ସ୍ୱର୍ଗଦ୍ଵାର ଜମି ଦୁର୍ନୀତି, ମହାପ୍ରଭୁଙ୍କୁ ନ୍ୟାୟ ମିଳିଲା

ପୁରୀ: ସ୍ୱର୍ଗଦ୍ଵାର ଜମି ଦୁର୍ନୀତି ମାମଲାର ରାୟ ପ୍ରକାଶ ପାଇଛି। ଓଇଏ କଲେକ୍ଟର ତଥା ତହସିଲଦାର ଆଜି ପୂର୍ବାହ୍ନରେ ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ୧୦ ଏକର ୧୭ ଡିସିମିଲି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିଛି। ବାକି ୬ ଏକର ୫୦୨ ଡିସିମିଲି ଜମିର ଶୁଣାଣି ପରବର୍ତ୍ତୀ ସମୟରେ ହେବ। ୩୦ ଏକର ୧୧୦ ଡିସିମିଲ ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରାଇ ଆଣିବା ପାଇଁ ମାମଲା ହୋଇଥିଲା। ଗତ ମେ’ ୮ ତାରିଖ ଦିନ ପ୍ରକାଶ ପାଇଥିବା ଅନ୍ତରୀଣ ରାୟରେ ୧୧ଏକର ୧୪୩ ଡିସିମିଲ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ କରାଯାଇଥିବା ବେଳେ ୨ଏକର ୪୪୮ଡିସିମିଲ ସରକାରୀ ଖାତାକୁ ଯାଇଥିଲା। ଏବେ ୧୦ଏକର ୦୧୭ ଡିସିମିଲ ଜମି ଶ୍ରୀମନ୍ଦିର ଖାତାକୁ ଫେରିଛି। ବଳକା ଜମିରୁ ୨ ଏକର ୩୯୨ ଡିସିମିଲି ଜମିରେ ବିବାଦ ଥିବା ବେଳେ ୪.୧୧୦ଏକର ଜମି ୧୮୮୯ ପୂର୍ବରୁ ବିଭିନ୍ନ ଦଖଲଦାରଙ୍କ ନାମରେ ସ୍ଥିତିବାନ୍‌ ହୋଇଯାଇଛି ଓ ୨.୪୪୮ ଏକର ଜମି ସରକାରୀ ଖାତାକୁ ଯାଇଛି। ଏହା ଉପରେ ଶୁଣାଣି ହେବ। ଅର୍ଥାତ୍‌ ୩୦ ଏକର ୧୧୦ ଡିସିମିଲ ଜମିରୁ ୨୧ଏକର ୧୬୦ ଡିସିମିଲି ଜମି ଶ୍ରୀମନ୍ଦିର ଖାତାକୁ ଫେରିଛି ଓ ୮.୯୫୦ଏକର ଜମି ଶ୍ରୀମନ୍ଦିର ଖାତାକୁ ଯାଇ ପାରିନାହିଁ। ସରକାରୀ ଖାତାକୁ ୨.୪୪୮ଏକର ଚାଲି ଯାଇଥିବାରୁ ବାକି ୬ଏକର ୫୦୨ ଡିସିମିଲି ଜମି ଉପରେ ପରବର୍ତ୍ତିି ସମୟରେ ଶୁଣାଣି କରାଯିବ ବୋଲି ଓଇଏ କଲେକ୍ଟର ତଥା ତହସିଲଦାର ପ୍ରବୀର ଖିଲାର କହିଛନ୍ତି। ଜମିଦାରୀ ଉଛେଦ ଆଇନ ବଳରେ ଶ୍ରୀମନ୍ଦିର ପ୍ରଶାସନ କରିଥିବା ଆବେଦନର ଶୁଣାଣି ପ୍ରକ୍ରିୟା ଗତ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। ଏହି ରାୟ ବର୍ଷେ ପରେ ପ୍ରକାଶ ପାଇଛି। ଅନ୍ୟପଟେ ମୂଳ ଆବେଦନ(ଓଇଏ କେସ୍‌ ନଂ.୩୪/୯୦)ର ୨୮ ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ରାୟକୁ ନେଇ ବିବାଦ ଛିଡ଼ା ହୋଇଛି। ଦଖଲଦାରଙ୍କ ପକ୍ଷରୁ ଆଇନଜୀବୀ ପ୍ରେମାନନ୍ଦ ମହାନ୍ତି କହିଛନ୍ତି, ଏହି ରାୟରେ ଅନେକ ତ୍ରୁଟି ରହିଛି। ଓଇଏ କଲେକ୍ଟର ଏହାର ଶୁଣାଣି କରିପାରିବେ ନାହିଁ। ଏଥିପାଇଁ ମାମଲା ବିଚାରାଧୀନ ରହିଛି। ଏଥିରେ ପୁଣି ମଠ ମନ୍ଦିର ରହିଥିବାରୁ ଦେବୋତ୍ତର କମିସନଙ୍କୁ ପକ୍ଷ କରିବା କଥା। କିନ୍ତୁ ତାହା ହୋଇନାହିଁ। ଏଣୁ ଏହି ରାୟକୁ ଚାଲେଞ୍ଜ କରାଯିବ।

ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ଏକର
ମେ’ ମାସରେ ଫେରିଥିଲା ୧୧.୧୪୩ ଏକର
ବଡ଼ବଡିଆଙ୍କ ହୋଟେଲ ସଂପର୍କରେ ବିଚାର ପରେ

ଏ ନେଇ ଶ୍ରୀମନ୍ଦିର ଆଇନଜୀବୀ ରାମଚନ୍ଦ୍ର ଦାଶ କହିଛନ୍ତି, ସମସ୍ତ ଶୁଣାଣି ଆଇନ ଅନୂଯାୟୀ ହୋଇଛି। କିନ୍ତୁ ଏହା ପୂର୍ଣ୍ଣାଙ୍ଗ ଶୁଣାଣି ନୁହେଁ। ଆମେ ସମ୍ପୂର୍ଣ୍ଣ ୩୦ ଏକର ୧୧୦ ଡିସିମିଲ ଜମି ଫେରିବା ପାଇଁ ଆବେଦନ କରିଛୁ। ୨ଏକର ୪୪୮ ଡିସିମିଲ ଜମି ସିଧାସଳଖ ସରକାରୀ ଖାତାକୁ ଚାଲିଯାଇଛି। ୧୯୯୦ ମସିହାରେ ଏହି ମାମଲା କରାଯାଇଥିଲା। ଏବେ ବେ-ବନ୍ଦୋବସ୍ତ ହେବାରୁ ସରକାରୀ ଖାତାକୁ ଚାଲିଯାଇଛି। ୧୯୯୦ ମସିହା ବା ଆବେଦନ ସମୟରେ ଶୁଣାଣି କରିଥିଲେ ଏହା ବେ-ବନ୍ଦୋବସ୍ତ ହୋଇନଥାନ୍ତା ବା ସରକାରୀ ଖାତାକୁ ଯାଇନଥାନ୍ତା। ଏଣୁ ଏହାକୁ ଏଡିଏମ୍‌ଙ୍କ କୋର୍ଟରେ ଚାଲେଞ୍ଜ କରାଯିବ। ଏହି ରାୟରେ ଅନେକ ବଡ଼ବଡ଼ିଆଙ୍କର ହୋଟେଲ ଉପରେ ରାୟ ପ୍ରକାଶ ପାଇନାହିଁ। ୨ ଏକର ୩୯୨ ଡିସିମିଲି ଜାଗାରେ ବଡ଼ବଡ଼ିଆଙ୍କ ହୋଟେଲ ରହିଛି। ଏହା ଉପରେ ସ୍ୱତନ୍ତ୍ର ଭାବେ ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏଥିରେ ୭ ଜଣ ବଡ଼ବଡ଼ିଆଙ୍କର ହୋଟେଲ ରହିଛି। ସମ୍ପୂର୍ଣ୍ଣ ବେଆଇନ ଭାବରେ ଏହି ଜମି ଦଖଲକୁ ଚାଲି ଯାଇଥିବାରୁ ଏହି ଜମି ସରକାରୀ ଖାତାକୁ ଫେରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଶ୍ରୀମନ୍ଦିର ଖାତାକୁ ଯାହା ସବୁ ଫେରୁଛି ତାହା ୟୁନିଫର୍ମ ପଲିସି ଜରିଆରେ ପୁଣି ଥରେ ଦଖଲଦାରଙ୍କ ପାଖକୁ ଆଇନ ସମ୍ମତ ଭାବରେ ଯିବା ସମ୍ଭାବନା ରହିଛି। ସରକାରୀ ଖାତାକୁ ଫେରିଲେ ଏହା ଭଙ୍ଗା ହେବା ସୁନିଶ୍ଚିତ।

୧୯୯୦ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ୩୦ ଏକର ୧୧୦ ଡିସିମିଲ ଜମି ଫେରାଇ ଆଣିବା ପାଇଁ ଓଇଏ କଲେକ୍ଟର ତଥା ତହସିଲଦାରଙ୍କ ନିକଟରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ତତ୍‌କାଳୀନ ତହସିଲଦାର ୧୯୯୫ ମସିହାରେ ଖାରଜ କରିଥିଲେ। ୨୦୧୫ ମସିହାରେ ଏଡିଏମ୍‌ ଏହି ମାମଲାର ରିମାଣ୍ଡ କରି ଶୁଣାଣି ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ୨ ବର୍ଷ ପଡ଼ି ରହିବା ପରେ ସ୍ୱର୍ଗଦ୍ଵାରର ୧୬ଏକର ୪୦୦ ଡିସିମିଲ ଜମି ଦୁର୍ନର୍ୀତି ପଦାକୁ ଆସିଥିଲା। ଏଥିରେ ହୋଇଥିବା ଦୁର୍ନୀତିକୁ ଧରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ସେହି ୨୭ ବର୍ଷ ତଳର ଆବେଦନକୁ ବିଚାରକୁ ନିଆଗଲା। ଗତ ମାର୍ଚ୍ଚ ମାସରୁ ଏହାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୮୮୯ ସାବକ ଖାତାରେ ବାଲିସାହି ମୌଜାର ଖାତା ସଂଖ୍ୟା ୩୩ରେ ୩୦ଏକର ୧୧୦ ଡିସିମିଲ ଜମି ରହିଥିଲା। ଜମିର ସ୍ୱତ୍ଵ ଅମୃତ ମଣୋହୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାର୍ଫତ ଶଙ୍କର ମଧୁସୂଦନ ତୀର୍ଥସ୍ୱାମୀ ଓ ଗୁରୁ ଦାମୋଦର ତୀର୍ଥସ୍ୱାମୀ ରହିଥିଲା। ସେଥିରୁ କ୍ରମାଗତ ଭାବରେ ମାର୍ଫତଦାର ବିକ୍ରି କରିଥିବା ବେଳେ କେତେକ ବେଆଇନ ଦଖଲ ମଧ୍ୟ ହୋଇଥିଲା। ସ୍ୱତ୍ଵ ମହାପ୍ରଭୁଙ୍କ ନାମରେ ଥିବାରୁ ଏହାକୁ ମହାପ୍ରଭୁଙ୍କ ମାଲିକାନାକୁ ଫେରାଇ ନେଇ ରେକର୍ଡ଼ ସଂଶୋଧନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓଇଏ କଲେକ୍ଟରଙ୍କୁ ଆବେଦନ କରିଥିଲା।

ସମ୍ବନ୍ଧିତ ଖବର