ହିଂସାର ଜବାବ ଭୋଟ୍‌ରେ ଦେବୁ: ସ୍ୱାମୀ ଅଗ୍ନିବେଶ

ଭୁବନେଶ୍ୱର : ଧର୍ମ ଓ ଜାତି ନାଁରେ ରାଜନୀତି ଚାଲିଛି। ଅସହିଷ୍ଣୁତା, ସାଂପ୍ରଦାୟିକତା ଓ ଜାତିବାଦ ଆଜିର ରାଜନୀତି ପ୍ରତି ବିପଦ ସୃଷ୍ଟି କରିଛି। ଆର୍‌ଏସ୍‌ଏସ୍‌-ବିଜେପି କର୍ମୀମାନେ ଦଳିତ, ସଂଖ୍ୟାଲଘୁମାନଙ୍କ ଉପରେ ହିଂସା ଆଚରଣ କରୁଛନ୍ତି। ମାତ୍ର ଏହି ହିଂସାର ଜବାବ ହିଂସାରେ ଦିଆଯିବ ନାହିଁ। ଆଗାମୀ ୨୦୧୯ ନିର୍ବାଚନରେ ଏହାର ଜବାବ ଭୋଟ୍‌ରେ ଦିଆଯିବ ବୋଲି ବିଶିଷ୍ଟ ଆଧ୍ୟାତ୍ମିକ ନେତା ତଥା ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ କହିଛନ୍ତି। ‘ନ୍ୟାସ୍‌ନାଲ ସଲିଡାରିଟି ଫୋରମ’ ପକ୍ଷରୁ ‘ସାଂପ୍ରଦାୟିକ ରାଜନୀତିର ବିପଦ ଓ ଆହ୍ଵାନ’ ଶୀର୍ଷକ କର୍ମଶାଳା ଏବଂ କନ୍ଧମାଳ ଦଙ୍ଗାର ଦଶବର୍ଷ ଅବସରରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀଜୀ କହିଥିଲେ, ହିନ୍ଦୁ ମୌଳବାଦୀମାନେ ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ନିରବ ରହିବା ଦୁର୍ଭାଗ୍ୟଜନ।

ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜକର୍ମୀ ତଥା ସାମ୍ବାଦିକ ପରଞ୍ଜୟ ଗୁହା ଥାକୁର୍ତ୍ତା କହିଲେ ଯେ ବର୍ତ୍ତମାନ ଦୁଇ ଜଣ ଦେଶକୁ ଶାସନ କରୁଛନ୍ତି। ଏ ଦୁହିଁକର ଆଦର୍ଶ ଫାଶିବାଦୀ ନେତା ହିଟଲର। ବୋଲି ଶ୍ରୀ ଗୁହା କହିଥିଲେ। ସେହିଭଳି ବିଶିଷ୍ଟ ସମାଜକର୍ମୀ ତଥା ଗୁଜୁରାଟ ଦଙ୍ଗାବେଳେ ଆଇଏଏସ୍‌ ପଦରୁ ଇସ୍ତଫା ଦେଇଥିବା ହର୍ଷ ମନ୍ଦେର ବର୍ତ୍ତମାନର ଦକ୍ଷିଣପନ୍ଥୀ ସରକାରର କଡ଼ା ନିନ୍ଦା କରିଥିଲେ। ସ୍ଥାନୀୟ ନାରୀ ନେତ୍ରୀ ପୁଷ୍ପାଞ୍ଜଳି ପଣ୍ଡା କନ୍ଧମାଳ ଦଙ୍ଗା ସମୟରେ ବିଜେପି, ଆର୍‌ଏସ୍‌ଏସ୍‌ କର୍ମୀମାନେ କିଭଳି ନିର୍ମମ ଭାବେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ସେ ସଂପର୍କରେ ଏକ ହୃଦୟ ବିଦାରକ ଚିତ୍ର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଦଙ୍ଗାର ଅନ୍ୟତମ ପୀଡ଼ିତ ନୁଙ୍ଗାଳି ପ୍ରଧାନ, ନଦୀମ୍‌ ଖାନ୍‌, ପ୍ରଫେସର ରାମ ପୁନିଆନି, ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ, ବିଜୟ ବହିଦାର, ସାମାଜିକ କର୍ମୀ ଅମୀୟ ପାଣ୍ଡବ, ଦେବରଂଜନ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ଦେଶରେ କନ୍ଧମାଳ ଦଙ୍ଗା ପରି ହୃଦୟ ବିଦାରକ ଦଙ୍ଗା ଆଉ ନ ହେଉ ବୋଲି ଆହ୍ଵାନ ଜଣାଇଥିଲେ।

ସମ୍ବନ୍ଧିତ ଖବର