ଦିନକ ପରେ ଜନ୍ମାଷ୍ଟମୀ, ଲକ୍ଷ୍ମଣାନନ୍ଦ ହତ୍ୟାକୁ ୧୧ ବର୍ଷ : ସାର୍ବଜନୀନ ହେଲାନି କମିସନ ତଦନ୍ତ ରିପୋର୍ଟ

ଫୁଲବାଣୀ : ଆଉ ଗୋଟିଏ ଦିନ ବାକି। ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ୧୧ ବର୍ଷ ପୂରିବ। ଏପର୍ଯ୍ୟନ୍ତ ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରିନାହିଁ। ଅନ୍ୟପକ୍ଷରେ, ଘଟଣାକୁ ଏତେ ବର୍ଷ ବିତି ଯାଇଥିଲେ ବି ସ୍ମୃତି ସାଉଁଟୁଛି ତୁମୁଡ଼ିବନ୍ଧ ଜଲେଶପଟା ଆଶ୍ରମ। ଝୁରୁଛନ୍ତି ଆଶ୍ରମର ଅନ୍ତେବାସୀ।
୨୦୦୮ ମସିହା ଅଗଷ୍ଟ ୨୩ରେ ସ୍ବାମୀଜୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲ।। ସେଦିନ ଥିଲା ଜନ୍ମାଷ୍ଟମୀ। ବହୁ ଆଡମ୍ବର ସହକାରେ ଆଶ୍ରମରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବାବେଳେ ହଠାତ୍ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆଶ୍ରମ ଭିତରକୁ ଧସେଇ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଲକ୍ଷ୍ମଣାନନ୍ଦଙ୍କୁ ଗୁଳି କରିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଆଉ କେତେ ଜଣ ଭକ୍ତ ଓ ଅନୁଗତ ବି ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣା ସେତେବେଳେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହି ଘଟଣା ପରେ ପାଖାପାଖି ୨ ମାସ ଧରି ହିଂସା ଲାଗି ରହିଥିଲା। ଏଥିରେ ବହୁ ଲୋକ ମୃତାହତ ହୋଇଥିଲେ। ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ମୃତକଙ୍କ ପ୍ରତି ପରିବାରକୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ ଆଉ ୩ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା। ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ପ୍ରଥମେ ପୁଲିସ ତଦନ୍ତ କରିଥିବାବେଳେ ତାପରେ ଏହାକୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ କୋର୍ଟ ଦଣ୍ଡ ପ୍ରଦାନ କରିଥିବା ବେଳେ ଜଣେ ଖଲାସ ହୋଇଥିଲା। ଏହି ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା, ଆଜାଦଙ୍କ ସମେତ କେତେ ଜଣଙ୍କ କେସ ବର୍ତ୍ତମାନ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି।

ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସରକାର ଏହି ଘଟଣାର ତଦନ୍ତ କମିସନ ଗଠନ କରିଥିଲେ। ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ର କମିସନ ସରକାରୀ ଓ ବେସରକାରୀ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ୨୦୧୨ ମସିହାରେ ଜଷ୍ଟିସ ଶ୍ରୀ ମହାପାତ୍ରଙ୍କ ପରଲୋକ ପରେ ଜଷ୍ଟିସ୍ ଏ.ଏସ ନାଇଡୁଙ୍କୁ ତଦନ୍ତ କମିସନ ଭାବେ ନିଯୁକ୍ତି ଦିଆଯାଇଥିଲା। କମିସନଙ୍କ ନିକଟରେ ସମୁଦାୟ ୩ ଶହ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ୭୮ ଜଣ ସରକାରୀ ଓ ୨୨୨ ଜଣ ବେସରକାରୀ ସାକ୍ଷୀ ରହିଛନ୍ତି। ନାଇଡୁ କମିଶନ ଗତ ୨୦୧୫ ଡିସେମ୍ବରରେ ୧,୦୨୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ହେଲେ କମିସନଙ୍କ ରିପୋର୍ଟ ଆଜି ସୁଦ୍ଧା ସାର୍ବଜନୀନ ହୋଇ ପାରିଲା ନାହିଁ।

ଅନ୍ୟପକ୍ଷରେ, ଜନ୍ମାଷ୍ଟମୀ ପାଇଁ ବର୍ତ୍ତମାନ ଜଲେଶପଟା ଆଶ୍ରମରେ ସାଜସଜ୍ଜା ଚାଲିଛି। ସ୍ବାମୀଜୀଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ପାଇଁ ଅନ୍ତେବାସୀ ମଧ୍ୟ ଉତ୍ସାହିତ ରହିଛନ୍ତି। ଆଇନଶୃଙ୍ଖଳା ଦୃଷ୍ଟିରୁ ଆଶ୍ରମ ପରିସର ଓ ବାହାରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର