ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମିର ନୂଆ ସଭାପତି

ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ଶା ଲଳିତ କଳା ଏକାଡେମିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଇସ୍ତଫା ପରେ ଏହି ପଦବି ଖାଲି ରହିଥିଲା। ଏହି ପଦବିରେ ଅଧିଷ୍ଠିତ ହେବା ପରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର କୋଣ ଅନୁକୋଣରେ ଥିବା କଳାକାର ତଥା ସେମାନଙ୍କ କଳାକୁ ପ୍ରୋତ୍ସାହିତ କରିବାକୁ ଆପ୍ରାଣ ଚେଷ୍ଟା କରିବେ ବୋଲି କହିଛନ୍ତି।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୧୯୭୭ ଏପ୍ରିଲ ୧୫ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ। ବାଲୁକା ଶିଳ୍ପୀ ଭାବେ ସେ ୫୦ରୁ ଊର୍ଧ୍ୱ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ପ୍ରତିନିଧିତ୍ୱ କରି ପୁରସ୍କୃତ ହୋଇଛନ୍ତି। ଋଷିଆ, ବୁଲ୍‌ଗେରିଆ, ମାଲେସିଆ, ସିଙ୍ଗାପୁର, ମେକ୍ସିକୋ, ଜାପାନ, ତୁରସ୍କ, ଡେନ୍‌ମାର୍କ, ଆମେରିକା, ଜର୍ମାନ୍‌, କାନାଡା, ଫ୍ରାନ୍ସ, ନେଦରଲ୍ୟାଣ୍ଡ ଓ ଇଟାଲି ଆଦି ଦେଶମାନଙ୍କରେ ଆୟୋଜିତ ବିଶ୍ୱସ୍ତରୀୟ ବାଲୁକା କଳା ପ୍ରଦର୍ଶନୀରେ ସୁଦର୍ଶନଙ୍କ କଳା ପ୍ରଶଂସିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର୍‌ ଭାବେ କାର୍ଯ୍ୟ କରିବା ସହ ବିଭାଗ ଆନୁକୂଲ୍ୟରେ କିଛି ବର୍ଷ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ସେ ନେତୃତ୍ୱ ନେଉଛନ୍ତି। ନବକଳେବର ସମେତ ମେକ୍‌ ଇନ୍‌ ଓଡ଼ିଶା ପରି କାର୍ଯ୍ୟକ୍ରମରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇଛି। ସେ ୨୦୧୪ରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ମଧ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର