ଧାନ ସଂଗ୍ରହର ହିସାବ ଦେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର: ୯ତାରିଖ ସୁଦ୍ଧା ୨୧ ଲକ୍ଷ ୬୧ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ

ଭୁବନେଶ୍ବର: ଧାନ କିଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଗୁରୁବାର ଖରିଫ ଧାନ ସଂଗ୍ରହରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଶୁକ୍ରବାର ଏହାର ଜବାବ ରଖିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର। କହିଛନ୍ତି, କେନ୍ଦ୍ରମନ୍ତ୍ରୀ ତଥ୍ୟ ନଜାଣି ଗଣମାଧ୍ୟମ ଆଗରେ ବିଭ୍ରାନ୍ତକର ତଥ୍ୟ ରଖିଛନ୍ତି। ଏହା ଦୁଃଖଦାୟକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରୋକଠୋକ ଶୁଣାଇ କହିଛନ୍ତି, ଯଦି ଚାଷୀଙ୍କୁ ଧାନକିଣା ଅର୍ଥ ପଇଠ ନ ହୋଇଥିବା ନେଇ ପ୍ରମାଣ ମିଳେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେବେ।ଚଳିତବର୍ଷ ଖରିଫ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ହିସାବ ଦେଇ କହିଛନ୍ତି, ଗତ ୯ ତାରିଖ ସୁଦ୍ଧା ସରକାରଙ୍କୁ ଧାନ ବିକିବା ପାଇଁ ୧୨ ଲକ୍ଷ ୬୦ ହଜାର ଚାଷୀ ପ୍ରାଥମିକ ସମବାୟ ସମିତି ଏବଂ ଲ୍ୟାମ୍ପସରେ ପଞ୍ଜିକରଣ କରିଛନ୍ତି। ଗତବର୍ଷ ଖରିଫ ଋତୁଠାରୁ ୧ଲକ୍ଷ ୪୦ ହଜାର ଅଧିକ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ଖାଲି ସେତିକି ନୁହେଁ, ଚଳିତ ଋତୁରେ ୨ ଲକ୍ଷ ୨୨ ହଜାର ନୂଆ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇଛନ୍ତି। ପଞ୍ଜିକୃତ ଚାଷୀଙ୍କ ଭିତରେ ୧ ଲକ୍ଷ ୧୯ ହଜାର ଭାଗଚାଷୀ ସାମିଲ ଅଛନ୍ତି।

୩ ହଜାର ୮୯ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥ୍ୟ ନଜାଣି ଆକ୍ଷେପ କରୁଛନ୍ତି

ଚାଷୀ ଟଙ୍କା ପାଇନଥିଲେ ରାଜନୀତିରୁ ସନ୍ୟାସ ନେବି

ମନ୍ତ୍ରୀ କହିଛନ୍ତି, ଗତ ୯ତାରିଖ ସୁଦ୍ଧା ପଞ୍ଜିକୃତ ଚାଷୀଙ୍କଠୁ ୨୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ତାରିଖ ସୁଦ୍ଧା ୧୮ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଧାନ ସଂଗ୍ରହରେ ୧୮ ପ୍ରତିଶତ ବୃଦ୍ଧି ଘଟିଥିବା କହିଛନ୍ତି ମନ୍ତ୍ରୀ। ଗତବର୍ଷ ୨ ହଜାର ୯୨୯ଟି ଧାନ ମଣ୍ଡି ଖୋଲିଥିବାବେଳେ ଚଳିତବର୍ଷ ୩ ହଜାର ୧୩ଟି ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ କିଣା ଯାଉଛି। ଆଜିସୁଦ୍ଧା ସମସ୍ତ ମଣ୍ଡି କାର୍ଯ୍ୟକ୍ଷମ ଥିବା ଦାବି କରିଛନ୍ତି ମନ୍ତ୍ରୀ। ସରକାରୀ ତଥ୍ୟ ଅନୁଯାୟୀ ଚାଷୀଙ୍କ ଟଙ୍କା ପ୍ରଦାନ ନେଇ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବର୍ତମାନ ସୁଦ୍ଧା ୩ ଲକ୍ଷ ୭୨ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିସାରିଛନ୍ତି। ଏ ବାବଦରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ ହଜାର ୮୯ କୋଟି ଟଙ୍କା ସ୍ଥାନାନ୍ତରଣ କରାଯାଇଛି। ଧାନ କିଣାର ୨୪ରୁ ୭୨ ଘଣ୍ଟା ଭିତରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରାଯାଉଛି । ଚାଷୀଙ୍କଠାରୁ ସମସ୍ତ ବିକ୍ରିଯୋଗ୍ୟ ବଳକା ଧାନ କ୍ରୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ।

ସମ୍ବନ୍ଧିତ ଖବର