ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି : ସପ୍ଲିମେଣ୍ଟାରିରେ ୨୭ହଜାର ୬୧୬ ପରୀକ୍ଷାର୍ଥୀ, ୧୨୨ କେନ୍ଦ୍ର

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୮ତାରିଖରୁ ଉଭୟ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଦ୍ବିତୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହେବ। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି। ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷା ସକାଳ ୧୧ଟା ୪୫ ମିନିଟ୍‌ରେ ଶେଷ ହେବ। ପାର୍ଟ-୧(ଅବ୍‌ଜେକ୍ଟିଭ୍‌)ର ଓଏମ୍‌ଆର‌୍‌ ଉତ୍ତରଫର୍ଦ୍ଦ ସକାଳ ୮ଟା ୩୦ରେ ପରୀକ୍ଷାର୍ଥୀଙ୍କୁ ବଣ୍ଟନ କରାଯିବ ଓ ଏହି ପରୀକ୍ଷା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ(ଅବ୍‌ଜେକ୍ଟିଭ) ପରୀକ୍ଷା ସକାଳ ୯ଟାରୁ ୧୦ଟା ୧୫ପର୍ଯ୍ୟନ୍ତ ଚାଲିବ। ସେହିପରି ପାର୍ଟ-୨(ସବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୧୦ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୪ରେ ଓ ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୬ତାରିଖରେ ଶେଷ ହେବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି। ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ସପ୍ଲିମେଣ୍ଟାରି ପରୀକ୍ଷା ସମେତ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ସଂପର୍କୀୟ ସମସ୍ତ ସୂଚନା ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୨୭ହଜାର ୬୧୬ଜଣ ଫର୍ମପୂରଣ କରିଥିବା ବେ‌ଳେ ଏଥି ପାଇଁ ୧୨୨ଟି କେନ୍ଦ୍ର ସ୍ଥିର ହୋଇଛି। ସେହିପରି ଷ୍ଟେଟ୍ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୯ହଜାର ୩୩ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୫୫ଟି କେନ୍ଦ୍ର ସ୍ଥିର ‌ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର