ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଚାଲିଛି ସର୍ଭେ : ତେଲନଦୀକୁ ଶୋଷିବ ଛତିଶଗଡ଼, ଚନ୍ଦାହାଣ୍ଡି ବ୍ଲକରେ ଶୁଖିଯିବ ତେଲନଦୀ, ଜଳମଗ୍ନ ହେବ ଶତାଧିକ ରାଜସ୍ୱ ଗାଁ

ନବରଙ୍ଗପୁର : ମହାନଦୀକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ତେଲନଦୀ ଜଳ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଛତିଶଗଡ଼ ସରକାର। ମହାନଦୀରେ ମିଶୁଥିବା ତେଲନଦୀକୁ ଛତିଶଗଡ ସରକାର ନିଜ ସୁବିଧା ଅନୁଯାୟୀ ବ୍ୟବହାର କରି ଚାଲିଛନ୍ତି। ଏକତରଫା ଭାବେ ଏହି ନଦୀରେ ପ୍ରକଳ୍ପ ପରେ ପ୍ରକଳ୍ପ ସବୁ ନିର୍ମାଣ କରୁଛନ୍ତି। ଯାହାଫଳରେ ଏହି ନଦୀ ଏବେ ଶୁଖିବାରେ ଲାଗିଛି। ଯାହାକୁ ନେଇ ଦୀର୍ଘ ଦିନ ହେଲା ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହ ବିବାଦ ଲାଗି ରହିଥିବା ବେଳେ ପୁଣି ଗୋଟିଏ ନୂଆ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଛତିଶଗଡ଼ ସରକାର ସର୍ଭେ ଆରମ୍ଭ କରି ସାନି ବିବାଦ ସୃଷ୍ଟି କରିଛନ୍ତି। ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ଏହି ପ୍ରକଳ୍ପକୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସୀମାରେ ଛତିଶଗଡ଼ ସରକାର କରୁଥିବା ସୂଚନା ମିଳିଛି। ଯଦି ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ ତାହାହେଲେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ୩ଟି ବ୍ଲକର ଶତାଧିକ ଗାଁ କ୍ଷତିଗ୍ରସ୍ତ ହେବ। ହଜାର ହଜାର ଏକର ଜମି ପାଣି ଅଭାବରୁ ପଡ଼ିଆ ପଡ଼ିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ହେଲା ତେଲ ନଦୀ ଜଳ ଉପରେ ଏକତରଫା ହକ୍‌ ଦେଖାଇ ଆସିଛନ୍ତି ଛତିଶଗଡ଼ ସରକାର। ଓଡ଼ିଶା ସୀମାନ୍ତରେ ରହିଥିବା ଛତିଶଗଡ଼ର ବହୁ ଅଞ୍ଚଳକୁ ଜଳସେଚିତ କରିବାକୁ ପଡୋଶୀ ସରକାର ବହୁ ପ୍ରକଳ୍ପ ନିର୍ମାଣ କରି ସାରିଲେଣି। ଏପରିକି କିଛି ପ୍ରକଳ୍ପ ବର୍ତମାନ ନିର୍ମାଣଧୀନ ରହିଛି। ଯାହାକି ଆଗାମୀ ଦିନରେ ସଂପୂର୍ଣ୍ଣ ହୋଇଯିବ। ଏତିକିରେ ଛତିଶଗଡ଼ ସରକାରଙ୍କ ଦାଦାଗିରି ସରୁନାହିଁ। ପୂର୍ବରୁ ଓଡ଼ିଶା ସୀମାରେ ପଶି କିଛି ପ୍ରକଳ୍ପ କରିବାକୁ ବି ଚେଷ୍ଟା କରିଛନ୍ତି। ଯାହାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବିରୋଧ କରିବାରୁ ତାହାକୁ ବନ୍ଦ କରିବାକୁ ବାଧ୍ୟ ହେଲେ। ନଦୀ ଜଳକୁ ନେଇ ଏମିତି ବିବାଦ ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଓଡ଼ିଶା ସରକାର ତେଲ ନଦୀ ଜଳକୁ ବ୍ୟବହାର କରି ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ଗତ ଦିନରେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କେନ୍ଦ୍ରୀୟ ଜଳ ଆୟୋଗକୁ ଅନୁମତି ମାଗିଥିବା ବେଳେ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇ ନାହିଁ। ମହାନଦୀ ଜଳ ବିବାଦ ଯୋଗୁଁ କେନ୍ଦ୍ରୀୟ ଜଳ ଆୟୋଗ ସମୟ ଗଡ଼ାଇ ଚାଲିଛନ୍ତି। ଯଦି ଏହି ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଅନୁମତି ଦେବେ ତାହାହେଲେ ଛତିଶଗଡ଼ ସରକାର ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଜଳ ଆୟୋଗ ସ୍ଥିତି ଉପରେ ସତର୍କତାର ସହ ନଜର ରଖିବା ସହ ନିଷ୍ପତ୍ତି ନେବାରେ ବିଳମ୍ବ କରି ଓଡ଼ିଶା ସରକାରଙ୍କ ପ୍ରକଳ୍ପକୁ କରାଇ ଦେଉ ନାହାନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ଜଳ ଆୟୋଗ କିମ୍ବା ଓଡ଼ିଶା ସରକାରଙ୍କ ଅନୁମତି ନନେଇ ସବୁ ସୀମା ସରହଦକୁ ପାର କରି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବିରାଲାଠି ଗାଁ ନିକଟରେ ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ସଂପର୍କରେ ଓଡ଼ିଶା ସରକାରଙ୍କ ସହ ଆଦୌ ଆଲୋଚନା କରିନିଥିବା ସୂଚନା ମିଳିଛି। ପ୍ରକଳ୍ପ ସଂପର୍କରେ ସମସ୍ତ ତଥ୍ୟକୁ ପଡୋଶୀ ରାଜ୍ୟ ସରକାର ସଂପୂର୍ଣ୍ଣ ଗୁପ୍ତ ଭାବେ ରଖିଛନ୍ତି। କିନ୍ତୁ ମାସକ ତଳେ ଛତିଶଗଡର ଗୋଟିଏ ଟିମ୍‌ ବିରାଲାଠି ଗାଁରେ କ୍ୟାମ୍ପ ପ୍ରତିଷ୍ଠା କରିଥିଲା। ତେଲନଦୀ ଅବବାହିକା ଛତିଶଗଡ଼ ସମେତ ଓଡିଶାର କିଛି ଅଞ୍ଚଳରେ ସର୍ଭେ କରିଥିଲା। ଯାହାଫଳରେ ଏହି ପ୍ରକଳ୍ପ ସଂପର୍କରେ ସୂଚନା ମିଳିଛି।

ତେଲନଦୀ ଚନ୍ଦାହାଣ୍ଡି ବ୍ଲକର ଜୀବନ ଓ ଜୀବିକା ସହ ଜଡ଼ିତ ହୋଇଥିବାରୁ ସର୍ଭେ ସଂପର୍କରେ ଜାଣିବା ପରେ ବ୍ଲକର କିଛି ଚାଷୀ ସର୍ଭେ ସ୍ଥଳରେ ପହଞ୍ଚିଥିଲେ। ସର୍ଭେ କରୁଥିବା ଦଳ ସହ କଥାବାର୍ତା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଚାଷୀଙ୍କୁ ମିଳିଥିଲା। ଯଦି ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ ଉମରକୋଟ ବ୍ଲକର ୫୦ ଖଣ୍ଡ ରାଜସ୍ୱ ଗ୍ରାମ ଜଳମଗ୍ନ ହେବ। ସେହିପରି ଝରିଗାଁ ବ୍ଲକ ଶତାଧିକ ଗ୍ରାମ ଜଳରେ ବିଲୀନ ହେବ। ଏହାବ୍ୟତୀତ ଚନ୍ଦାହାଣ୍ଡି ବ୍ଲକର ଫଟକି ଓ କୋଇଲିମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ତେଲନଦୀ ଶୁଖିଯିବ ବୋଲି ସର୍ଭେ ଅଞ୍ଚଳକୁ ଯାଇଥିବା ଚାଷୀମାନେ ଅଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର