ଏସ୍‌ଭି ନିର୍‌ତାର୍‌ରେ କହ୍ନେଇଙ୍କ ସଫଳ ଅସ୍ତ୍ରୋପଚାର : କଟାଗଲା ୩୦ କିଲୋ ଓଜନର ଗୋଡ଼

କଟକ/କଣ୍ଟାପଡ଼ା : ନର୍ଭ ଟ୍ୟୁମର୍‌ ଯୋଗୁଁ ଗୋଡ଼ ଫୁଲି ଚାଲିପାରୁ ନଥିବା କହ୍ନେଇ ପ୍ରଧାନ(୧୪)ଙ୍କର ଆଜି ଓଲଟପୁରସ୍ଥିତ ଏସ୍‌ଭି ନିରତାର୍‌ରେ ଅସ୍ତ୍ରୋପଚାର କରାଯାଇଛି। ଏହି ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି ଓ ପ୍ରାୟ ୩୦କିଲୋ ଓଜନର ଗୋଡ଼ କଟାଯିବା ପରେ କହ୍ନେଇଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଆଜି ସକାଳ ୯ଟା ସମୟରେ ଏହି ବିରଳ ଅସ୍ତ୍ରୋପଚାର ପାଇଁ କହ୍ନେଇଙ୍କୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇଥିଲା। ଏସଭି ନିରତାର୍‌ ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାଶ, ଉପ-ନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର, ବଡ଼ ଡାକ୍ତରଖାନା ପ୍ଲାଷ୍ଟିକ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, ଡାକ୍ତର ପବିତ୍ର କୁମାର ସାହୁ, ଡାକ୍ତର ଜିତେନ୍ଦ୍ର ଷଡ଼ଙ୍ଗୀ, ଡାକ୍ତର ଅଭିଷେକ ସନ୍ୟାଲ୍‌, ଡ. ସତ୍ୟ ରାଓଙ୍କ ସମେତ ଟେକ୍‌ନିସିଆନ୍ ବିଶ୍ବରଞ୍ଜନ ପରିଡା ଓ ବିଜୟ କୁମାର ସାହୁ ପ୍ରମୁଖ ଅସ୍ତ୍ରୋପଚାରରେ ସାମିଲ ଥିଲେ। ଅସ୍ତ୍ରୋପଚାର ପରେ କହ୍ନେଇଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ଶକ୍ତିପ୍ରସାଦ ଦାଶ କହିଛନ୍ତି। ଏହା ପରେ ସ୍ଥାନୀୟ ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ, କଣ୍ଟାପଡ଼ା ବିଡିଓ କେ. ଅଶୋକ କୁମାର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କହ୍ନେଇର ମା ମମତା ପ୍ରଧାନଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କହ୍ନେଇଙ୍କ ପରିବାରର ନିଜସ୍ବ ବାସଗୃହ ନ ଥିବାରୁ ଜରୁରୀକାଳୀନ ଭିତ୍ତିରେ ତାଙ୍କ ପରିବାରକୁ ସ୍ଥାୟୀ ଜମି ଓ ସରକାରୀ ଆବାସ ଯୋଜନାରେ ଗୃହ ଯୋଗାଇବାକୁ ପ୍ରଶାସନ ଘୋଷଣା କରିଛି। ତାଛଡ଼ା, ଉକ୍ତ ବାସଗୃହ ପାଇବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ରହିବା ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। କହ୍ନେଇଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ଜୟଦେବ ପୀଠରେ ସମୂହ ଦୀପଦାନ କରାଯାଇଛି।

ସୂଚନାଯୋଗ୍ୟ, କହ୍ନେଇଙ୍କ ଘର ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ଗାଁରେ। ନର୍ଭ ଟ୍ୟୁମର୍‌ ଯୋଗୁଁ କହ୍ନେଇ ଚାଲି ନପାରି ନାନାଦି ସମସ୍ୟାରେ ପଡ଼ୁଥିଲେ। ଏହା ଜାଣିପାରି ଗୋସେବକ ଚିନ୍ମୟ ପାତ୍ର ଓ ଅନ୍ୟ ସ୍ବେଚ୍ଛାସେବୀମାନେ ତାଙ୍କୁ ଏସ୍‌ଭି ନିରତାର୍‌ରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର