କରୋନା ଖୋଲୁଛି ସ୍ବଚ୍ଛ ଭାରତ ଗୁମର, ପାଇଖାନା ସାଜିଛି ଗୋଦାମ ଘର

ପାଟଣାଗଡ଼ ଉପଖଣ୍ଡରେ ୯୦ ପ୍ରତିଶତରୁ ଅଧିକ ଅକାମୀ, ଦୁର୍ନୀତିରେ ରାଜନେତାଙ୍କ ସମ୍ପୃକ୍ତି!

ବଲାଙ୍ଗୀର/ପାଟଣାଗଡ଼: କରୋନା କଟକଣା ସ୍ବଚ୍ଛ ଭାରତ ମିସନର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି। ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାରେ ଦୁର୍ନୀତି କିଭଳି ଚରମ ସୀମାରେ ପହଞ୍ଚିଛି, ତାହା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି। ଏହି ଯୋଜନାରେ ପାଇଖାନା ତିଆରି ନାଁରେ ବଲାଙ୍ଗୀର ଜିଲ୍ଲାରେ ୪୦୦ କୋଟି ଟଙ୍କାର ଦୁର୍ନୀତି ଜଣାପଡ଼ିବା ପରେ ସବୁ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ସମ୍ବାଦ’ ଟିମ୍ ପହଞ୍ଚି ଅନୁସନ୍ଧାନ କରୁଛି। ପାଟଣାଗଡ଼ ଅଞ୍ଚଳରେ ଏହି ଟିମ୍ ‘ଗ୍ରାଉଣ୍ଡ ଜିରୋ’ରେ ପହଞ୍ଚିଥିବା ବେଳେ ଏଠାରେ ୯୦ ପ୍ରତିଶତରୁ ଅଧିକ ପାଇଖାନା ଅକାମୀ ହୋଇ ପଡ଼ିରହିଥିବା ଜଣାପଡ଼ିଛି। ପାଇଖାନାଗୁଡ଼ିକୁ ଲୋକେ ଗୋଦାମ ଘର ଭାବେ ବ୍ୟବହାର କରୁଛନ୍ତି। ଅପରପକ୍ଷରେ ପାଇଖାନା ଦୁର୍ନୀତିରେ ବିଭିନ୍ନ ଦଳର ରାଜନେତାଙ୍କ ସମ୍ପୃକ୍ତି ଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ପାଟଣାଗଡ଼ ଉପଖଣ୍ଡରେ ନିର୍ମିତ ପାଇଖାନା ସମ୍ପର୍କରେ ପାଟଣାଗଡ଼ ବ୍ଲକର ଧୁବଲପଡ଼ା, କେନ୍ଦୁମୁଣ୍ଡି, ମୁଣ୍ଡୋମହୁଲ, ଯୋଗିମୁଣ୍ଡା, ଡାଙ୍ଗବାହାଲ ପଞ୍ଚାୟତ, ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା, ବାଗମୁଣ୍ଡ, ଚଙ୍ଗରିଆ ଓ ବେଲପଡ଼ା ବ୍ଲକ୍‌ର ଧୁମାଭଟା ପଞ୍ଚାୟତ ସହ ବିଭିନ୍ନ ଗ୍ରାମରେ ପହଞ୍ଚିଥିଲା ‘ସମ୍ବାଦ’ ଟିମ୍। ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲର ପ୍ରାୟ ୯୦ ପ୍ରତିଶତରୁ ଅଧିକ ପାଇଖାନା ସଦୁପଯୋଗ ହେଉନାହିଁ। ବହୁ ଗ୍ରାମରେ ଥିବା ପାଇଖାନାକୁ ଗୋଦାମ ଘର ଭାବେ ହିତାଧିକାରୀମାନେ ବ୍ୟବହାର କରୁଛନ୍ତି। କେଉଁଠି ଖପର ରଖାଯାଇଛି ତ ଆଉ କେଉଁଠି ମହୁଲ ବସ୍ତା। ପାଇଖାନା ନିର୍ମାଣ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଜଣାପଡ଼ିଛି। ଫଳରେ, ଏସବୁ ଦଦରା ହୋଇ ପଡ଼ିରହିଛି।

ସରକାରୀ ତଥ୍ୟ ଅନୁଯାୟୀ, ପାଟଣାଗଡ଼ ବ୍ଲକରେ ୩୫ ହଜାର ୩୬୦ ଜଣ ହିତାଧିକାରୀଙ୍କ ପାଇଁ ପାଇଖାନା ତିଆରି କରାଯାଇଛି। ବେଲପଡ଼ା ବ୍ଲକ୍‌ରେ ୩୧ ହଜାର ୪୫୫ ଓ ଖପ୍ରାଖୋଲ ବ୍ଲକରେ ୨୪ ହଜାର ୧୭୨ ଜଣ ହିତାଧିକାରୀଙ୍କ ପାଇଁ ସ୍ବଚ୍ଛ ଭାରତ ମିସନ ଜରିଆରେ ଆସିଥିବା ଟଙ୍କାରୁ ପାଇଖାନା ତିଆରି ହୋଇଛି। ତେବେ ଏ ସବୁ ମଧ୍ୟରେ କିଛି ସେଲ୍ଫ ଫାଇନାନ୍ସ ବା ପୂର୍ବରୁ ପାଇଖାନା ତିଆରି କରିଥିବା ହିତାଧିକାରୀଙ୍କୁ ପାଇଖାନା ରାଶି ପ୍ରଦାନ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ଲୋକେ ପୂର୍ବରୁ ତିଆରି ହୋଇଥିବା ପାଇଖାନାକୁ ଏହି ଯୋଜନାରେ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ କେବଳ ସେଗୁଡ଼ିକୁ ସମ୍ପୃକ୍ତ ହିତାଧିକାରୀମାନେ ଉକ୍ତ ରାଶିରେ ମରାମତି କରି ବ୍ୟବହାର କରୁଛନ୍ତି। ଅନ୍ୟସବୁ ଅକାମୀ ହୋଇରହିଛି। ସ୍ବଚ୍ଛ ଭାରତ ମିସନ ଯୋଜନାରେ କିଛି ଏନଜିଓ, ଏସ୍‌ଏଚ୍‌ଜି ଫାଇଖାନା ନିର୍ମାଣ କରିଥିବା ଏବଂ କିଛି ସେଲ୍ଫ ଫାଇନାନ୍ସରେ ଦିଆଯାଇଥିବା କଥା ପାଟଣାଗଡ଼ ଜେଇ ହିମାଂଶୁ ବେହେରା କହିଛନ୍ତି। ଅପ୍ୟପକ୍ଷରେ, ହିତାଧିକାରୀମାନଙ୍କ କହିବା ଅନୁଯାୟୀ, ବିଭିନ୍ନ ଦଳର ରାଜନେତାମାନେ ପାଇଖାନା ତିଆରି କରୁଥିବାରୁ ସବୁ ନିମ୍ନାମାନ କାମ ହେଉଛି। ଖପ୍ରାଖୋଲ ଜେଇ ସରିତା କୁଜୁରଙ୍କୁ ବାରମ୍ବାର ଯୋଗାଯୋଗ କରାଯିବାରୁ ସେ ସୂଚନା ଦେଉଛି ‌ଦେଉଛି କହି ରାତି ସୁଦ୍ଧା କୌଣସି ତଥ୍ୟ ଦେଇ ନଥିଲେ।

ସରକାରୀ ଚାକିରିଆ ଏଠି ଠିକାଦାର
ପାଇଖାନା ଦୁର୍ନୀତି ପଛରେ ସବୁଠୁ ଅଧିକ ଦାୟୀ ଅଟନ୍ତି ଆର୍‌ଡବ୍ଲୁଏସ୍‌ଏସ୍‌ ଜେଇ। ସେମାନଙ୍କ ତତ୍ତ୍ବାବଧାନରେ ପାଇଖାନା ଟଙ୍କାର ହେରାଫେରି ସବୁ ହୋଇଛି। ଏଠି ରାଜନେତାଙ୍କ ପାଖଲୋକ ସବୁ ଠିକାଦାର ସାଜିଛନ୍ତି। ବଡ଼ବଡ଼ ନେତାଙ୍କ କାରନାମା କ୍ରମେ ସାମ୍ନାକୁ ଆସୁଛି। ହେଲେ ଚମକାଇଦେଲା ଭଳି ତଥ୍ୟ ଏବେ ଜଣାପଡ଼ିଛି। ସରକାରୀ ଚାକିରିଆ ଏଠି ଠିକାଦାର ସାଜିଛନ୍ତି। ବେଶ୍‌ ମାଲେମାଲ ବି ହୋଇଛନ୍ତି। ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଣଦେଣ ବି ଜେଇଙ୍କ ସହ କରିଛନ୍ତି। ପଚାରିଲେ କହୁଛନ୍ତି କାଗଜପତ୍ରରେ ମୋ ନାଁ ନାହିଁ। ସବୁ ଠିକାଦାର ଏଠି ଦୁର୍ନୀତି କରିଛନ୍ତି, ମୁଁ ବି ଜେଇଙ୍କୁ ଲାଞ୍ଚ‌ ଦେଇଥିଲି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଚାକିରିଆ କେମିତି ପାଇଖାନା ଠିକାଦାର ହେଲେ। ବେଲପଡ଼ା ବ୍ଲକ୍‌ ଅଂଚଳରେ ନିର୍ମାଣ ହୋଇଥିବା ପାଇଖାନା ସବୁରେ ଜେଇ ଓ ଠିକାଦାର ମିଶି କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ତୁରେକେଲା ବ୍ଲକ୍‌ ଧାମନଡଙ୍ଗା କେବଳ ନୁହଁ, ସବୁ ପଂଚାୟତରେ ପାଇଖାନା ଦୁର୍ନୀତି ହୋଇଛି। ଦାୟିତ୍ବରେ ଥିବା ଆର୍‌ଡବ୍ଲୁଏସ୍‌ଏସ୍‌ ଜେଇ ବହୁବର୍ଷ ହେଲା ବ୍ଲକରେ ରହି ଏହି ଦୁର୍ନୀତିର ମାଷ୍ଟରମାଇଣ୍ତ ସାଜିଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରୁଛନ୍ତି।

ମୁହଁ ଲୁଚାଉଛନ୍ତି ଦୁର୍ନୀତିଖୋର
୪୦୦ କୋଟିର ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ମୁହଁ ଲୁଚାଇବା ଆରମ୍ଭ କଲେଣି ଦୁର୍ନୀତିଖୋର। ହିତାଧିକାରୀମାନେ ସିଧାସଳଖ ମୁହଁ ଖୋଲୁଛନ୍ତି। କେଉଁଠି କେଉଁ ଜେଇ କେତେ ପିସି ନେଉଥିଲେ? କେଉଁ ଠିକାଦାର ଗୋଟିଏରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ? କାହିଁକି ସବୁ ଅକାମୀ ହୋଇଗଲା? ଏସବୁର ଆଲୋଚନା ଚାରିଆଡ଼େ ଆରମ୍ଭ ହୋଇଛି। ମୋଟାମୋଟି ଜିଲ୍ଲାରେ ପାଇଖାନାର ଏକ ମହାଦୁର୍ନୀତି କରାଯାଇଛି ଓ ବହୁ ଜେଇ, ଠିକାଦାର ସବୁ କୋଟିପତି ସାଜିଛନ୍ତି। ଭିଜିଲାନ୍ସ ସବୁର ତଦନ୍ତ କଲେ ମହାଦୁର୍ନୀତିର ଗୁମର ଫିଟିବ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର