ସୂରଜ୍‌ ଏଣ୍ଟରପ୍ରାଇଜେସ୍‌ ଠିକାସଂସ୍ଥା କଳାତାଲିକାଭୁକ୍ତ

ଜୀରା ସେତୁ ଭୁଶୁଡ଼ିବା ଘଟଣା

ଜାଲ୍‌ ଟର୍ମ ଡିପୋଜିଟ୍‌ ରିସିପ୍ଟସ୍‌ ବା ଟିଡିଆର ଦେଇ କୋଟି କୋଟି ଟଙ୍କାର ଠିକାକାର୍ଯ୍ୟ ହାତେଇଥିବା ଠିକାଫାର୍ମ ସୂରଜ୍‌ ଏଣ୍ଟରପ୍ରାଇଜେସ୍‌କୁ କଳାତାଲିକାଭୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ ଓପିଡବ୍ଲ୍ୟୁଡି କଣ୍ଟ୍ରାକ୍ଟର୍‌ସ ରେଜିଷ୍ଟ୍ରେସନ୍‌ ରୁଲ୍‌ସ, ୧୯୬୭ର ରୁଲ୍‌ସ-୪ ମୁତାବକ ସଂପୃକ୍ତ ଠିକାସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ମୁଖ୍ୟ ଯନ୍ତ୍ରୀଙ୍କୁ ସେ ନିର୍ଦେଶ ଦେଇଛନ୍ତିି।

ଭୁବନେଶ୍ୱର : ଜାଲ୍‌ ଟର୍ମ ଡିପୋଜିଟ୍‌ ରିସିପ୍ଟସ୍‌ ବା ଟିଡିଆର ଦେଇ କୋଟି କୋଟି ଟଙ୍କାର ଠିକାକାର୍ଯ୍ୟ ହାତେଇଥିବା ଠିକାଫାର୍ମ ସୂରଜ୍‌ ଏଣ୍ଟରପ୍ରାଇଜେସ୍‌କୁ କଳାତାଲିକାଭୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଯନ୍ତ୍ରୀ(ଡିପିଆଇ ଆଣ୍ଡ ରୋଡ୍‌ସ)ଙ୍କୁ ଆଜି ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ନିର୍ଦେଶ ଦେଇଛନ୍ତିି। ଠିକାସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲ୍‌ ଓ ତାଙ୍କ ପୁତ୍ର ବଣ୍ଟିଙ୍କ ମାଲିକାନାରେ ଗଠିତ ଏହି ଠିକାଫାର୍ମ ପକ୍ଷରୁ ବରଗଡ଼ ଜିଲ୍ଲାର ଜୀରା ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେତେବେଳେ ଏହି ସେତୁର ଗୋଟିଏ ସ୍ଲାବ୍‌ ଭୁଶୁଡ଼ିପଡ଼ି ୫ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ସେତୁ ଭୁଶୁଡ଼ିବା ଘଟଣାରେ ବହୁ ସାଂଘାତିକ କାରବାର ପଦାକୁ ଆସିଛି।

ପୂର୍ତ୍ତ ବିଭାଗ ସଚିବ ଶ୍ରୀ ପ୍ରଧାନ ମୁଖ୍ୟ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଟେଣ୍ଡର ଜରିଆରେ ସରକାରୀ କାର୍ଯ୍ୟ ହାତେଇବା ପାଇଁ ମିଥ୍ୟା, ଜାଲ୍‌ କାଗଜପତ୍ର ଦାଖଲ କରିଥିବା ସୂରଜ୍‌ ଏଣ୍ଟରପ୍ରାଇଜେସ୍‌କୁ କଳାତାଲିକାଭୁକ୍ତ କରିବାକୁ ସରକାର ମଞ୍ଜୁରି ଦେଇଛନ୍ତି। ଏଣୁ ଓପିଡବ୍ଲ୍ୟୁଡି କଣ୍ଟ୍ରାକ୍ଟର୍‌ସ ରେଜିଷ୍ଟ୍ରେସନ୍‌ ରୁଲ୍‌ସ, ୧୯୬୭ର ରୁଲ୍‌ସ-୪ ମୁତାବକ ସଂପୃକ୍ତ ଠିକାସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ମୁଖ୍ୟ ଯନ୍ତ୍ରୀଙ୍କୁ ସେ ନିର୍ଦେଶ ଦେଇଛନ୍ତିି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ସଚିବ କହିଛନ୍ତିି ଯେ କଳାତାଲିକାଭୁକ୍ତ ହେବା ପରେ ସଂପୃକ୍ତ ଠିକାସଂସ୍ଥାକୁ ଆଉ ଠିକା କାମ ଦିଆଯିବନାହିଁ।

ବାପ-ପୁଅଙ୍କ ଠିକାସଂସ୍ଥା ସୂରଜ୍‌ ଏଣ୍ଟରପ୍ରାଇଜେସ୍‌ ଜାଲ୍‌ କାଗଜପତ୍ର ଜରିଆରେ ୧୦ରୁ ୧୨ କୋଟି ଟଙ୍କାର ଜାଲିଆତି କରିଥିବା ଦର୍ଶାଯାଇଛି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅଗ୍ରଓ୍ଵାଲ୍‌ ବାପ-ପୁଅ ଜାଲିଆତି କରିଥିବା ସ୍ପଷ୍ଟ ହୋଇଛି। ଜାଲ୍‌ ଟିଡିଆର ଦାଖଲ କରିଥିବା ନେଇ ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ ଭବାନୀପାଟଣାରେ ପୁଅ ବଣ୍ଟି ଓ ତାଙ୍କ ପତ୍ନୀ ସବିତାଙ୍କ ବିରୋଧରେ ମାମଲା ବି ଦାଏର ହୋଇଛି। ବିଭାଗୀୟ ସୂଚନା ଅନୁଯାୟୀ ସୂରଜ୍‌ ଏଣ୍ଟରପ୍ରାଇଜେସ୍‌ ୩୧ଟି ଟିଡିଆର ଦେଇ ଟେଣ୍ଡର ହାତେଇଥିଲେ। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭବାନୀପାଟଣା ଥାନାରେ ମାମଲା ରୁଜୁ ହୋଇଛି। ସେହିପରି ଜାଲ୍‌ ଟିଡିଆର ଜରିଆରେ ଠିକାସଂସ୍ଥା କଳାହାଣ୍ଡି ଜିଲ୍ଲାରେ ଟେଣ୍ଡର ହାତେଇଥିବା କୁହାଯାଇଛି। ଏ ନେଇ ପିଡବ୍ଲ୍ୟୁଡିକୁ ଦିଆଯାଇଥିବା ଟିଡିଆରଗୁଡ଼ିକ ଯାଞ୍ଚ ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଭବାନୀପାଟଣା ଶାଖାକୁ ପଠାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଟିଡିଆର ଜାଲ୍‌ କିମ୍ବା କ୍ଲୋଜ୍‌ଡ ବୋଲି ବ୍ୟାଙ୍କ ଦର୍ଶାଇଥିଲା। ଏହି ସୂଚନା ଭିତ୍ତିରେ ଗତ ୯ ତାରିଖରେ ପୂର୍ତ୍ତ ବିଭାଗ ପକ୍ଷରୁ ପୁଲିସ ଥାନାରେ ମାମଲା ଦାଏର କରିଛି। ମାମଲାରେ ଟେଣ୍ଡର ହାତେଇବା ନିମନ୍ତେ ବିଭିନ୍ନ ସମୟରେ ସୂରଜ୍‌ ଏଣ୍ଟରପ୍ରାଇଜେସ୍‌ ୪୮ଟି ଟିଡିଆର ଦାଖଲ କରିଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର