ସୁନ୍ଦରଗଡ଼ର ସବୁ ବ୍ଲକ୍‌ରେ ପଡ଼ିବ ଆଷ୍ଟ୍ରୋଟର୍ଫ: ମୁଖ୍ୟମନ୍ତ୍ରୀ

ରାଉରକେଲା : ବିଶ୍ବକପ୍‌ର ଅବ୍ୟବହିତ ପୂର୍ବରୁ ଭାରତୀୟ ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାକୁ ମିଳିଛି ବଡ଼ ଉପହାର। ଖୁବ୍ ଶୀଘ୍ର ଏହି ଆଦିବାସୀ ଅଧ୍ୟୁସିତ ଜିଲ୍ଲାର ପ୍ରତି ବ୍ଲକରେ ବିଛାଯିବ ଆଷ୍ଟ୍ରୋଟର୍ଫ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଓଡ଼ିଶା-ନ୍ୟୁ ସାଉଥ୍‌ ୱେଲ୍‌ସ ବଂଧୁତ୍ବପୂର୍ଣ୍ଣ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ଅବସରରେ ଏଭଳି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହକି ଜଗତକୁ ସୁନ୍ଦରଗଡ଼ର ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, କ୍ରୀଡ଼ାର ବିକାଶ, ବିଶେଷକରି ହକିର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟାରତ। ଭୁବନେଶ୍ବରରେ ‘ହକିର ହାଇ ପର୍‌ଫର୍ମାନ୍ସ ସେଣ୍ଟର୍‌’ ଖୋଲାଯିବ। ସୁନ୍ଦରଗଡ଼ର ଖେଳାଳିମାନେ ଭାରତ ତଥା ବିଶ୍ବରେ ନିଜର ଛାପ ଛାଡ଼ିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଷ୍ଟ୍ରୋଟର୍ଫ‌୍ ପଡ଼ିଆ ତିଆରି ହେବ। ଏତଦ୍‌ବ୍ୟତୀତ ରାଉରକେଲାରେ ହକି ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ହକିକୁ ରାଷ୍ଟ୍ରୀୟ ଖେଳର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର