ଉପକୂଳକୁ ଅଂଶୁଘାତ ଡର

ଭୁବନେଶ୍ୱର: ତାତିଲା ସାରା ରାଜ୍ୟ। ଉପକୂଳରୁ ପଶ୍ଚିମ ଅଥବା ଦକ୍ଷିଣରୁ ଉତ୍ତର ଓଡ଼ିଶା, ସବୁଠି ଆଜି ପୂର୍ବାହ୍ନରୁ ଦେଖିବାକୁ ମିଳିଥିଲା ଡହ ଡହ ଖରା। ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଥିଲା। ଅପରାହ୍ନ ପର୍ଯ୍ୟନ୍ତ ତାତିରେ ଲୋକେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଆସନ୍ତାକାଲି(ବୁଧବାର) ଉପକୂଳ ଓଡ଼ିଶାର ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଜ୍ଞାନୀମାନେ ଡ଼ରାଇଛନ୍ତି। ଏପରିକି ତାପମାତ୍ରା ୪୦ ଡିଗ୍ରି ଛୁଇଁଯିବା ବିଚିତ୍ର ନୁହେଁ ବୋଲି ଆକଳନ କରାଯାଇଛି। କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ, ତାଳଚେର, ଚାନ୍ଦବାଲି, ବାରିପଦାରେ ଅସହ୍ୟ ତାତି ଅନୁଭୂତ ହେବ। କେତେକ ସ୍ଥାନରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଉପକୂଳ ଓଡ଼ିଶା ଲାଗି ଅଂଶୁଘାତ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ଆକଳନ କହୁଛି, ପଶ୍ଚିମ ଦିଗରୁ ପବନ ହେଉଥିବାରୁ ଉପକୂଳ ଓଡ଼ିଶାର ତାପମାତ୍ରା ବଢ଼ିଛି।

ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର, ତାଳଚେର ଉତ୍ତପ୍ତ ସହର
୧୨ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ

ଭୁବନେଶ୍ୱର ସମେତ କଟକ, ଚାନ୍ଦବାଲି, ବାରିପଦା, ଅନୁଗୁଳ, ଢ଼େଙ୍କାନାଳ ଅଞ୍ଚଳରେ ତାପମାତ୍ରା ୩୭ ଡିଗ୍ରି ଉପରେ ରହୁଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପବନର ବେଗ କମିଯାଉଥିବାରୁ ତାତି ବଢ଼ିଛି। ବୁଧବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରହିପାରେ। ଖରା ସହ ଗୁଳୁଗୁଳି ହେବାର ବି ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ଲାଗି ହିଟ୍‌ େଓ୍ଵଭ୍‌ ସତର୍କ ସୂଚନା ଜାରି କରାଯାଇଛି। ୧୫ ତାରିଖଠାରୁ ତାତି ପୁଣିଥରେ ସ୍ୱାଭାବିକ୍‌ ସ୍ଥିତିକୁ ଫେରିବ। ୧୮ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସହ କାଳବୈଶାଖୀର ଆଶଙ୍କା ରହିଛି। ଅପରାହ୍ନ ସମୟରେ ଘଣ୍ଟା ପ୍ର୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ। ଅନ୍ୟପକ୍ଷରେ ଭୁବନେଶ୍ୱର ଓ ତାଳଚେର ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏହି ଦୁଇ ସହରରେ ତାପମାତ୍ରା ୩୯.୨ ଡିଗ୍ରି ରହିଥିଲା। ଗତକାଲି ଅପେକ୍ଷା ଭୁବନେଶ୍ୱରର ତାପମାତ୍ରା ୩.୬ ଡିଗ୍ରି ବଢ଼ିଛି। ଅନ୍ୟ ସହରଗୁଡ଼ିକ ତାପମାତ୍ରାରେ ବି ବୃଦ୍ଧି ଘଟିଛି। ୧୮ଟି ସହର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ୧୨ଟି ସହରର ତାପମାତ୍ରା ୩୮ ଡିଗ୍ରି ପାର ହୋଇଛି। ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ୩୯ ଡିଗ୍ରି ଛୁଇଁଛି। ଏହାବ୍ୟତୀତ ସୋନପୁରରେ ୩୮.୮, ଅନୁଗୁଳରେ ୩୮.୭, ସମ୍ବଲପୁରରେ ୩୮.୫, ହୀରାକୁଦ ଓ ଝାରସୁଗୁଡ଼ାରେ ୩୮.୩, ବଲାଙ୍ଗିରରେ ୩୮.୨, ଢ଼େଙ୍କାନାଳ, ଚାନ୍ଦବାଲି ଓ ବାରିପଦାରେ ୩୮ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର