ପଡ଼ିରହିଛି ୧ ଲକ୍ଷ ୨୩ ହଜାର ଜମିଜମା ସମ୍ପର୍କିତ ମାମଲା : ଅତିରିକ୍ତ ଜିଲ୍ଲାପାଳ କରିବେ ଶୁଣାଣି

ଭୁବନେଶ୍ବର : ରାଜ୍ୟରେ ରାଜସ୍ବ ପର୍ଷଦ ସଦସ୍ୟଙ୍କ ସମେତ ବିଭିନ୍ନ କମିସନର ଓ ଅତିରିକ୍ତ କମିସନର୍‌ଙ୍କ ପାଖରେ ୧ ଲକ୍ଷ ୨୩ ହଜାର ୭୧୯ଟି ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦୀ ସମ୍ପର୍କିତ ମାମଲା ପଡ଼ିରହିଛି। ଦୀର୍ଘଦିନ ଧରି ମାମଲା ବିଚାର ପାଇଁ ପଡ଼ିରହିଥିବାରୁ ଆବେଦନକାରୀଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି। ନ୍ୟାୟ ମିଳିବାରେ ବିଳମ୍ବ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବକେୟା ମାମଲାଗୁଡ଼ିକର ତ୍ବରିତ ବିଚାର କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ୩୦ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳମାନେ ଉପରୋକ୍ତ ରିଭିଜନ୍‌ ମାମଲାଗୁଡ଼ିକର ବିଚାର କରିବେ।

ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ରିଭିଜନାଲ୍‌ କୋର୍ଟରେ ଦାଖଲ ହୋଇଥିବା ଓ ଏପର୍ଯ୍ୟନ୍ତ ବିଚାର ପାଇଁ ନିଆଯାଇଥିବା ମାମଲାଗୁଡ଼ିକ ସମ୍ପୃକ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଚାର ଓ ଶୁଣାଣି ନିମନ୍ତେ ହସ୍ତାନ୍ତର କରାଯିବ। ଏଥିସହ ନୂତନ ଡିଭିଜନ୍‌ ମାମଲାଗୁଡ଼ିକ ସମ୍ପୃକ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କଠାରେ ଦାଖଲ ହୋଇ ବିଚାର କରାଯିବ। ଜମିଜମା ବନ୍ଦୋବସ୍ତ ରିଭିଜନ୍‌ ମାମଲାର ବିଚାର ପାଇଁ ୩୦ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଚକବନ୍ଦୀ ରିଭିଜନ୍‌ ମାମଲା ଥିବା ୧୯ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ଏହାଦ୍ବାରା ମାମଲାଗୁଡ଼ିକର ଶୀଘ୍ର ଫଇସଲା ହେବା ସଙ୍ଗେ ‌ସଙ୍ଗେ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳିପାରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର