ମାଲକାନଗିରି : ବନ୍ଧୁକ ଛାଡ଼ିବା ପରେ କଲମ ଧରିଲେ। ଏବେ ସ୍ନାତକ ପାସ କରିବା ଲକ୍ଷ୍ୟରେ ରହିଛନ୍ତି ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଶତାଧିକ ନକ୍ସଲ। ଏଥିପାଇଁ ଆଜି ଇଗ୍ନୋ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ତିମ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ବିପିପି(ବେଚୁଲାର ପ୍ରିପେରେଟିଂ ପ୍ରୋଗ୍ରାମ) ଜରିଆରେ ୧୦୩ଜଣ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷାରେ ପାସ୍ ହେବାପରେ ସେମାନେ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବେ ବୋଲି ସୂଚନା ମିଳିଛି।
ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ହୋଇଥିବା ଏହି ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ପରୀକ୍ଷା ନିମନ୍ତେ ୬ମାସ ହେଲା ଆତ୍ମସମର୍ପଣ କରିଥିବା ନକ୍ସଲ ପ୍ରସ୍ତୁତି କରିଥିଲେ। ଇଗ୍ନୋ ଆଂଚଳିକ ନିର୍ଦେଶକ ଡ.ବି.ରାଜଗୋପାଲ ନିଜେ ଉପସ୍ଥିତ ରହି ପରୀକ୍ଷାକୁ ତଦାରଖ କରିଥିଲେ। ନିର୍ଦେଶକ ରାଜଗୋପାଲ ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ହତାଶ ନହେବା ପାଇଁ ପରାମର୍ଶ ଦେଇଥିଲେ। ଯଦି ଏହି ପରୀକ୍ଷାରେ କୌଣସି ପ୍ରକାରେ ଅକୃତକାର୍ଯ୍ୟ ହୋଇଯାନ୍ତି, ତେବେ ଆଗାମୀ ଡିସେମ୍ବରରେ ପୁଣି ପରୀକ୍ଷା ଦେଇପାରିବେ ବୋଲି କହିଥିଲେ। ନିଜର ବିତିଯାଇଥିବା ଜୀବନକୁ ଭୁଲିଯାଇ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବାକୁ ସେ ପରାମର୍ଶ ଦେଇଥିଲେ।