ସୁନ୍ଦରଗଡ଼ରେ ପୁଣି ଲଜ୍ଜା, ବାପ ଛେଉଣ୍ଡ ନାବାଳିକାକୁ ରାୟଗଡ଼ରେ ବିକ୍ରି
ସୁନ୍ଦରଗଡ଼: ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା ପାଇଁ ପୁଣି ଲଜ୍ଜା। ଅଧିକ ପାରିଶ୍ରମିକ ଲୋଭରେ ଚାଲାଣ ହୋଇଥିବା ଜଣେ ବାପ ଛେଉଣ୍ଡ ନାବାଳିକା ରଞ୍ଜୁ (ଛଦ୍ମନାମ)କୁ ଛତିଶଗଡ଼ର ରାୟଗଡ଼ରେ ବିକ୍ରି କରି ଦିଆ ଯାଇଛି। ଏମିତି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ସାଲେପାଲି ପଞ୍ଚାୟତ ମାନମୁଣ୍ଡାରୁ। ରଞ୍ଜୁଙ୍କ ବିଧବା ମା’ ଥାନାରେ ଏତଲା ଦେଇ ଝିଅକୁ ଖୋଜି ଆଣିବାକୁ ଗୁହାରି କରିଥିଲେ ବି ପୁଲିସ ନିରବ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଦ୍ଧା ମା’ଙ୍କ ଅଭିଯୋଗ ଅନୁସାରେ, ୧୫ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ପରେ ଦୁଇ ଝିଅ ରଞ୍ଜୁ, ମତି ଓ ଗୋଟିଏ ପୁଅ ସୁଶୀଳ (ସବୁଯାକ ଛଦ୍ମନାମ)ଙ୍କ ବୋଝ ତାଙ୍କ ଉପରେ ପଡ଼ିଥିଲା। କେନ୍ଦୁପତ୍ର ତୋଳି, ମହୁଲ, ଟୋଲ ଓ ଜଙ୍ଗଲି ଛତୁ ସଂଗ୍ରହ ସହ କୁଲି କରି ଜୀବନ ଜିଉଁଥିଲେ। ଅଭାବ ସତ୍ତ୍ବେ ତାଙ୍କ ଝିଅ ରଞ୍ଜୁକୁ କର୍ଲାଘାଟି ବିଦ୍ୟାଳୟରେ ପଢ଼ାଉଥିଲେ। ନବମ ପଢ଼ିଲା ବେଳକୁ ମା’ଙ୍କୁ ସହାୟତା କରିବାକୁ ରଞ୍ଜୁ ପାଠ ଛାଡ଼ି ଜଙ୍ଗଲ ମୁହାଁ ହୋଇଥିଲା। ଗତ ମାର୍ଚ୍ଚ ମାସରେ ବଡ଼ଗାଁକୁ ଯାତ୍ରା ଦେଖି ଯାଇଥିବା ରଞ୍ଜୁ ଘରକୁ ଫେରିଲା ବେଳେ ବଫେଡିହି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ଅଭାବ ସତ୍ତ୍ବେ ବିଧବା ମା’ ମାଗିଯାଚି ବୁର୍ଲା ନେଇ ଚିକିତ୍ସା କରାଇଥିଲେ। ଠିକ୍ ଭାବେ ଚଲାବୁଲା କରୁ ନ ଥିଲେ ବି କାମକୁ ଯାଉଥିଲା ରଞ୍ଜୁ। ଠିକ୍ ଏହି ସମୟରେ ଗତ ଜୁନ୍ ୫ରେ ଧବଲାଖମନର ଦଲାଲ ଯୁଗଳ ଓରାମ ଓ ଇତିମାର ସବିତା ଖଡ଼ିଆ ତାଙ୍କ ଘରକୁ ଆସି ଝିଅକୁ ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ପ୍ରବର୍ତ୍ତାଇ ଥିଲେ। ଅଗରବତି କାରଖାନାରେ କାମ କଷଳ ଦୈନିକ ୪ ଶହ ଟଙ୍କା ମଜୁରି ସହ ଖାଇବା, ରହିବା ମାଗଣା ବୋଲି ଲୋଭ ଦେଖାଇଲେ। ରଞ୍ଜୁ ମଧ୍ୟ ନିଜ ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ଅର୍ଥ ଦରକାର ଥିବାରୁ ଯିବାକୁ ରାଜି ହୋଇଥିଲା। ଏହା ପରେ ସଞ୍ଜୁ ଓ ମନୋଜ ସହ ରଞ୍ଜୁଙ୍କୁ ଯୁଗଳ ଛତିଶଗଡ଼ ରାୟଗଡ଼ର କଟ୍ନିକୁ ନେଇ ଯାଇଥିଲେ। ୧୫ ଦିନ ପରେ ସଞ୍ଜୁ ଓ ମନୋଜ ଗାଁକୁ ଫେରି ଆସିବା ସହ ରଞ୍ଜୁଙ୍କ ବିଧବା ମା’ଙ୍କୁ ଭେଟି ‘ତୁମ ଝିଅକୁ ଯୁଗଳ କଟ୍ନିରେ ବିକ୍ରି କରି ଦେଇଛି, ତୁରନ୍ତ ପୁଲିସରେ ଅଭିଯୋଗ କରି ଝିଅକୁ ଉଦ୍ଧାର କର’ କହିଥିଲେ। ଏହା ପରେ ବିଧବା ମା’ ତୁରନ୍ତ ଧବଲାଖମନ ଯାଇ ଯୁଗଳ ଓ ଇତିମାରେ ସବିତାକୁ ଖୋଜିଥିଲେ ବି ସେମାନେ ଧରାଛୁଆଁ ଦେଇ ନଥିଲେ। ଏହା ପରେ ଗତ ଜୁନ୍ ୨୭ରେ ଧରୁଆଡିହି ଥାନା ଯାଇ ଏତଲା ଦେଇଥିଲେ ବିଧବା ମା’। ଇତିମଧ୍ୟରେ ୧୦ ଦିନ ବିତିଗଲାଣି। ମାତ୍ର ପୁଲିସ ଦଲାଲ ଯୁଗଳ ଓ ସବିତାକୁ ଡାକି ପଚରାଉଚରା କରିବା କି ଝିଅକୁ ଖୋଜିବା ଦୂରେ ଥାଉ, ଏଯାଏ ମାମଲା ରୁଜୁ କରିନାହିଁ। ଆରକ୍ଷୀ ଅଧୀକ୍ଷକ ଏମିତି ଏକ ସ୍ପର୍ଶକାତର ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।