କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

କଟକ : ‘ସମ୍ବାଦ’ର ପ୍ରଥମ ସଂପାଦକ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ବିଂଶ ଶତାବ୍ଦୀର ସାରସ୍ୱତ ଜଗତରେ ଜଣେ ବର୍ଣ୍ଣାଢ୍ୟ ବ୍ୟକ୍ତିତ୍ୱ। ସେ ଥିଲେ ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଂଗମ। ତାଙ୍କ ସୂକ୍ଷ୍ମଦୃଷ୍ଟି, ମାନବିକ ମୂଲ୍ୟବୋଧ, ଅନୁଭବ ଓ ଆବେଗର ପଟ୍ଟାନ୍ତର ନାହିଁ ବୋଲି ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ନ୍ୟାସନାଲ ବୁକ୍ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ତଥା ଡକ୍ଟର ବିଜୟାନନ୍ଦ ସିଂହଙ୍କ ଲିଖିତ ଜୀବନୀ ପୁସ୍ତକ ‘ସୁରେନ୍ଦ୍ର ମହାନ୍ତି’ର ଉନ୍ମୋଚନ ଉତ୍ସବ ଶତାବ୍ଦୀ ଭବନ ଆୟୋଜିତ ହୋଇଥିଲା। କବି ଅମରେଶ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦାଶରଥି ଦାସ ଜୀବନୀ ଗ୍ରନ୍ଥକୁ ଉନ୍ମୋଚନ କରିଥିଲେ। ଉନ୍ମୋଚନ କରି ପ୍ରଫେସର ଦାସ କହିଲେ, ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ଜାତୀୟ ଜୀବନକୁ ଐତିହସ୍ନିଗ୍ଧ ଆଧୁନିକ ଚେତନାରେ ରୂପାୟିତ କରି ଯଶସ୍ୱୀ ହୋଇଛନ୍ତି। ତାଙ୍କ ଜୀବନୀ ସବୁ ବର୍ଗର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରଫେସର ଦାସ କହିଥିଲେ। ପୁସ୍ତକର ସ୍ରଷ୍ଟା ଡକ୍ଟର ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ସାରସ୍ୱତ ଉତ୍ସବରେ ଗାଳ୍ପିକ ତରୁଣ କୁମାର ସାହୁ, ମୀନାକ୍ଷୀ ଦେବୀ, ଗୀତିକବି ମନୋଜ ପଟ୍ଟନାୟକ, ଡକ୍ଟର ସୁନାମଣି ରାଉତ, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଡକ୍ଟର ବୈଜୟନ୍ତୀ ମିଶ୍ର, ବ୍ରହ୍ମାନନ୍ଦ ବିଶ୍ୱାଳ, ରବିନାରାୟଣ ଦାଶ, ସୁଧାଂଶୁ ପ୍ରଧାନ, ସୁକାନ୍ତ ନନ୍ଦ, ଡକ୍ଟର ସାରଦା ପ୍ରସାଦ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଧ୍ୟାପକ କମଳ କୁମାର ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର