ଆଜି ମହାପ୍ରଭୁଙ୍କ ସୁନାବେଶ

ଅପରାହ୍‌ଣ ୪ଟାରୁ ଦର୍ଶନ, ରାତି ୧୧ଟାରେ ମଇଲମ

ପୁରୀ : ଚଳିତ ବର୍ଷ ହରିଶୟନ ଏକାଦଶୀ ବଦଳରେ ଶନିବାର ଗରୁଡ଼ ଶୟନ ଦ୍ବାଦଶୀରେ ଦୁର୍ଲଭ ସୁନାବେଶ(ବଡ଼ଚଢ଼ାଉ ବେଶ)ରେ ଦର୍ଶନ ଦେବେ ମହାପ୍ରଭୁ। ସର୍ବଦା ରତ୍ନବେଦୀରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ରତ୍ନଖଚିତ ଦୁଇ ଶହ କିଲୋଗ୍ରାମରୁ ଅଧିକ ଓଜନର ସୁନା, ରୁପା ଆଦି ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ରଥ ଉପରୁ ଦର୍ଶନ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବାବେଳେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାତକ ନୟନରେ ଚାହିଁ ବସିଛନ୍ତି।

ଚଳିତବର୍ଷ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅପରା୍ହଣ ୪ଟାରେ ତିନି ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ ନେଇ ନୀତି ନିର୍ଘଣ୍ଟ ହୋଇଛି। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୧ଟାରେ ସୁନାବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ସହ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ସେପଟେ ଭକ୍ତଙ୍କୁ ଦେଖି ଦର୍ଶନ ସମୟ ବି ବୃଦ୍ଧି କରାଯାଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଆସନ୍ତାକାଲିର ଏହି ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଶେଷ ହେବ। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍‌ଣ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୧ଟାରୁ ୧୨ଟା ସକାଳ ଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ମଇଲମ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍‌ଣ ୨ଟାରୁ ୩ଟାରେ ମଧ୍ୟାହ୍ନ ଧୂପ, ଅପରାହ୍‌ଣ ସାଢ଼େ ୩ଟାରେ ମଇଲମ, ଅପରାହ୍‌ଣ ୪ଟାରେ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହେବ। ଅପରାହ୍‌ଣ ୪ଟାରୁ ୫ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବା ପରେ ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ। ରାତି ୮ଟାରୁ ୯ଟା ସଂଧ୍ୟା ଧୂପ, ରାତି ୧୧ଟାରୁ ୧୨ଟା ସୁନାବେଶ ମଇଲମ, ସାଢ଼େ ୧୨ଟାରେ ଚନ୍ଦନଲାଗି, ରାତି ଗୋଟାଏରେ ବଡସିଂହାର ବେଶ, ସାଢ଼େ ଗୋଟାଏରେ ବଡ଼ସିଂହାର ଭୋଗ, ରାତି ୨ଟାରେ ଗରୁଡ଼ ଶୟନ ନୀତି ହୋଇ ପହୁଡ଼ ହେବ।

ଶନିବାର ସୁନାବେଶ ଶେଷ ପରେ ଆସନ୍ତା ୧୪ତାରିଖରେ ଅଧରପଣା ନୀତି, ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହୋଇଆସୁଛି। କିନ୍ତୁ ଏହାକୁ ସମସ୍ତେ ଦେଖିବାର ସୁଯୋଗ ପାଉନାହାନ୍ତି। ଏଣୁ ବାହୁଡ଼ା ପରଦିନ ଏକାଦଶୀ ତିଥିରେ ଏହି ସୁନାବେଶରେ ରଥ ଉପରେ ଦର୍ଶନ ଦେବା ପାଇଁ ତତ୍କାଳୀନ ତଢ଼ାଉକରଣ ଅନୁରୋଧ କରିଥିଲେ। ସେବେଠାରୁ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇଆସୁଛି। କିନ୍ତୁ ଚଳିତ ବର୍ଷ ଏକାଦଶୀରେ ବାହୁଡ଼ା ଯାତ୍ରା ଓ ସୁନାବେଶ ପଡ଼ୁଥିବାରୁ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଶୁକ୍ରବାର ବାହୁଡ଼ା ଯାତ୍ରା ‌ଶେଷ ପରେ ଶନିବାର ଦ୍ବାଦଶୀ ତିଥିରେ ସୁନାବେଶ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର