ପ୍ରଫେସର ସୁଦୀପ ଚାନ୍ଦ ଓଜେଇଇର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର : ଆଇଜିଆଇଟି, ସାରଙ୍ଗରେ ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସୁଦୀପ କୁମାର ଚାନ୍ଦ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଫେସର ଚାନ୍ଦ ଆସନ୍ତାକାଲି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି।

ପ୍ରଫେସର ଚାନ୍ଦ ରାଉରକେଲା ଏନ୍‌ଆଇଟିରୁ ପାସ୍‌ କରିବା ପରେ ଆଇଆଇଟି ଖଡଗପୁରରେ ପିଏଚ୍‌ଡି କରିଥିଲେ। ୧୯୮୯ରୁ ସେ ଆଇଜିଆଇଟିରେ ଯୋଗଦେବା ସହ ୨୦୦୬ରୁ ସେଠାରେ ପ୍ରଫେସର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଇଜିଆଇଟିର ନିର୍ଦେଶକ ମଧ୍ୟ ରହି ସାରିଛନ୍ତି। ନୂତନ ନିଯୁକ୍ତି ପରେ ସେ କହିଛନ୍ତି ଯେ ଓଜେଇଇର ଅଧ୍ୟକ୍ଷ ହେବା ଏକ ଗୁରୁ ଦାୟିତ୍ୱ। ଓଜେଇଇ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା କାଉନସେଲିଂ କିଭଳି ଠିକ୍‌ ଭାବେ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ବିଭିନ୍ନ କାର୍ଯ୍ୟ ସୁରୁଖୁରୁରେ କରିବା, ଓଜେଇଇକୁ ଲୋକାଭିମୁଖୀ କରିବା ଦିଗରେ ପଦକ୍ଷେପ ନେବି। ଯେଉଁଠି ସମସ୍ୟା ହେଉଛି ତାହାକୁ ଚିହ୍ନଟ କରିବା ସହ ସମାଧାନ ଦିଗରେ ପଦକ୍ଷେପ ହାତକୁ ନିଆଯିବ। ସମସ୍ତଙ୍କୁ ସଙ୍ଗରେ ନେଇ ଆମେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ତୁଷାର କୁମାର କାନ୍ତ ନାଥଙ୍କ ପରେ ଓଜେଇଇ ଅଧ୍ୟକ୍ଷ ପଦବି ଖାଲି ରହିଥିଲା। ତାଙ୍କ ସ୍ଥାନରେ ମନୀଷ ତ୍ରିପାଠୀ ଭାରପ୍ର୍ରାପ୍ତ ଦାୟିିତ୍ୱରେ ରହିଥିଲେ।

ସମ୍ବନ୍ଧିତ ଖବର