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ । ମିଛ ବିଲ୍‌ କରି ଟଙ୍କା ଉଠା ଯାଇଥିବା ଘରଗୁଡିକୁ ମଧ୍ୟ ଦେଖିବାକୁ ଦାବି କରିଥିଲେ ଗ୍ରାମବାସୀ। କିନ୍ତୁ ଗାଁର ଅଳ୍ପ କିଛି ଘର ଦେଖି ଫେରି ଆସୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୋଟିଏ ଘରେ ବନ୍ଦ କରି ତାଲା ପକାଇ ଦେଇଥିଲେ ଗାଁର ମହିଳା । ଏପରିକି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ତାଲା ଫିଟାଇ ନଥିଲେ ମହିଳା । ଜିଲ୍ଲାପାଳ ପହଞ୍ଚି ଘଟଣାର ସମାଧାନ ନ କରିବା ଯାଏଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ବନ୍ଦ କରି ରଖାଯିବ ବୋଲି ଗାଁର ମହିଳା କହିଥିଲେ ।

ସମ୍ବନ୍ଧିତ ଖବର