୧ରୁ ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ୍, ଅଂଶୁଘାତ ରୋଗୀଙ୍କ ପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା

ନିର୍ଦ୍ଦିଷ୍ଟ ସ୍ଥାନରେ ଓଆରଏସ୍ କର୍ଣ୍ଣର ଓ ଜଳଛତ୍ର

0

ଭୁବନେଶ୍ବର: ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ଅଂଶୁଘାତର ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ। ଅଂଶୁଘାତ ପାଇଁ ଆସନ୍ତା ମାସ ୧ ତାରିଖରୁ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍‌ରେ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତା ଜୁନ୍ ୧୫ ତାରିଖ ପାଇଁ କାର୍ଯ୍ୟ କରିବ। ଏହାସହ ସମସ୍ତ ହସ୍ପିଟାଲଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଓ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଅଂଶୁଘାତର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଓଆରଏସ୍‌ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ଭାବେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଓଆରଏସ୍‌ କର୍ଣ୍ଣର ଓ ଜଳଛତ୍ର ଖୋଲା ଯାଇଛି। ରାଜ୍ୟରେ ଅଂଶୁଘାତର ମୁକାବିଲା ନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ଏହାର ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜ୍ୟ/ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନୋଡାଲ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ତୃଣମୂଳସ୍ତରରେ ଏହାର ତଦାରଖ କରିବେ। ଏହାସହ ଅଂଶୁଘାତଠାରୁ ଲୋକମାନେ କିଭଳି ନିଜକୁ ରକ୍ଷା କରିବେ, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ସହ ରେଡିଓରେ ଏହି ବାର୍ତା ପ୍ରଦାନ କରାଯିବ। ଅଂଶୁଘାତର ମୁକାବିଲା ପାଇଁ କ’ଣ କରିବାକୁ ହେବ ଓ କ’ଣ କରିବେ ନାହିଁ ତାହାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଏସ୍‌ଆଇଏଚ୍‌ଏଫ୍‌ଡବ୍ଲୁର ନିର୍ଦେଶକଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ସମସ୍ତ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଓ ଅଣ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରୁ ନିୟମିତ ଭାବେ ଅଂଶୁଘାତଜନିତ ରିପୋର୍ଟିଂ କରିବା ସହ ଅଂଶୁଘାତ ଜନିତ ମୃତ୍ୟୁର ତଦନ୍ତ ରାଜସ୍ବ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଏହାର ତଦନ୍ତ କରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.