ଓଡ଼ିଶାରେ ଶ୍ରୀ ଶ୍ରୀ ଠାକୁରଙ୍କ ଭକ୍ତମାନେ ବହୁତ ଭଲ କାମ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବହୁତ ବଡ଼ ସଂଗଠନ ରହିଛି । ଭକ୍ତମାନେ ବହୁତ ଭଲ କାମ କରୁଛନ୍ତି । ଏଭଳି କାମ ଜାରି ରଖନ୍ତୁ, ସମାଜ ଆମକୁ ବହୁତ କିଛି ଦେଇଛି। ଯଦି ଆମେ ସମାଜକୁ କିଛି ଦେଇପାରିବା ତାହା ହେବ ଭଗବାନଙ୍କ ପାଇଁ ଶ୍ରେଷ୍ଠ ପୂଜା । ଭୁବନେଶ୍ୱରରେ ସତସଙ୍ଗ ପକ୍ଷରୁ ଆୟୋଜିତ ନିଖିଳ ଓଡିଶା ସୁଧା ସର୍ଜନା ମହୋତ୍ସବରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜିର ଦିବସ ବ୍ୟାପି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସାଂସଦ ଅଚ୍ୟୁତ ସାମନ୍ତ  ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ଉପରେ ସତସଙ୍ଗର ପ୍ରତି ରତିକ୍‌ ବିନାୟକ ମହାପାତ୍ର, ସହ ପ୍ରତି ରିତିକ୍‌ ଶ୍ରୀଧର ସୁନ୍ଦର ମିଶ୍ର ଉପସ୍ଥିତ ଥିଲେ । ଓଡିଶାର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଲୁଙ୍କ ଗହଳିରେ ଆଜି ମୁଖରିତ ହୋଇଉଠିଥିଲା ମଞ୍ଚେଶ୍ୱରସ୍ଥିତ ରେଲୱେ ସ୍ପୋର୍ଟସ କମ୍ପେକ୍ସ ପଡିଆ ।

ସୂଚନା ଅନୁସାରେ ପୂର୍ବାହ୍ନ ୧୧ଟା ୩୦ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିବାବେଳେ ମଧ୍ୟାହ୍ନରେ ସତସଙ୍ଗୀ ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉତ୍ସବ ଅବସରରେ ଏକ ସ୍ୱାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲର କାର୍ଯ୍ୟରତ ଡାକ୍ତରମାନେ ଏଠାରେ ମାଗଣାରେ ଚିକିତ୍ସା ସେବା ଯୋଗାଇବାର ବ୍ୟବସ୍ଥା ହୋଇଥିଲା । ଉତ୍ସବରେ ଅଂଶଗ୍ରହଣ କରୁଥିବା ସମସ୍ତ ଭକ୍ତ ଅନୁରାଗୀଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର