ଆଜିଠୁ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏପ୍ରିଲ ୨୫ତାରିଖରୁ ବନ୍ଦ ରହିବ। ସ୍କୁଲଗୁଡ଼ିକର ଖରା ଛୁଟି ବୁଧବାର ଠାରୁ ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏବଂ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ରିପୋର୍ଟ ଆଧାରରେ ମେ ୪ ପରିବର୍ତ୍ତେ ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କରାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କ୍ଷେତ୍ରରେ ଏହା ଲାଗୁ ହେବ। ଜୁନ୍‌ ୧୮ରେ ସ୍କୁଲ୍‌ ଖୋଲିବ। କିନ୍ତୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ଶିବିର ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହୁଥିବାବେଳେ କେତେକ ସ୍ଥାନରେ ଲଗାତର ଭାବେ ୪୨ଡିଗ୍ରି ଉପରେ ରହୁଛି। ଏପରିକି ୪୩ଡିଗ୍ରି ଛୁଇଁ ସାରିଲାଣି। ଏପରିସ୍ଥଳେ ଛାତ୍ରଛାତ୍ରୀ ସ୍କୁଲ ଛୁଟି ହେବା ପରେ ଘରକୁ ଫେରିବା କଷ୍ଟକର ହେଉଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ବି ଏପ୍ରିଲ ୨୫ରୁ ଆଗୁଆ ଖରା ଛୁଟି ଘୋଷଣା ହୋଇଛି। ଆଗୁଆ ଛୁଟି ହେବା ଦ୍ୱାରା ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ସ୍କୁଲ ଖୋଲିବା ପରେ ଅତିରିକ୍ତ କ୍ଲାସ୍‌ କରି ଏହାକୁ ଆଡଜଷ୍ଟ କରିବାକୁ କୁହାଯାଇଛି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖରା ଛୁଟି ନେଇ ଘୋଷଣା କରିବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସ୍କୁଲ ଛୁଟି ନେଇ ପ୍ରଚାର ହୋଇଥିଲା। ଏହାପରେ ବିଭିନ୍ନ ଗଣମାଧ୍ୟମ ସ୍କୁଲ ଛୁଟି ନେଇ ଖବର ପ୍ରସାରଣ କରିଥିଲେ। ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେଇ କହିଥିଲେ ,ଏବେ କିଛି ନିଷ୍ପତ୍ତି ନିଆଯାଇନି। ଖରା ବଢ଼ିଲେ କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପ୍ରିଲ ୨୫ରୁ ସ୍କୁଲ ଛୁଟି ନେଇ ସୂଚନା ଦେଇଥିଲା।

ସମ୍ବନ୍ଧିତ ଖବର