ମନ୍ଥର ଗତିରେ ଚାଲିଛି ପ୍ରସାଦ, ସ୍ୱଦେଶ ଦର୍ଶନ ଯୋଜନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବହୁଳ ପ୍ରଚାରିତ ଯୋଜନା ‘ପ୍ରସାଦ’ ଓ ‘ସ୍ୱଦେଶ ଦର୍ଶନ’ରେ ଓଡ଼ିଶା ସାମିଲ୍‌ ହୋଇଛି। କେନ୍ଦ୍ରରୁ ଅର୍ଥ ବି ମିଳିଛି। କିନ୍ତୁ କାମର ଅଗ୍ରଗତି ଆଶାନୁରୂପ ହୋଇପାରୁ ନାହିଁ। ଖୁବ୍‌ ମନ୍ଥର ଗତିରେ କାମ ଚାଲିଛି। ଗତକାଲି ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ ଜେ ଆଲ୍‌ଫୋନ୍‌ସ୍‌ଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପର୍ଯ୍ୟଟନ ମନ୍ତ୍ରୀ ନିଜେ ଓଡ଼ିଶା ଆସି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହା ସହ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଆବଶ୍ୟକ ଦକ୍ଷତାର ବିକାଶ ପାଇଁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ସହ ଏକ ବିସ୍ତତ ସହଭାଗିତା ପାଇଁ ବି ସେ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଡିସେମ୍ବର ୧୯ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଅଧିକାରୀମାନେ ଓଡ଼ିଶାରେ ଚାଲୁଥିବା ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ପ୍ରସାଦ ଯୋଜନାରେ ପୁରୀ ପାଇଁ ୨୦୧୫ ମାର୍ଚ୍ଚ ୨୬ ତାରିଖରେ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଆର୍‌ଜେଡ୍‌ କ୍ଲିୟରାନ୍ସ ମିଳି ନ ଥିବାରୁ ଏହାର ପ୍ରଗତି ମନ୍ଥର ହୋଇଯାଇଛି। ତେଣୁ ଏହି ପ୍ରକଳ୍ପର ଅଗ୍ରଗତିକୁ ବ୍ୟକ୍ତିଗତ ଭାବେ ପୁରୀ ଆସି ସମୀକ୍ଷା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସେହିପରି ସ୍ୱଦେଶ ଦର୍ଶନ ଯୋଜନାରେ ଗୋପାଳପୁର-ବରକୁଳ-ସାତପଡ଼ା-ଟାମ୍ପରା କୋଷ୍ଟାଲ୍‌ ସର୍କିଟ୍‌ର ବିକାଶ ପାଇଁ ୭୬.୪୯ କୋଟି ଟଙ୍କା ଅନୁମୋଦନ କରାଯାଇଛି ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏହାକୁ କାର୍ଯ୍ୟକାରୀ କରୁଛି। ଏହା କାମ ବି ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଓଟିଡିସି ଦ୍ୱାରା ଟେଣ୍ଡର୍‌ ପ୍ରକ୍ରିୟାରେ ବିଳମ୍ବ କାରଣରୁ କାମ ବିଳମ୍ବିତ ହେଉଛି। ସ୍ୱଦେଶ ଦର୍ଶନ ଯୋଜନାରେ ଅତିରିକ୍ତ ପାଞ୍ଚଟି ପ୍ରକଳ୍ପକୁ ସାମିଲ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଆହୁରି ଜଣାଇଛନ୍ତି, ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ସେ ରାଜ୍ୟରେ ଆତିଥେୟତା କ୍ଷେତ୍ରରେ ଦକ୍ଷତା ବିକାଶ ନିମନ୍ତେ ଅର୍ଥ ବିନିଯୋଗ କରିବାକୁ ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟକମାନଙ୍କ ପାଇଁ ଆବଶ୍ୟକ ମାନବ ସମ୍ବଳର ଦକ୍ଷତା ବୃଦ୍ଧିରେ ସହାୟକ ହେବ। ଏହି ଉଦ୍ୟମକୁ ଆଗକୁ ନେବା ପାଇଁ ଭୁବନେଶ୍ୱରସ୍ଥିତ ଆଇଆଇଟିଟିଏମ୍‌ ଠାରେ ମିଳିତ ଭାବେ ସେବା ପ୍ରଦାନକାରୀମାନଙ୍କୁ ନେଇ ଏକ ଚିନ୍ତନ ବୈଠକ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର