ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚି ଇସ୍ତଫା

ଭୁବନେଶ୍ବର : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚି ଇସ୍ତଫା ଦେଇଛନ୍ତି। ଆଜି ଏକ ଟ୍ବିଟ୍ ମାଧ୍ୟ‌ମରେ ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ବାରା ସ୍ଥାପିତ ଆଇଟି କମ୍ପାନି ‘ମାଇଣ୍ଡଟ୍ରି’କୁ ଅଧିଗ୍ରହଣ କରିବା ଲାଗି ‘ଏଲ୍ ଆଣ୍ଡ ଟି’ ଉଦ୍ୟମ ଚଳାଇଛି। ଏହି ଅଧିଗ୍ରହଣ ଜନିତ ସଙ୍କଟରୁ ‘ମାଇଣ୍ଡଟ୍ରି’କୁ ରକ୍ଷା କରିବା ପାଇଁ କମ୍ପାନିର ପ୍ରତିଷ୍ଠାତାମାନେ ପ୍ରୟାସ କରୁଛନ୍ତି। ନିଜ ହାତରେ ଗଢ଼ିଥିବା କମ୍ପାନିକୁ ଏଭଳି ସମୟରେ ଉଦ୍ଧାର କରିବା ଲାଗି ସେ ଓଏସ୍‌ଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଦର୍ଶାଇଛନ୍ତି। ରବିବାର ରାତି ପ୍ରାୟ ୯ଟା ବେଳେ ସେ ତାଙ୍କ ଇସ୍ତଫା ଓ ‘ମାଇଣ୍ଡଟ୍ରି’ କମ୍ପାନିର ସୁରକ୍ଷା ସମ୍ପର୍କରେ ଦୁଇଟି ଟୁଇଟ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଯୁବବର୍ଗଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ଦେଶ ବିଦେଶରେ ନିଯୁକ୍ତିକ୍ଷମ କରିବା ଲାଗି ରାଜ୍ୟ ସରକାର ଶ୍ରୀ ବାଗ୍‌ଚିଙ୍କୁ ୨୦୧୬ ଏପ୍ରିଲ ମାସରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ବାଗ୍‌ଚିଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍ ପାହ୍ୟା ମଧ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର