ଇଞ୍ଜିନ ବିନା ଟ୍ରେନ ଯିବା ଘଟଣା: ଷ୍ଟେସନ୍‌ ମ୍ୟାନେଜର ଓ ମେକାନିକାଲ ଇଞ୍ଜିନିୟରଙ୍କ କାର୍ଯ୍ୟରେ ଅବହେଳା ସନ୍ଦେହ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରୁ ଶନିବାର ରାତି ଇଞ୍ଜିନ ବିନା ଟ୍ରେନ୍‌ ଯିବା ଘଟଣାରେ ଷ୍ଟେସନ୍‌ ମ୍ୟାନେଜର ଓ ମେକାନିକାଲ ଜୁନିଅର ଇଞ୍ଜିନିୟରଙ୍କ କର୍ତ୍ତବ୍ୟରେ ଅବହେଳା ହୋଇଥିବା ସନ୍ଦେହ ହୋଇଛି। ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପରିଚାଳକ ଜୟଦୀପ ଗୁପ୍ତା ଆଜି ଟିଟିଲାଗଡ଼ ଯାଇ ଘଟଣାର ସସୀକ୍ଷା କରିଛନ୍ତି। ୩ ଦିନ ଭିତରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସେ କହିଛନ୍ତି। ଗୁପ୍ତା କହିଛନ୍ତି, ରିପୋର୍ଟରେ ଯିଏ ଦୋଷୀ ବୋଲି ଜଣାପଡ଼ିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂର୍ବତଟ ରେଳପଥ ପକ୍ଷରୁ ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଟେକ୍‌ନିସିଆନ ଗ୍ରେଡ-୧ କର୍ମଚାରୀ ଗୁପ୍ତେଶ୍ୱର ପଣ୍ଡା, ପ୍ରିତମ ବାଗ, ଲାଟୁ କେଟପଟା, ଅପରେଟିଂ ଡିପାର୍ଟମେଣ୍ଟର କାନ୍ଥ ଫନେଶ, ଧର୍ମେନ୍ଦ୍ର ନିଆଲ, ପାଇଲଟ ଏସ୍‌ ଭେଙ୍କଟେଶ୍ୱର ରାଓ ଓ ସହାୟକ ପାଇଲଟ ଏସ୍‌.କେ. ସିଲ୍‌ ନିଲମ୍ବନ ହୋଇଛନ୍ତି। ଏହି ଘଟଣା ପରେ ରେଳବାଇ ବୋର୍ଡ ପୂରାଦେଶରେ ମାସବ୍ୟାପୀ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ ଶନିବାର ରାତି ୮ଟା ୩୦ରେ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚି ଥିଲା। ଏଠାରୁ ଟ୍ରେନର ଇଞ୍ଜିନ ବଦଳାଇ ବଲାଙ୍ଗୀର ଆଡ଼କୁ ଯିବା ପରିବର୍ତ୍ତେ କେସିଙ୍ଗା ଆଡ଼କୁ ୧୩ କିଲୋମିଟର ଗଡ଼ି ଯାଇଥିଲା ୨୨ଟି ବଗି। ଟ୍ରେନ ଇଞ୍ଜିନଟି ଖୋଲାଯାଇ ଅପରପାର୍ଶ୍ୱରେ ଲଗା ହେବା ପାଇଁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର