ବିଜେପିରେ ବିଦ୍ରୋହ! : ଅପରାଜିତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସୁଶାନ୍ତ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦଳ ଭିତରେ ଅନ୍ତଃକନ୍ଦଳ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ଜିଲ୍ଲା ଚାର୍ଡ କମିଟି ଗଠନ ସଂଯୋଜକ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ। ସୁଶାନ୍ତ ଜୁନ୍ ୩୦ରେ ଅପରାଜିତାଙ୍କ ନାମରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଲେଟର ପ୍ୟାଡ୍‌ରେ ହୋଇଥିବାରୁ ହରେକୃଷ୍ଣଙ୍କର ବି ଏହି ଅଭିଯୋଗ ପ୍ରତି ସମର୍ଥନ ଥିବା ଜଣାପଡ଼ୁଛି।

ଅପରାଜିତାଙ୍କ ନାମରେ ଅଭିଯୋଗ ହୋଇଛି ଯେ, ଗତ ଜୁନ୍ ୧୩ରେ ଭୁବନେଶ୍ବର ଜିଲ୍ଲାର କୋର୍‌ ସଦସ୍ୟ ଏବଂ ଭୁବନେଶ୍ବର ସାଂସଦଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ବସି ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ସୁଦୃଢ କରିବାକୁ ଏବଂ ସଂଚାଳନ ସମିତି ଗଠନ ହୋଇଥିଲା। କିନ୍ତୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ଦଳୀୟ ବ୍ୟବସ୍ଥାକୁ ଅବମାନନା କରି ଟିମ୍ ଅପରାଜିତା ନାମରେ କିଛି ଅପରାଧିକ ତତ୍ତ୍ବଧାରୀଙ୍କୁ ସାମିଲ୍‌ କରି ସଙ୍ଗଠନ ଗଢ଼ିଛନ୍ତି, ନିଜ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମାଧ୍ୟମରେ ସଙ୍ଗଠନ ପରିଚାଳନା କରୁଛନ୍ତି, ସାଙ୍ଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ଏବଂ ମଣ୍ଡଳକୁ ପଦାଘାତ କରିବାକୁ ଯୋଜନା କରୁଛନ୍ତି, କାର୍ଯ୍ୟକ୍ରମରେ ବ୍ୟବହୃତ ସମସ୍ତ ବ୍ୟାନ‌ରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ଦେଉନାହାନ୍ତି, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ଭଳି ବ୍ୟବହାର କରୁଛନ୍ତି। ଏପରିକି କାର୍ଯ୍ୟକର୍ତ୍ତାମାନଙ୍କୁ ଆଗାମୀ ବିଏମ୍‌ସି ନିର୍ବାଚନରେ ଟିକେଟ୍ ନଦେବାର ଭୟ ଦେଖାଇ ନିଜ ଅନୁଗାମୀ ହେବାକୁ କହୁଛନ୍ତି।

ତେଣୁ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଅପରାଜିତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅପରପକ୍ଷେ ଅପରାଜିତା କହିଛନ୍ତି ଯେ, ପଦ୍ମ ହେଉଛି ତାଙ୍କର ସୁନ୍ଦର ପରିବାର, ତାଙ୍କ ନାଁରେ କିଏ ଏବଂ କ’ଣ ଅଭିଯୋଗ କରିଛି ସେ କିଛି ଜାଣିନାହାନ୍ତି।

ସମ୍ବନ୍ଧିତ ଖବର