ସଚିବାଳୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ମିଳନୀ : ସେପ୍ଟେମ୍ବର ସୁଦ୍ଧା ବନ୍ଦୋବସ୍ତ ମାମଲା ଫଇସଲା କର

ଭୁବନେଶ୍ୱର : ଦାଖଲଖାରଜ ମାମଲାଗୁଡ଼ିକର ନିର୍ଦ୍ଧାରିତ ସମୟରେ ଫଇସଲା ଓ ସ୍ୱଚ୍ଛତା ବଜାୟ ରଖିବା ନମନ୍ତେ ରାଜ୍ୟର ସମସ୍ତ ତହସିଲ୍‌ରେ ଅନ୍‌ଲାଇନ୍‌ ପ୍ରକ୍ରିୟା କରାଯାଇଛି। ରାଜସ୍ୱ ପ୍ରଶାସନର କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମରେ ସମସ୍ତ ସ୍କାନ୍‌ ଡାଟା ଡକ୍ୟୁମେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ରେ ଅପ୍‌ଲୋଡ୍‌ କରାଯିବ। ୨୦୧୮ ଅଗଷ୍ଟ ସୁଦ୍ଧା ଶତ ପ୍ରତିଶତ ସ୍କାନ୍‌ ଡାଟା ଅପ୍‌ଲୋଡ୍‌ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅତିରିକ୍ତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବନ୍ଦୋବସ୍ତ ମାମଲାଗୁଡ଼ିକ ଆସନ୍ତା ସେପ୍ଟମ୍ବର ସୁଦ୍ଧା ଫଇସଲା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳମାନେ ଉପଜିଲ୍ଲାପାଳମାନଙ୍କ ସହ ବକେୟା ମାମଲାଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ସମୟସୀମା ମଧ୍ୟରେ ଫଇସଲା କରିବା ପାଇଁ କୁହାଯାଇଛି।

ଆଜି ସଚିବାଳୟରେ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ମହାନ୍ତି କହିଲେ, ବିଭିନ୍ନ କ୍ଷେତ୍ରରେ କମ୍ପ୍ୟୁଟରୀକରଣ ଓ ଅନ୍‌ଲାଇନ୍‌ ବ୍ୟବସ୍ଥାର ପ୍ରଚଳନ ଫଳରେ ରାଜସ୍ୱ ପ୍ରଶାସନରେ ଅନେକ ଉନ୍ନତି ଆସିଛି। ସାଧାରଣ ଲୋକଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନକୁ ଆହୁରି ଅଧିକ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବାକୁ ପଡ଼ିବ। ରାଜସ୍ୱ ତଥ୍ୟାବଳୀକୁ ନିୟମିତ ଭାବେ ଅପ୍‌ଡେଟ୍‌ କରିବା ଉପରେ ରାଜସ୍ୱ ପ୍ରଶାସନର ସଫଳତା ନିର୍ଭର କରେ ବୋଲି ମନ୍ତ୍ରୀ କହିଥିଲେ।

ଲୋକଙ୍କ ସୁବିଧା ପାଇଁ ପ୍ରବର୍ତ୍ତିତ ସେବାକୁ ଅଧିକ ଫଳପ୍ରଦ କରିବା ପାଇଁ ପ୍ରତି ତହସିଲ୍‌ କାର୍ଯ୍ୟାଳୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ହେଉଥିବା ଭିନ୍ନ ଭିନ୍ନ ଡକ୍ୟୁମେଣ୍ଟ୍‌ସ୍‌ ସମ୍ପର୍କରେ ଓଡ଼ିଆ ଭାଷାରେ ସୂଚନା ଫଳକ ଲଗାଇବା ପାଇଁ ସ୍ଥିର କରାଯାଇଥିଲା। ଅନ୍‌ଲାଇନ୍‌ ମାଧ୍ୟମରେ ସ୍କୁଲ୍‌ ସାର୍ଟିଫିକେଟ୍‌ ପ୍ରଦାନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ଶତପ୍ରତିଶତ ସଫଳ କରିଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଲଘୁ ଖଣିଜ ଦ୍ରବ୍ୟ ଚୋରି ରୋକିବା ପାଇଁ ବିଭିନ୍ନ ଜିଲ୍ଲାକୁ ଅର୍ଥ ଯୋଗାଇ ଦିଆଯାଉଛି ବୋଲି ସୂଚନା ଦିଆଯାଇଥିଲା।

ସରକାରୀ ଜମିକୁ ଜବରଦଖଲରୁ ସୁରକ୍ଷା ଦିଗରେ ସରକାର ପ୍ରାଥମିକ ଦେଉଥିବା ବେଳେ ଏଥି ନିମନ୍ତେ ଏକ ବିସ୍ତତ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ବ୍ଲକ୍‌, ତହସିଲ୍‌ ଓ ଜିଲ୍ଲା ସଦର ମୁଖ୍ୟାଳୟର ଉନ୍ନତି ନିମନ୍ତେ ଅନ୍ୟୁନ ୨୫ ଏକର ସରକାରୀ ଜମି ସଂରକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଗତ ୪ ବର୍ଷରେ ରାଜ୍ୟରେ ୧,୦୭,୮୯୩ ବାସଗୃହହୀନ ପରିବାରକୁ ବାସୋପଯୋଗୀ ଜମି ଯୋଗାଇ ଦିଆଯାଇଛି। ବଳକା ୨୮୩୭ ପରିବାରକୁ ଅଗଷ୍ଟ ମାସ ସୁଦ୍ଧା ବାସୋପଯୋଗୀ ଜମି ଯୋଗାଇ ଦିଆଯିବ। ବାସୋପଯୋଗୀ ଜମି ନ ଥିବା ଯୋଗ୍ୟ ପରିବାରଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ଆବଶ୍ୟକ ସର୍ଭେ କରାଯାଇ ଜମି ଯୋଗାଇ ଦେବାକୁ କୁହାଯାଇଥିଲା। ଯେଉଁଠାରେ ସରକାରୀ ଜମି ଉପଲବ୍ଧ ହେଉ ନ ଥିବ, ସେଠାରେ ବେସରକାରୀ ଜମି କିଣି ହିତାଧିକାରୀଙ୍କୁ ଯୋଗାଇ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଜମିଜମାର ହାଇଟେକ୍‌ ଏରିଏଲ୍‌ ସର୍ଭେ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସୁନ୍ଦରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ବଲାଙ୍ଗୀର ଆଦି ୫ଟି ଜିଲ୍ଲାର ୫୦ଟି ତହସିଲ୍‌ରେ କରାଯାଉଥିବା ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ସୁଦ୍ଧା ସୁବର୍ଣ୍ଣପୁର ଓ ଦେବଗଡ଼ ଜିଲ୍ଲାର ସର୍ଭେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ଚନ୍ଦ୍ରଶେଖର କୁମାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର