ସୁନ୍ଦରଗଡ଼: ଖଜୁରି ତାଡ଼ି ପିଇ ପାଞ୍ଚ ଜଣ ଅସୁସ୍ଥ

ସୁନ୍ଦରଗଡ଼: ବଣାଇ ଉପଖଣ୍ଡ ଅନ୍ତର୍ଗତ ସତାକୁଟା ଗାଁ’ରେ ଖଜୁରି ତାଡ଼ି ପିଇବା ପରେ ଜଣେ ସ୍କୁଲ୍‌ ପିଲା ସମେତ ୫ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି।

ଅସୁସ୍ଥ ବ୍ୟକ୍ତିମାନେ ହେଲେ ସୋନୁ ମୁଣ୍ଡା, ଦିବାକର ମୁଣ୍ଡା, ଏକାଦଶୀ ମୁଣ୍ଡା, ସଚିନ ସାହୁ ଓ ଆଶିଷ କଲୋ।

ସୋମବାର ସନ୍ଧ୍ୟାରେ ସାତକୁଟା ଗାଁ’ର କିଛି ଲୋକ ରସ ସଂଗ୍ରହ କରିବାକୁ କେତୋଟି ଖଜୁରିଗଛରେ ଠେକି ବସାଇଥିଲେ। ମଙ୍ଗଳବାର ସକାଳେ ସଂଗୃହୀତ ରସକୁ ଠେକିରୁ କାଢ଼ି ଆଣି ରଖିଦେଇଥିଲେ। ଅପରାହ୍ଣ ୪ଟା ପରେ ସେମାନେ ଉକ୍ତ ତାଡ଼ିକୁ ପିଇବାର ଅଳ୍ପ ସମୟ ପରେ ବାନ୍ତିଉଛାଳ କରିଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ସେମାନଙ୍କୁ ବଣାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ଆଶୁ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣାଯାଇଥିଲା।

ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମେ ସ୍ୱାଭାବିକ ହୋଇ ଆସୁଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

୧୦ ବର୍ଷ ହେବ ସେ ଅଞ୍ଚଳରେ ଖଜୁରି ତାଡ଼ି ସଂଗ୍ରହକୁ ସରକାର ସମ୍ପୂର୍ଣ୍ଣ ନିଷିଦ୍ଧ କରିଥିଲେ ବି ସ୍ଥାନୀୟ ଲୋକେ ବେଆଇନ୍‌ ଭାବେ ଖଜୁରି ରସ ସଂଗ୍ରହ କରି ଅଭାବନୀୟ ଘଟନା ସୃଷ୍ଟି କରୁଥିବା ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର