ବାଲିଆପାଳରେ ୩ ଦଶନ୍ଧିର ପୁନରାବୃତ୍ତି! ଏବେ ସୁବର୍ଣ୍ଣରେଖା ବନ୍ଦରକୁ ନେଇ ବିବାଦ

ବାଲେଶ୍ବର, (ରୁଦ୍ରରଂଜନ ଶେଜପଡ଼ା): ସମୁଦ୍ର କୂଳରେ ଥିବା ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ଏବେ ଚର୍ଚାରେ। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପ୍ରସ୍ତାବ ଉପରେ ସରକାର ମୋହର ଲଗାଇବା ଏବଂ ନିଷ୍ପତ୍ତି ବିରୋଧରେ ଅଂଚଳବାସୀ ସ୍ବର ଉତ୍ତୋଳନ କରିବା-ଏହା ପଛର କାରଣ।

ଗୋଟିଏ ସମୟ ଥିଲା, ଯେତେବେଳେ ବାଲିଆପାଳରେ ଜାତୀୟ ପ୍ରତିରକ୍ଷା କେନ୍ଦ୍ର ସ୍ଥାପନକୁ ବି ଏହିପରି ବିରୋଧ ହୋଇଥିଲା। ଯେଉଁଥିପାଇଁ ବିକାଶର ଏକ ବଡ଼ ସୁଯୋଗ ସ୍ଥାନୀୟ ଲୋକେ ହାତଛଡ଼ା କଲେ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଲେ। ଆଉ ଏବେ ପୁଣି ବନ୍ଦର ନିର୍ମାଣକୁ ବିରୋଧ କରାଯିବା-ବାଲିଆପାଳ ତଥା ବାଲେଶ୍ବରର ବିକାଶ କ୍ଷେତ୍ରରେ ଏକ ବଡ଼ ଅନ୍ତରାୟ ହେବ ବୋଲି ଆଲୋଚନା ଚାଲିଛି।

୧୯୭୯ ମସିହାର କଥା। ଏହି ସମୟରେ ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଜାତୀୟ ପ୍ରତିରକ୍ଷା କେନ୍ଦ୍ର ସ୍ଥାପନ ନେଇ ନିଷ୍ପତ୍ତି ହେଲା। ଯେଉଁଥିପାଇଁ ପ୍ରାୟ ୩୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ବିସ୍ଥାପନ ତଥା ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ବାବଦ ୧୨୭ କୋଟି ଟଙ୍କା ପ୍ରଦାନ, ବାସଚ୍ୟୁତ ଲୋକଙ୍କୁ ୧୫ କିଲୋମିଟର ମଧ୍ୟରେ ଥଇଥାନ, ଗୃହ ନିର୍ମାଣ ପାଇଁ ୧୦ ଡେସିମିଲ୍‌ ଜାଗା ଓ ୧୫୦୦୦ ଟଙ୍କା ସହାୟତା ପ୍ରଦାନ, ମଡେଲ୍‌ ଭିଲେଜ, ସ୍କୁଲ୍‌, କମ୍ୟୁନିଟି ସେଣ୍ଟର ଏବଂ ହସ୍‌ପିଟାଲ୍‌ ନିର୍ମାଣ କରାଯାଇଥାଆନ୍ତା। ସେହିପରି ପ୍ରାୟ ୪୪୭୦ ଜଣ ଲୋକଙ୍କୁ କାମ ଯୋଗାଇବା ପାଇଁ ୯ଟି ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ହୋଇଥାଆନ୍ତା। ହେଲେ, ଏହିସବୁ ବ୍ୟବସ୍ଥାକୁ ଲୋକେ ପ୍ରତ୍ୟାଖ୍ୟାନ କଲେ। ପ୍ରତିରକ୍ଷା କେନ୍ଦ୍ର ସ୍ଥାପନ ବିରୋଧରେ ଗଲେ। ସେମାନଙ୍କ କହିବା କଥା ଥିଲା ଯେ ଉକ୍ତ ପ୍ରକଳ୍ପ ଦ୍ବାରା ବାଲିଆପାଳର ବିକାଶ ନୁହେଁ, ବିନାଶ ହେବ। ୧୬୩୦ଟି ଗାଁରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ଲୋକ ପ୍ରଭାବିତ ହେ‌େ‌ବ। ଧାନ, ମୀନ, ପାନ, କାଜୁ, ଗୁଆ, ନଡ଼ିଆ ପାଇଁ ପ୍ରସିଦ୍ଧ ବାଲିଆପାଳର ଶହ ଶହ ହେକ୍ଟର ଚାଷଜମି ଉଜୁଡ଼ିଯିବ। କ୍ଷତିପୂରଣ ଓ ଘର ପିଛା ଜଣକୁ ଚାକିରି ଦେଇଦେଲେ ଲୋକଙ୍କ ବିକାଶ ହେବନାହିଁ। ଶିଳ୍ପାୟନକୁ ସିନା ଡେଣା ଲାଗିବ, ହେଲେ ପରୋକ୍ଷରେ ହଜାର ହଜାର ଲୋକଙ୍କ ଜୀବନଜୀବିକା ସଂକଟରେ ପଡ଼ିଯିବ।

ତେବେ ଦୀର୍ଘ ୩୦ ଦଶନ୍ଧି ପରେ ବାଲିଆପାଳବାସୀ ପୁଣି ଦୋ’ଛକିରେ ଆସି ପହଂଚିଛନ୍ତି। ପ୍ରତିରକ୍ଷା କେନ୍ଦ୍ର ପରେ ଏବେ ୪୦୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନେଇ ବିବାଦ ଉଠିଛି। ଗୋଟିଏ ପଟେ ବନ୍ଦର ହେଲେ ବାଲିଆପାଳ ସହ ବାଲେଶ୍ବରରେ ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ସରକାର, ବନ୍ଦର କର୍ତୃପକ୍ଷ, ନିର୍ବାଚିତ ଜନ ପ୍ରତିନିଧି, ସ୍ଥାନୀୟନେତା ତଥା କିଛି ସପକ୍ଷବାଦୀ ବୁଝାଇବାକୁ ଲାଗିପଡ଼ିଥିବା ବେଳେ ଅନ୍ୟପଟେ ବିସ୍ଥାପିତ ହେବାକୁ ଥିବା ଅନେକ ଲୋକ ଭିଟାମାଟି ନଛାଡ଼ିବା ପାଇଁ ଅଡ଼ିବସିଛନ୍ତି। ସପକ୍ଷବାଦୀଙ୍କ କହିବା କଥା ହେଲା ଯେ ବନ୍ଦର ନିର୍ମାଣ ପରେ ବାଲିଆପାଳର ଭାଗ୍ୟ ବଦଳିଯିବ। ଲୋକେ କ୍ଷତିପୂରଣ ପାଇବେ। ଚାକିରି ପାଇବେ।

ଖାଲି ଆର୍ଥିକ ବିକାଶ ନୁହେଁ, ସାମଗ୍ରିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ। ସେହିପରି ବିପକ୍ଷବାଦୀ ଉପକୂଳ ଭିଟାମାଟି ସୁରକ୍ଷା ମଂଚର ସଦସ୍ୟଙ୍କଠାରୁ ଆରମ୍ଭ କରି ଅନେକ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ କହିବା କଥା ହେଲା ଯେ ବନ୍ଦର ହେଲେ ଚଉମୁଖଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୧୫ରୁ ୨୦ କିଲୋମିଟରରେ ଥିବା ଉର୍ବର ଜମି ଉଜୁଡ଼ିଯିବ। ବନ୍ଦର ସହ କଳକାରଖାନା, କୋଠାବାଡ଼ି, ପାୱାରପ୍ଲାଣ୍ଟ, କୋଇଲା ଗୋଦାମ, ପାଖାପାଖି ୨୫ଟି ଜାହାଜ ବର୍ଥ, ଅଫିସ୍‌, ଟ୍ରକ୍‌ ଟର୍ମିନାଲ୍, ରେଳଷ୍ଟେସନ, ପାୱାର ହାଉସ୍‌, କୋଇଲା ଡିପୋ, ସିପ୍‌ ବର୍ଥ, କଣ୍ଟ୍ରୋଲ ରୁମ୍‌, ଜଳ ବିଶୋଧନାଗାର, ହୋଟେଲ୍‌, ପାର୍କ, ଲଜ୍‌, ଏୟାରପୋର୍ଟ, ହେଲିପ୍ୟାଡ୍‌ ଏରୋେନଟିକ୍ସ କମ୍ପ୍ଲେକ୍ସ ଆଦି ନିର୍ମାଣ ପାଇଁ ୮ରୁ ୧୦ ହଜାର ଏକର ଜମି ବନ୍ଦର କର୍ତୃପକ୍ଷ ନେଇଯିବେ। ସେହିପରି ଚଉମୁଖ, ଡଗରା, ବେତଗଡ଼ିଆ, ଅଳାଡ଼ିହା, ନୂଆଗାଁ, ପଞ୍ଚୁପାଲି, ଜମ୍ଭୀରାଇ ଭଳି ପଞ୍ଚାୟତଗୁଡ଼ିକ ବହୁମାତ୍ରାରେ ପ୍ରଭାବିତ ହେବ। ଠିକ୍ ସେମିିତି ଆମ୍ବଚୁଆ, ବାଲିବିଲ ଓ ନୂଆଗାଁ ହାଟ ଭଳି ବ୍ୟବସାୟ ପେଣ୍ଠସ୍ଥଳ ଭୌଗୋଳିକ ମାନଚିତ୍ରରୁ ଲିଭିଯିବ। ବହୁମାତ୍ରାରେ ପରିବେଶ ମଧ୍ୟ ପ୍ରଦୂଷଣ ହେବ।

ଏନେଇ ସୁବର୍ଣ୍ଣରେଖା କ୍ରିଏଟିଭ୍ ପୋର୍ଟର ସଭାପତି ପ୍ରମୋଦ କୁମାର ସିଂହଙ୍କ ମତାମତ ନିଆଯାଇଥିଲା। ତାଙ୍କ କହିବା କଥା ହେଲା ଯେ , ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ସବୁଠାରୁ ବଡ଼ ବନ୍ଦର ହେବ। ଯାହାଦ୍ବାରା ୧୦୦୦୦ ଲୋକ ଚାକିରି ପାଇବେ। ବ୍ୟକ୍ତିଗତ ଜମି ନିଆଯିବନି। ସରକାରୀ ଜମିରେ ବନ୍ଦର ନିର୍ମାଣ କରାଯିବ। ତେଣୁ ଲୋକେ ବିରୋଧ ନକରି ବନ୍ଦର କିପରି ସୁରୁଖୁରୁରେ ନିର୍ମାଣ ହେବ, ସେନେଇ ସହ‌େଯାଗ କରନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.