ଆମ୍ବଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଲେ ଯୁବକ, ପ୍ରେମଜନିତ କାରଣରୁ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା

ପାଇକସାହି (ଅନୁଗୁଳ): ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଆମ୍ବସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବନ୍ଧ ଗାଁ ଗ୍ରାମରେ ଆଜି ସକାଳେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହି ଯୁବକଜଣକ ହେଲେ ସେହି ଗ୍ରାମର ଶେଷଦେବ ନାୟକଙ୍କ ପୁଅ ମାନସ ନାୟକ। ଆତ୍ମହତ୍ୟା କରିଥିବା ମାନସ ନାୟକଙ୍କର ବୟସ ୨୧ ବର୍ଷ ବୋଲି କୁହାଯାଉଛି।
ମାନସ ଗତକାଲି ବିଳମ୍ବିତ ରାତିରେ ବନ୍ଧ ଗାଁ ଗ୍ରାମର ଉପେନ୍ଦ୍ର ନାଥଙ୍କ ଖଳାରେ ଥିବା ଆମ୍ବଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପ୍ରେମଜନିତ କାରଣରୁ ମାନସ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ମାନସ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ଏଥିରେ ମାନସଙ୍କ ପରିବାର ରାଜି ନ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ।
ଘଟଣା ସଂପର୍କରେ ଖବର ପାଇ ଠାକୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର