ଭୁଶୁଡ଼ିଲା ସୁବର୍ଣ୍ଣରେଖା କେନାଲ

୩୦ ଏକର ଚାଷଜମି ନଷ୍ଟ

ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଛୁଆଡିମ ଗ୍ରାମ ନିକଟରେ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ବନ୍ଧ ଭୁଶୁଡ଼ି ପଡ଼ିଛି। ଫଳରେ ବିସ୍ତୀର୍ଣ୍ଣ ଇଲାକାର ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। କେତେକ ଜମିରେ ବାଲି ମାଡ଼ିଯାଇଛି ତ କିଛି ଜମି ମାଟିରେ ପୋତିହୋଇ ଯାଇଛି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଘଟିଛି ଏହି ଅଘଟଣ। ହଠାତ କେନାଲ ବନ୍ଧ ଭାଙ୍ଗି ଚାରିଆଡ଼କୁ ପାଣି ମାଡ଼ିଯାଇଥିଲା। କେତେକ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଯାଇଛି। ବିପଦ ଆଶଙ୍କା ହେବାରୁ ଏକ ପରିବାରକୁ ସ୍ଥାନାନ୍ତର କରା ଯାଇଥିଲା।

ଜଳସେଚନ ବିଭାଗର ସୂଚନା ଅନୁସାରେ ୧୨ ହେକ୍ଟର ବା ୩୦ ଏକର ଧାନଜମିରେ ପାଣି ମାଡ଼ି ଚାଷ ଧୋଇଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏକର ପ୍ରତି ୧୨ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ସୁପାରିସ କରାଯିବ। ତେବେ ବେସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହାଠାରୁ ବହୁ ଅଧିକ ଜମିର ଫସଲ ନଷ୍ଟ ହୋଇଛି। ରାତିଅଧରେ କେନାଲ ଭୁଶୁଡ଼ିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଉପରମୁଣ୍ଡରେ ପାଣି ଛାଡ଼ିବା ବନ୍ଦ କରାଯାଇଥିଲା। ନଚେତ କ୍ଷୟକ୍ଷତି ପରିମାଣ ଅଧିକ ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ବଡ଼କଥା ହେଉଛି ୧୯୮୨ରୁ ଆରମ୍ଭ ହୋଇଥିବା ଏହି କେନାଲ କାମ ୨୦୧୭ ପର୍ଯ୍ୟନ୍ତ ଚାଲିଛି। ୩୫ ବର୍ଷ ପରେ ମଧ୍ୟ କେନାଲ କାମ ସଂପୂର୍ଣ୍ଣ ହୋଇପାରି ନାହିଁ। ଏହାସତ୍ତ୍ୱେ ୨୦୧୩ ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନାଲକୁ ଲୋକାର୍ପିତ କରିଥିଲେ। ରାଜନୈତିକ ରୋଟି ସେକା ତ ହେଇଗଲା, କିନ୍ତୁ ବିଭାଗରେ ଆଖିବୁଜା ଦୁର୍ନୀତି ତଥା ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ କେନାଲ ଭୁଶୁଡ଼ି ପଡ଼ିଲା। ସୌଭାଗ୍ୟବଶତଃ ଏଥିଯୋଗୁଁ କେବଳ ଯାହା ଫସଲହାନୀ ଘଟିଛି, କୌଣସି ଜୀବନହାନି ଘଟିନାହିଁ।

ସମ୍ବନ୍ଧିତ ଖବର