ଓଡ଼ିଶାରେ କମିବା ବଦଳରେ ବଢ଼ିଛି

ପ୍ରତିବର୍ଷ ୫୦% ଦୁଘର୍ଟଣା ହ୍ରାସ କର: ସୁପ୍ରିମ କୋର୍ଟ

ଏଣିକି ମୁଖ୍ୟ ରାସ୍ତାରେ ଲାଗିବ ‘ସ୍ପିଡ୍‌ ଲିମିଟ୍‌’
ଦୁଘର୍ଟଣାସ୍ଥଳୀକୁ ଯିବେ ତିନି ବିଭାଗର ମିଳିତ ଟିମ୍‌

ଭୁବନେଶ୍ୱର : ପ୍ରତିବର୍ଷ ପ୍ରତି ରାଜ୍ୟ ୫୦ ପ୍ରତିଶତ ଦୁଘର୍ଟଣା ହ୍ରାସ କରିବାକୁ ନିର୍ଦେଶ ଦେଇଛନ୍ତିି ସୁପ୍ରିମ କୋର୍ଟଙ୍କ ଉଚ୍ଚକ୍ଷମତା ସଂପନ୍ନ କମିଟି। ୨୦୨୦ ସୁଦ୍ଧା କଡ଼ାକଡ଼ି ଭାବେ ଏହି ନିର୍ଦେଶକୁ ପାଳନ କରାଯିବ। ଏହାକୁ ଅନେକ ରାଜ୍ୟ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଓଡ଼ିଶାରେ ଦୁଘର୍ଟଣା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଗତ ୯ ମାସରେ ଦୁଘର୍ଟଣା ଜନିତ ମୃତ୍ୟୁ ସଂଖ୍ୟା ୧୮୯ ଅଧିକ ହୋଇଛି। ଏ ନେଇ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ିଛି। ଏହାର କାରଣ ନିରାକରଣ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତିି।

ଆଜି ସଚିବାଳୟରେ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପରିବହନ କମିସନର ମଧୁସୂଦନ ପାଢ଼ୀ, ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ବିଭିନ୍ନ ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସୂଚନାନୁସାରେ ୨୦୧୬ରେ ରାଜ୍ୟରେ ସଡ଼କ ଦୁଘର୍ଟଣା ଜନିତ ମୃତ୍ୟୁ ସଂଖ୍ୟା ୩୩୦୦ ଥିଲା। ଗତ ୯ ମାସରେ ଏହା ସହିତ ଅଧିକ ୧୮୯ଟି ଦୁଘର୍ଟଣା ଘଟିଛି। ରାଜ୍ୟରେ ଦୁଘର୍ଟଣା ଜନିତ ମୃତ୍ୟୁ ହାର ୪୨ ପ୍ରତିଶତ। ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ବଦଳରେ ବଢ଼ୁଥିବାରୁ ଏହା ବିହାର, ଉତ୍ତର ପ୍ରଦେଶ ସହିତ ସମକକ୍ଷ ହେବାକୁ ବସିଲାଣି। ବିଶେଷ କରି ରାଜ୍ୟର କଟକ, ଖୋର୍ଧା, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ବଲାଙ୍ଗୀର ଆଦି ୧୧ଟି ଜିଲ୍ଲାରେ ଅଧିକ ଦୁଘର୍ଟଣା ଘଟୁଛି।

ରାଜ୍ୟରେ ଦୁଘର୍ଟଣା ହାର ହ୍ରାସ କରିବା ନେଇ ବୈଠକରେ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିମଧ୍ୟରୁ ପ୍ରତି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାଗୁଡ଼ିକରେ ‘ସ୍ପିଡ୍‌ ଲିମିଟ୍‌’ ବସାଯିବ। ସ୍ପିଡ୍‌ ଇଣ୍ଟରସେପ୍ଟର ଲଗାଇ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବା ଚାଳକମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ପରିବହନ କମିସନର ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତିି। ସେହିପରି ଦୁଘର୍ଟଣାସ୍ଥଳୀକୁ ପୁଲିସ, ଆରଟିଓ, ରାସ୍ତା ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନଙ୍କ ଏକ ମିଳିତ ଟିମ୍‌ ଗସ୍ତ କରି ଦୁଘର୍ଟଣାର କାରଣ ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମୀକ୍ଷା ବୈଠକରେ ସଡ଼କ ଦୁଘର୍ଟଣା ସହିତ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପରେ ବିସ୍ଥାପିତ ପରିବାରଙ୍କ ଥଇଥାନ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ନିମନ୍ତେ ଅନ୍‌ଲାଇନ ଯୋଗେ ପଞ୍ଜୀକରଣ, ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ, ଧାନ ସଂଗ୍ରହ, ରବି ଚାଷ କିଟ୍‌ ଆଦି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର