ହସୁଛି ସୁରଟ, କାନ୍ଦୁଛି ଓଡ଼ିଆ: ୧୦ଲକ୍ଷ ଓଡ଼ିଆଙ୍କ ଦୁର୍ଦିନରେ ପୂର୍ଣ୍ଣଛେଦ କେବେ?

ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ ସବୁ କ୍ଷେତ୍ରରେ ଅବହେଳିତ, ଲୋକଙ୍କ ଦାବି ସ୍ଥାନୀୟ ସରକାରଙ୍କ ପାଖରେ ବି ଅପହଞ୍ଚ

ଭୁବନେଶ୍ୱର (ଭବାନୀ ଶଙ୍କର ତ୍ରିପାଠୀ): ଚିକ୍‌ ଚିକ୍‌ ମାରୁଛି ସୁରଟ ସହରର ରାସ୍ତାଘାଟ। ମଲ୍‌, ବଜାର ଚେହେରା ଆକର୍ଷଣୀୟ। ପରିଚ୍ଛନ୍ନତା, ଶୃଙ୍ଖଳା ଯେ କୌଣସି ବ୍ୟକ୍ତିକୁ ଅଭିଭୂତ କରିବ। ମାଳ ମାଳ ଶିଳ୍ପାନୁଷ୍ଠାନ ରାସ୍ତା କଡ଼ରେ ଛିଡା ହୋଇଛି। ନୀତିପ୍ରତି ଶହ ଶହ କୋଟି ଟଙ୍କାର କାରବାର ଚାଲିଛି। ସେ ବୟନ ଶିଳ୍ପ ହେଉ କି ହୀରା ବ୍ୟବସାୟ। ଖାଦ୍ୟ ପ୍ରକ୍ରିୟାକରଣ କିମ୍ବା ପର୍ଯ୍ୟଟନ। ସଫଳତା ବେଶ୍‌ ବାରି ହୋଇପଡୁଛି। ଏସବୁକୁ ନେଇ ଗୁଜରାଟର ସୁରଟ ସହର ହସୁଛି। ହେଲେ ଏହି ହସ ପଛର ମହାନାୟକ, ବିକଶିତ ଚେହେରା ପଛର ଅସଲ ବିନ୍ଧାଣୀଙ୍କ କାହାଣୀ କିନ୍ତୁ ଯନ୍ତ୍ରଣାଦାୟକ ଏବଂ ବିପର୍ଯ୍ୟସ୍ତ। ଏମାନଙ୍କ ମଧ୍ୟରେ ସର୍ବାଧିକ ଓଡ଼ିଶାର କୋଣ ଅନୁକୋଣର ମୁହଁ। କିଏ ଗଞ୍ଜାମରୁ ଯାଇଛି, ଆଉ କିଏ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡାରୁ। ପାଖାପାଖି ୧୦ଲକ୍ଷ ଲୋକ ବିଛାଡି ହୋଇରହିଛନ୍ତି ସୁରଟ ଓ ଆଖପାଖ ସହରରେ। ଏମାନଙ୍କ ମଧ୍ୟରୁ ୬ଲକ୍ଷ ଭୋଟର ଓଡ଼ିଶାରେ ଭୋଟ ଦିଅନ୍ତି। ଲକ୍ଷାଧିକ ଲୋକ ଗୁଜରାଟ ବାସିନ୍ଦା ହୋଇସାରିଲେଣି। ବେସରକାରୀ ତଥ୍ୟ ସୂଚାଉଛି, ସୁରଟ ଆଖାପାଖ ଅଞ୍ଚଳର ୩୫ଟି ପକେଟ୍‌ରେ ଓଡ଼ିଆ ରହୁଛନ୍ତି। ଏମାନଙ୍କ ଉପରେ ଗୁଜରାଟ ସରକାରଙ୍କର ଫୋକସ୍‌ ନାହିଁ। ସଂପୃକ୍ତ ସରକାରଙ୍କ ରାଜସ୍ୱ, ଲାଭ ଏବଂ ବିକାଶ ଏଜେଣ୍ଡାରେ ଏମାନଙ୍କ ଭାଗ ବହୁତ କମ୍‌। ସର୍ବନିମ୍ନ ମୌଳିକ ସୁବିଧା ଏଯାଏ ଉପଲବ୍ଧ ହୋଇପାରି ନାହିଁ। ଏଣେ ଓଡ଼ିଶା ବାହାରେ ଥିବାରୁ ଏଠାକାର ସରକାରଙ୍କ ପ୍ରମୁଖ ତାଲିକାରେ ଏହି ୧୦ଲକ୍ଷ ଲୋକଙ୍କର ବି ଭାଗ ରହୁନାହିଁ। ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ଝା଼ଡି ଦେଇଛନ୍ତି। ୨୦୧୩ ମସିହାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଖୋଲାଖୋଲି ସେମାନଙ୍କ ବିକାଶରେ ଓଡ଼ିଶାର ଅବଦାନ ସଂପର୍କରେ ମନ୍ତବ୍ୟ ରଖିଥିଲେ। ଗତ ୨ ତାରିଖ ଦିନ ସୁରଟ ଓଡ଼ିଆ ପର୍ବରେ ବର୍ତମାନର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓଡ଼ିଆଙ୍କ ଅବଦାନକୁ ସ୍ମରଣ କରିଥିଲେ, ସ୍ୱୀକୃତି ଦେଇଥିଲେ। ସେଦିନ ପୂର୍ବାହ୍ନରେ ଗୁଜରାଟ ଗୃହ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଓଡ଼ିଆଙ୍କ ଅବଦାନକୁ ଭୁରି ଭୁରି ପ୍ରଶଂସା କରିଥିଲେ। ତେବେ ସୁରଟରେ ବସବାସ କରୁଥିବା ଓଡ଼ିଆଙ୍କ ଶିକ୍ଷା କଥା କିଏ ବୁଝିବ? ସ୍ଥାନୀୟ ଅଧିବାସୀଙ୍କ ତଥ୍ୟ ଅନୁସାରେ, ସରକାରୀ ଓ ବେସରକାରୀ ମିଶି ସେଠାରେ ୨୫ଟି ଓଡ଼ିଆ ବିଦ୍ୟାଳୟ ରହିଛି। ଏ ମଧ୍ୟରୁ ୭ଟି ମହାନଗର ପାଳିକା ଓ ଗୋଟିଏ ଜିଲ୍ଲା ପଞ୍ଚାୟତ ଅଧୀନରେ ରହିଛି, ଅର୍ଥାତ୍‌ ସରକାରୀ। ବାକି ସବୁ ଘରୋଇ। ଏସବୁ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପରେ ପିଲାମାନେ ଓ଼ଡ଼ିଆ ପଢିବା ପାଇଁ ବ୍ୟବସ୍ଥା ନାହିଁ। ନବମ ଓ ଦଶମ ଶ୍ରେଣୀରେ ପିଲାମାନେ ପଢିବେ କେମିତି? ନିକଟରେ ଗୁଜରାଟ ସରକାର ସୁମନ କାର୍ଯ୍ୟକ୍ରମରେ ଗୋଟିଏ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢିବା ଲାଗି ବ୍ୟବସ୍ଥା କରିଥିବା କୁହାଯାଉଛି। ବାକି ଛାତ୍ରଛାତ୍ରୀ? ବିଜୁ ପଟ୍ଟନାୟକ ଓଡ଼ିଆ ହାଇସ୍କୁଲ ଓ ଜଗନ୍ନାଥ ସେବା ଟ୍ରଷ୍ଟ ଚଳାଇଥିବା ଦୁଇଟି ଓଡ଼ିଆ ହାଇସ୍କୁଲ ବି ସରକାର ଏଯାଏ ସ୍ୱୀକୃତି ଦେଉନାହାନ୍ତି।

Scoop.it

ଯାଯାବର ଭଳି ଜୀବନ ବିତାଉଛନ୍ତି ଓଡ଼ିଆ ଶ୍ରମିକ। ଛୋଟ ଘରଟିରେ ଚାରି ପାଞ୍ଚଜଣ ଶ୍ରମିକ ଏକାଠି ରହୁଛନ୍ତି। ବାରମ୍ବାର ଘର ବଦଳାଇବାକୁ ବି ପଡୁଛି। ଦିନକୁ ୧୨ ଘଣ୍ଟା କାମ କରିବାକୁ ଯାଉଛନ୍ତି। ଅଧିକ ରୋଜଗାର ପାଇଁ ଅନେକ ଓଭର ଟାଇମ୍‌ ବି କରୁଛନ୍ତି। ହେଲେ ସେଠାରେ ଶ୍ରମିକଙ୍କ ପାଇଁ ଆଇନ ଏମିତି ଯେ ନା ଇଏସ୍‌ଆଇ ସୁବିଧା ଅଛି, ନା ଇପିଏଫ୍‌। ଉଦ୍‌ବେଗଜନକ କଥା ହେଉଛି, ବୟନ କ୍ଷେତ୍ରରେ ପୂର୍ବରୁ ୪ଟି ମେସିନ୍‌ ଚଳାଉ ଥିବା ବେଳେ ଜଣେ ଶ୍ରମିକ ଯେତିକି ପଇସା ପାଉଥିଲେ, ଏବେ ସେମାନେ ୧୦ଟି ମେସିନ୍‌ ଚଳାଉଛନ୍ତି, ଅଥଚ ସେତିକି ପଇସା ପାଉଛନ୍ତି। ଛା଼ଡି ଆସିପାରୁନାହାନ୍ତି, ରହିବା ବି କଷ୍ଟସାଧ୍ୟ। ସେଠାରେ ବମ୍ବେ ଶ୍ରମ ଆଇନ ଚାଲିଛି। ସ୍ଥାନୀୟ ସରକାର ଏତେ ପ୍ରଶଂସା କରୁଥିଲେ ବି ଶ୍ରମିକଙ୍କ ପାଇଁ ସର୍ବନିମ୍ନ ସେବା ଉଦ୍ୟମ କରିନାହାନ୍ତି। ଓଡ଼ିଶା ସରକାରଙ୍କର ମଧ୍ୟ ଏଯାଏ ଗୁଜରାଟ ସରକାର ଉପରେ ଚାପ ପକାଇନାହାନ୍ତି। ଓଡ଼ିଶାରେ ଶ୍ରମିକଙ୍କୁ ମିଳୁଥିବା ସୁବିଧାରେ ଏମାନଙ୍କ ସ୍ଥାନ ନାହିଁ। ସରକାର ଯୋଡିନାହାନ୍ତି। ଗୁଜରାଟ ସରକାରଙ୍କ ମା’ ଅମୃତମ୍‌ କାର୍ଡରେ ବି ସ୍ଥାନୀୟ ଶ୍ରମିକଙ୍କ ଭାଗ ନାହିଁ, ଅନେକ ଏଭଳି ଯୋଜନା ସଂପର୍କରେ ଜାଣନ୍ତି ନାହିଁ। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିବ। କାରଣ, ପୁଅ ପାଖକୁ ଯାଉଥିବା ବୁଢା ବାପାକୁ ସେଠାରେ ଏହି କାର୍ଡରେ ସୁବିଧା ମିଳିବ ନାହିଁ। ଏଭଳିସ୍ଥଳେ, ରାଜ୍ୟ ସରକାର ଏ ଯୋଜନାକୁ ପରିବର୍ଧିତ ନ କରନ୍ତି, ତେବେ ସେମାନଙ୍କ ଜୀବନ ଦୁର୍ବିସହ ହୋଇଯିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ସ୍ଥାନୀୟ ମଜୁରା ବିଧାୟକ ହର୍ଷ ସାଙ୍ଗଭି ‘ସମ୍ବାଦ’କୁ କହିଛନ୍ତି ଯେ ଓଡ଼ିଆଙ୍କ ଭଲପାଇବା ତାଙ୍କ ସହିତ ରହିଛି। ସମସ୍ତେ ତାଙ୍କୁ ଭୋଟ ଦିଅନ୍ତି। କାରଣ ହେଉଛି, ଗତ କିଛି ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଲୋକଙ୍କ ସମସ୍ୟା ସଂପର୍କରେ ବରାବର ତାଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ଓ ସେ ତାକୁ ପୂରଣ କରୁଛନ୍ତି। ପାଖାପାଖି ୩୫ ହଜାରରୁ ଅଧିକ ଓଡ଼ିଆ ଭୋଟରଙ୍କ ସମର୍ଥନ ତାଙ୍କର। ସ୍ଥାନୀୟ ବିଧାୟିକା ଜଙ୍ଖାନା ପଟେଲ ବି ସ୍ୱୀକାର କରିଛନ୍ତି ଯେ ତାଙ୍କୁ ଓଡ଼ିଆ ଭୋଟର ସମର୍ଥନ କରନ୍ତି, ଯେଉଁଥିପାଇଁ ତାଙ୍କ ଭୋଟ୍‌ ବ୍ୟବଧାନ ବଢିଲା। ଏହାସତ୍ତ୍ୱେ ନୌସରି ସାଂସଦ ସି ଆର୍‌ ପାଟିଲ, ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ କହିଥିଲେ ଯେ ଓଡ଼ିଆ ଭୋଟରଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଏଜେଣ୍ଡା ତାଙ୍କର ନାହିଁ। ଯାହା ଅନ୍ୟମାନେ ପାଆନ୍ତି, ସେଥିରେ ଓଡ଼ିଆ ବି ଯାନ୍ତି। ଜଣେ ପ୍ରବାସୀ ଓଡ଼ିଆ ନେତା କହିଛନ୍ତି, ଏଯାଏ ଓଡ଼ିଆ ସୁରଟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ସ୍ଥିତିକୁ ଆସିନାହାନ୍ତି। ଠୋସ୍‌ ସଂଗଠନ ବି ନାହିଁ। ଏଣୁ ସବୁ କ୍ଷେତ୍ରରେ ଯୋଗଦାନ ଅଧିକ ଥିଲେ ବି ସ୍ୱର ଦୁର୍ବଳ।

ଏଠାରେ ଉଲ୍ଲେଖଥାଉକି, ଶିକ୍ଷା, ସ୍ୱାସ୍ଥ୍ୟ ଆଦିକୁ ବାଦ୍‌ ଦେଇ ରାଜ୍ୟ ସରକାରଙ୍କ ନିକଟରେ କିିଛି ସୁରଟ ଓଡ଼ିଆଙ୍କର ଚାରିଟି ଦାବି ରହିଛି। ପ୍ରବାସୀ ଧନୀକ ଶ୍ରେଣୀର ଓଡ଼ିଆମାନେ ସୁରଟକୁ ବିମାନ ଚଳାଚଳ ଚାହିଁଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର ଦେଇ ସୁରଟ ଟ୍ରେନ୍‌ ଚାଲୁ, ଏକଥା ବି ଦାବିରେ ରହିଛି। ହେଲେ ବ୍ରହ୍ମପୁରରୁ ଟ୍ରେନ୍‌ ଚଳାଇବା ଦାବି କରି ନବୀନ କେନ୍ଦ୍ରକୁ ଜଣାଇଛନ୍ତି। ଏହାବ୍ୟତୀତ ସେମାନଙ୍କ ଦାବି ହେଉଛି, ସୁରଟରେ ଓଡ଼ିଶା ଭବନ ନିର୍ମାଣ କରାଯାଉ, ସେଠାରେ ସରକାର ଅଧିକାରୀ ନିଯୁକ୍ତି ଦେଇ ସରକାର ଓଡ଼ିଆଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ। ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାର କର୍ମ ନିଯୁକ୍ତି ନ ଦେଇ ପାରିଲେ ନାହିଁ, ଅତି କମରେ ହୀରା, ବୟନ ଶିଳ୍ପ କ୍ଷେତ୍ରରେ ଯୁବକଙ୍କ ଦକ୍ଷତା ବିକାଶ କରନ୍ତୁ। ସେମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ। ଯାହା ଫଳରେ ସେମାନେ ଶ୍ରମିକ ନୁହେଁ, ବୈଷୟିକ କ୍ଷେତ୍ରରେ ନିଯୁକ୍ତି ପାଇବେ। ଆର୍ଥିକ ସ୍ଥିତି ବଦଳିବ।

ସମ୍ବନ୍ଧିତ ଖବର