ଚୀନ ସାମଗ୍ରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ସ୍ବଦେଶୀ ଜାଗରଣ ମଂଚ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି । କ୍ଷେତ୍ରୀୟ ବ୍ୟାପକ ଆଥିର୍କ ବୁଝାମଣା ବା (ଆରସିଇପି)ରେ ହସ୍ତାକ୍ଷର ନକରିବା ପାଇଁ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲା ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା । ଭାରତ ସମେତ ଅନ୍ୟ ୧୫ଟି ଦେଶମାନେ ମିଶି ଆଗକୁ (ଆରସିଇପି) ନାମକ ଏକ ବୁଝାମଣା ପାଇଁ ଯୋଜନା କରିଛନ୍ତି ଯେଉଁଥିରେ ଆମଦାନି ହେଉଥିବା ୮୦ରୁ ୯୦ ପ୍ରତିଶତ ବସ୍ତୁମାନଙ୍କ ଉପରେ ଆମଦାନି ଶୁଳ୍କ ଶୂନ କରିବାକୁ ବ୍ୟବସ୍ଥା କରାଯାଇଛି ।

ଆଉ ଯଦି ଏହା ସ୍ୱାକ୍ଷରିତ ହୁଏ ତାହେଲେ ଭାରତ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ସତର୍କ କରାଇଛି ମଞ୍ଚ ।ସବୁଠାରୁ ବଡ଼ କଥା ହେଲା, ଏହି (ଆରସିଇପି)ର ବୁଝାମଣା ହେଲେ, ଦେଶର ଶିଳ୍ପ, କୃଷି ଓ ଗୋପାଳନ ଅତି ପ୍ରଭାବିତ ହେବ । ଆଉ ଚୀନରୁ ଆସୁଥିବା ଶସ୍ତା ମାଲ କାରଣରୁ ଆମ ଦେଶର ଅଧିକାଂଶ ଉଦ୍ୟୋଗ ବନ୍ଦ ହୋଇଯିବା ସହ ‘ମେକ୍ ଇନ୍ ଇଣ୍ଡିଆ’ ସ୍ୱପ୍ନ ସ୍ୱପ୍ନରେ ରହିଯିବ । ଏପରିକି କେବଳ ଶିଳ୍ପ ଉଦ୍ୟୋଗ ନୁହେଁ ବରଂ ଶ୍ରମିକମାନଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିବ ବୋଲି ଦାବି କରିଛି ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ।

ଅନ୍ୟପଟେ ଏହି ବୁଝାମଣା ପୂର୍ବରୁ ଦେଶର ପ୍ରାୟ ସବୁ ଶିଳ୍ପ, ଦୁଗ୍ଧ ଚାଷୀମାନେ କ୍ଷତିର ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି । ଦେଶର ଛୋଟ ଓ ମଧ୍ୟମ ଶିଳ୍ପ, ଶ୍ରମିକ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ତରଫରୁ ସ୍ୱଦେଶୀ ଜାଗରଣ ମଞ୍ଚ ସରକାରଙ୍କ ନିକଟରେ ଦାବି ଜଣାଉଛି । ଦେଶବାସୀଙ୍କ ହିତ ଏବଂ ମେକ୍ ଇନ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାକୁ ହେଲେ, ଏହି (ଆରସିଇପି) ବୁଝାମଣା ଉପରେ ପୂର୍ଣ୍ଣ ବିରାମ ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଯଦି ଏହାପରେ ବି କେନ୍ଦ୍ରସରକାର ଏହି ବୁଝାମଣା କରିବାକୁ ଯୋଜନା କରନ୍ତି ତେବେ ଏହା ବିରୁଦ୍ଧରେ ତୀବ୍ର ଜନ ଆନ୍ଦୋଳନ କରିବ ବୋଲି ସ୍ୱଦେଶୀ ଜାଗରଣ ମଞ୍ଚ ଚେତାବନୀ ଦେଇଛି ।

ସମ୍ବନ୍ଧିତ ଖବର