ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ; ଖାନନଗରରେ ଆଜି ହେବ ଶେଷକୃତ୍ୟ

କଟକ: ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀ ଆଉ ନାହାନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ କଟକ ବାଖରାବାଦସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ଶେଷଶଯ୍ୟା ନିକଟରେ ଭାଇ ଅମିତାଭ ଚୌଧୁରୀ, ଭଣଜା ଡକ୍ଟର ଜ୍ଞାନଦେବ ମହାରଣା, କର୍ମଦେବ ମହାରଣା, ଡକ୍ଟର ସ୍ବପ୍ନା ମହାପାତ୍ର, ପ୍ରହରାଜ ସିଂହ, ଉର୍ମିଳା ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଡକ୍ଟର ବିଶ୍ବଜିତ୍‌ଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟ ଓ ବଂଧୁବାନ୍ଧବ ଉପସ୍ଥିତ ଥିଲେ। ସମାଜସେବାକୁ ଆଜୀବନ ବ୍ରତ କରିଥିବା ସୁମିତ୍ରା ଚୌଧୁରୀ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବଂଧୁ ଚୌଧୁରୀଙ୍କ ବୋହୂ ଏବଂ ମନମୋହନ ଚୌଧୁରୀଙ୍କ ପତ୍ନୀ ଥିଲେ। ଜଣେ ବିଶିଷ୍ଟ ସମାଜସେବୀ ଏବଂ ଲେଖିକା ଭାବେ ରାଜ୍ୟରେ ତାଙ୍କର ପ୍ରସିଦ୍ଧି ଥିଲା। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ବାଖରାବାଦସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ଚୌଧୁରୀଙ୍କ ଶେଷଦର୍ଶନ କରିଥିଲେ।

୧୯୨୪ ମସିହା ନଭେମ୍ବର ୧୫ ତାରିଖରେ ବଙ୍ଗ ପ୍ରଦେଶର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟ ଓ ମାତା ସୁଧାନନୀ ଦେବୀ ଥିଲେ। ବାର ଭାଇଭଉଣୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ତତ୍କାଳୀନ ରକ୍ଷଣଶୀଳ ସମାଜରେ ସେ ନଦିଆ ଜିଲ୍ଲାର କ୍ରିଷ୍ଣନଗର କଲେଜରୁ ସେହି ସମୟରେ ବିଏସ୍‌ସି ପାସ୍‌ କରିଥିଲେ। କଲେଜ ଛାତ ଉପରେ ଭାରତର ଜାତୀୟ ପତାକା ଉଡ଼ାଇବା ପାଇଁ ଲଢେଇ କରି କଲେଜରୁ ଅଧ୍ୟକ୍ଷଙ୍କ ଦ୍ବାରା ଭର୍ତ୍ସିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇ ତାଙ୍କ ପିତା କାରାବରଣ କରିବା ପରେ ଅଧିକ ଶିକ୍ଷା ପାଇଁ ସେ ମହାରାଷ୍ଟ୍ରସ୍ଥିତ ସେବାଗ୍ରାମ ଆଶ୍ରମକୁ ଆସି ଗାନ୍ଧୀଜୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ। ନଅମାସ କାଳ ଏଠାରେ ମୌଳିକ ଶିକ୍ଷା ଗ୍ରହଣ ବେଳେ ତାଙ୍କର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ପୁଅ ମନମୋହନ ଚୌଧୁରୀଙ୍କ ସହିତ ପରିଚୟ ହୋଇଥିଲା। ଏହାପରେ ମନମୋହନଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସନ୍ଧ୍ୟାରେ ନବଦମ୍ପତି ଗାନ୍ଧୀଜୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ବିବାହ ଉତ୍ସବରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଦେଶ ସେବାକୁ ଜୀବନର ବ୍ରତ କରିଥିବା ସୁମିତ୍ରା ଚୌଧୁରୀ ଓଡ଼ିଶାର ଦୁର୍ଭିକ୍ଷ, ବନ୍ୟା, ବାତ୍ୟା ସମୟରେ ଲୋକଙ୍କ ସୁଖଦୁଃଖରେ ସମଭାଗୀ ହେଉଥିଲେ। ବିନୋବାଜୀଙ୍କର ଆଦର୍ଶରେ ଭୂଦାନ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। କସ୍ତୁରବା ଗାନ୍ଧୀ ସ୍ମାରକ ଟ୍ରଷ୍ଟ ଉତ୍କଳ ଶାଖାର ୧୪ବର୍ଷ କାଳ ପରିଚାଳନା ଭାର ତୁଲାଇବା ସହ ଓଡ଼ିଶାର ଦୁର୍ଗମ ଅଂଚଳରେ ଦୁଇଟି ଅନାଥାଶ୍ରମ ଓ ଟ୍ରଷ୍ଟର ଶତାଧିକ ଶାଖା ଖୋଲିଥିଲେ। ସେ ‘ସେବାସମିତି’ ଓ ଗ୍ରାମସେବକ ସମବାୟ ପ୍ରେସ୍‌, ‘ଉତ୍କଳ ଗାନ୍ଧୀ ସ୍ମାରକ ନିଧି’, ‘ହିନ୍ଦ୍ ସ୍ବରାଜ ଅଭିଯାନ ଟ୍ରଷ୍ଟ’ ଏବଂ ‘ରାଷ୍ଟ୍ରୀୟ ଯୁବା ସଂଗଠନ’ ଆଦି ସଂଗଠନ‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଥିବାବେଳେ ମୃତ୍ୟୁ ପର୍ଯ୍ୟନ୍ତ ସର୍ବୋଦୟ ପତ୍ରିକାରେ ମୁଖ୍ୟ ସଂପାଦିକା ଥିଲେ। ତାଙ୍କ ଦ୍ବାରା ରଚିତ ଇଂରାଜୀ ଅନୁବାଦ ପୁସ୍ତକ ‘ପିଲାଏ ଶିଖନ୍ତି କିପରି’, ‘ଅଦ୍ଧ୍ବୁତ ଭିକ୍ଷୁ’ ଓ ବଙ୍ଗଳାର ‘ଗାନ୍ଧୀଜୀଙ୍କ ଜୀବନ କଥା’ ବେଶ୍‌ ଲୋକପ୍ରିୟ ହୋଇଥିଲା।

ଅନ୍ୟପକ୍ଷରେ ତାଙ୍କ ମୃତ୍ୟୁ ଖବର ପାଇ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌, ଡାକ୍ତର ଜେ.ପି. ଦାସ, ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ, କୃଷ୍ଣା ମହାନ୍ତି, ପ୍ରହଲ୍ଲାଦ ସିଂହ, ଗୋକୁଳାନନ୍ଦ ଦାସ, ବୀରେନ୍ଦ୍ର ନାୟକ, ଚିତ୍ତରଂଜନ ମହାନ୍ତି, ମିହିର ପ୍ରତାପ ଦାସ, ଶୈଳେଜ ରବି, କ୍ଷୀରୋଦ ରାଉତ, ଦୀପକ କାନୁନ୍‌ଗୋ, ପ୍ରଦୀପ ପଟ୍ଟନାୟକ, ରବି ଦାସ, ଖଗେଶ୍ବର ସେଠୀ, ପାବକ କାନୁନ୍‌ଗୋଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନୈତିକ ନେତୃମଣ୍ଡଳୀ ସ୍ବର୍ଗତ ଚୌଧୁରୀଙ୍କ ଶେଷଦର୍ଶନ କରିଥିଲେ। ଆସନ୍ତକାଲି ସୋମବାର ଖାନନଗରସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

୧୭ ପ୍ରତିଭାଙ୍କୁ ‘ଓଡ଼ିଶା ଯୁବ ସମ୍ମାନ-୨୦୧୯’ ଯୁବକ ବୟସ ନୁହେଁ, ଏକ ଚିନ୍ତାଧାରା

ଭୁବନେଶ୍ବର, ୨୨|୯(ଇମିସ): ଯୁବକ ବୟସରେ ନ ଥାଏ। ଏହା ଏକ ଚିନ୍ତାଧାରା। କାରଣ ବୟସ ଯାହା ହେଉ ନା କାହିଁକି, ଯଦି ଜଣେ ସମାଜର ମଙ୍ଗଳ ପାଇଁ ଯୁବକ ଭଳି ଉତ୍ସାହ ଦେଖାଇ ନିଜକୁ ସମର୍ପିତ କରୁଛି ସେ ହିଁ ଯୁବକ। ସେହି ପ୍ରତିଭା ମାନଙ୍କୁ ଚିହ୍ନଟ କରି ସମାଜରେ ସ୍ବୀକୃତି ଦେବା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସାଂସଦ ଭର୍ତୃହରି ମହତାବ।
ଆଜି ଓଡ଼ିଆ ମିଡିଆ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଓଡ଼ିଶା ଯୁବ ସମ୍ମାନ-୨୦୧୯’ ସମ୍ବର୍ଦ୍ଧନା ଉତ୍ସବରେ ସାଂସଦ ଶ୍ରୀ ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସହିତ୍ୟିକ ଦାଶ ବେନହୁର ଯୋଗ ଦେଇ କହିଥିଲେ, ଜୀବନର ପ୍ରଥମ ୩୫ ବର୍ଷ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯାହା ଶିଖି ଥାଆନ୍ତି, ତହା ହିଁ ଭବି‌ଷ୍ୟତ ଗଠନରେ ସହାୟକ ହୋଇଥାଏ। ଆମେ ନିଜର ବିକାଶ କରି ନିଜ ମାଟି ସହ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓଡ଼ିଶାର ୧୭ ଯୁବ ପ୍ରତିଭାଙ୍କୁ ‘ଓଡ଼ିଶା ଯୁବ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା। ବିଜେଡି ନେତା ଅନୁଭବ ପଟ୍ଟନାୟକ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଲିମ୍ପିଆନ ଦୂତୀ ଚାନ୍ଦ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ଇଣ୍ଟରନ୍ୟାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନିଲ ପ୍ରଧାନ, ସମାଜସେବୀ କଳ୍ପାଶା ଅଙ୍କିତା ଶ’, ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, କଥାକାର ରବିନାରାୟଣ ଦାଶ, ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ, ବାଜିରାଓ ଆଇଏଏସ୍‌ ଏକାଡେମିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା, ଗୀତିକାର ସୁବ୍ରତ ସ୍ବାଇଁ, ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର, ଯୁବ ଔପନ୍ୟାସିକ ଅଭିଷେକ ପାଣି ଓ ଯୁବ ଉଦ୍ୟୋଗୀ ଅନୁକୂଳ ଅଗ୍ରୱାଲଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଦେଇଥିଲେ। ଯୁବ କବି ଅଗ୍ନିବେଶ ମହାପାତ୍ର ମଞ୍ଚ ସଂଚାଳନା କରିଥିଲେ। ରଜନୀକାନ୍ତ ତରାଇ, ଶୁଭଲକ୍ଷ୍ମୀ ମହାନ୍ତି, ସତ୍ୟବ୍ରତ ବଳିଆରସିଂହ, ମିଲନ ପ୍ରଧାନ, ଜିତେନ୍ଦ୍ର ଜେନା, ଆଶିଷ ରଥ, ପ୍ରଗତି ପଣ୍ଡିତ, ପ୍ରମିତାଭ ଶତପଥୀ, ପ୍ରଦ୍ୟୁମ୍ନ ମହାପାତ୍ର, ଜ୍ୟୋତିରଂଜନ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ନନ୍ଦନକାନନ କର୍ତୃପକ୍ଷଙ୍କୁ ହାତୀ ସୁରକ୍ଷା ଚିନ୍ତା, ୨୫ରେ ଆସିବେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ
ବାରଙ୍ଗ, ୨୨|୯ (ଇମିସ): ନନ୍ଦନକାନନ କର୍ତୃପକ୍ଷଙ୍କୁ ଘାରିଛି ହାତୀ ସୁରକ୍ଷା ଚିନ୍ତା। ୪ଟି ହାତୀ ମୃତ୍ୟୁ ପରେ ଆରମ୍ଭ ହୋଇଛି ସମୀକ୍ଷା। ହାତୀଙ୍କ ମୃତ୍ୟୁର ବିଭୀଷିକା ପରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନନ୍ଦନକାନନ କର୍ତୃପକ୍ଷଙ୍କୁ ସାମଲୋଚନାର ସମ୍ୁଖୀନ ହେବାକୁ ପଡୁଛି। ମୁକାବିଲା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ଆସନ୍ତା ୨୫ ତାରିଖରେ ନନ୍ଦନକାନନ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ। ନନ୍ଦନକାନନରେ ପହଞ୍ଚି କୈଫିୟତ ମାଗିବେ। ଗାଇଡ୍‌ଲାଇନ ପାଳନ କରାଯାଉଛି କି ନାହିଁ ବୁଲି ଦେଖିବା ସହ ତର୍ଜମା କରିବେ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଆଗମନ ପୂର୍ବରୁ ଚେଇଁ ଉଠିଛନ୍ତି ନନ୍ଦନକାନନ କର୍ତୃପକ୍ଷ। ଶନିବାର ନନ୍ଦନକାନନରେ ସ୍ବାସ୍ଥ୍ୟ କମିଟି ଓ ବୈଷୟିକ କମିଟିର ବୈଠକ କରାଯାଇ ତର୍ଜମା କରାଯାଇଥିଲା।ଏଥିିରେ ସ୍ଥାନ ପାଇଥିଲା ବର୍ତ୍ତିଯାଇଥିବା ୨ ବର୍ଷର ଛୋଟ ହାତୀ ମାମାର ସୁରକ୍ଷା ପ୍ରସଙ୍ଗ। ତା’ ରକ୍ତ ନମୂନା ପରୀକ୍ଷାରୁ ସଂକ୍ରମିତ ନଥିବା ଜଣା ପଡ଼ିଛି। ବଡ଼ ହାତୀ ପ୍ରେମା, ବାସନ୍ତୀ ଓ ହୀରାର ସୁରକ୍ଷା ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର