ରାଜଧାନୀକୁ ବର୍ଜ୍ୟ ଜଳ ଚିନ୍ତା: ୪ଟି ସ୍ଥାନରେ ହେବ ମିନି ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌

ଭୁବନେଶ୍ୱର: ରାଜଧାନୀରୁ ବାହାରୁଥିବା ୨୫୦ ଲିଟରରୁ ଅଧିକ ବର୍ଜ୍ୟ ଜଳ ଏବେ ରାଜଧାନୀବାସୀଙ୍କ ନିଦ ହଜାଇ ଦେଲାଣି। ରାଜଧାନୀରେ ଥିବା ୨ଲକ୍ଷରୁ ଅଧିକ ଘର, ଶହ ଶହ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ପବ୍ଲିକ ଟଏଲେଟ୍‌ ଆଦିରୁ ବାହାରୁଥିବା ବର୍ଜ୍ୟଜଳ ବିଶୋଧନ ହୋଇପାରୁ ନ ଥିବାରୁ ଡ୍ରେନ୍‌ ଓ ନଦୀରେ ମିଶୁଛି। କେତେକ ସ୍ଥାନରେ ଭୂତଳ ଜଳରେ ମିଶୁଛି। ଏପରିକି ରାଜଧାନୀ କଡ଼ରେ ଥିବା ଦୁଇ ନଦୀ କୁଆଖାଇ ଓ ଦୟା ପାଣି ପୂରା ଦୂଷିତ ହୋଇଗଲାଣି। ବର୍ଜ୍ୟ ଜଳ ଏବେ ରାଜଧାନୀରେ ବିଷ ବଳୟ ସୃଷ୍ଟି କରୁଥିବାବେଳେ ସ୍ୱେରେଜ୍‌ ବୋର୍ଡ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିପାରିଲାନି। ଏପରିସ୍ଥଳେ ବିଏମ୍‌ସି ରାଜଧାନୀରେ ୪ଟି ମିନି ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା କରିଛି।
ରାଜଧାନୀର ବର୍ଜ୍ୟ ଜଳ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି ଝାରପଡ଼ା, ଗାଡ଼କଣରେ ଥିବା ଡମ୍ପିଂୟାର୍ଡ, ଘାଟିକିଆ ଏବଂ ବାସୁଆଘାଇରେ ୪ଟି ମିନି ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା କରିଛି। ବିଏମ୍‌ସି କମିସନର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବର୍ଜ୍ୟଜଳ ନିଷ୍କାସନ, ପରିଚାଳନା ଓ ବିଶୋଧନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ଉପରୋକ୍ତ ୪ଟି ସ୍ଥାନରେ ୧୨୦୦ ବର୍ଗଫୁଟ ଅଞ୍ଚଳରେ ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ଲାଣ୍ଟ ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ।
ମିନି ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ପର୍ଯ୍ୟନ୍ତ ବର୍ଜ୍ୟଜଳ ପରିବହନ କରିବା ପାଇଁ ବିଏମ୍‌ସି ପକ୍ଷରୁ ଟେଣ୍ଡର ମାଧ୍ୟମରେ ସାଇନାଥ ଫେବ୍ରିକ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିକୁ ବଛାଯାଇଛି। ଏହି କମ୍ପାନି ହିଁ ବିଏମ୍‌ସି ଅଞ୍ଚଳ ମଧ୍ୟରେ ବର୍ଜ୍ୟଜଳ ପରିବହନ କରିବ। ସମସ୍ତ ବର୍ଜ୍ୟଜଳକୁ ଟି୍ରଟମେଣ୍ଟ ପ୍ଲାଣ୍ଟରେ ପକାଇବା ଦାୟିତ୍ୱ ଏହି ସଂସ୍ଥାର। ଏହାଦ୍ୱାରା କୌଣସି ଡ୍ରେନ୍‌, ନଦୀ, ନାଳ କି ଖୋଲା ସ୍ଥାନରେ ବର୍ଜ୍ୟଜଳ ଛଡ଼ାଯିବନି। ସମସ୍ତେ ଯେପରି ସେସ୍‌ପୋଲ୍‌ ମାଧ୍ୟମରେ ବର୍ଜ୍ୟଜଳ ଛାଡ଼ିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ୬ଟି ନୂତନ ସେସ୍‌ ପୋଲ୍‌ କିଣାଯାଇଛିି। ୩ହଜାର କିଲୋଲିଟର ବିଶିଷ୍ଟ ଏହି ସେସ୍‌ପୋଲ୍‌ ଗୁଡ଼ିକ ସମେତ ବିଏମ୍‌ସିର ପୂର୍ବରୁ ୨ଟି ସେସ୍‌ ପୋଲ୍‌କୁ ସାଇନାଥ ଫ୍ୟାବ୍ରିକ କେୟାରକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ମୋଟ୍‌ ୮ଟି ସେସ୍‌ ପୋଲ୍‌ ମାଧ୍ୟମରେ ବର୍ଜ୍ୟଜଳ ପରିବହନ ହେବ।
ସେହିପରି ସମସ୍ତ ହୋଟେଲ, ଆପାର୍ଟମେଣ୍ଟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଯେପରି ବ୍ୟବସ୍ଥିତ ଢଙ୍ଗରେ ବର୍ଜ୍ୟ ଜଳ ନିଷ୍କାସନ କରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରଚାର ପ୍ରସାର କରିବାକୁ ଯୋଜନା ହୋଇଛି। ୩ହଜାର କିଲୋଲିଟର ବିଶିଷ୍ଟ ସେସ୍‌ପୋଲ୍‌ ବ୍ୟବହାର ପାଇଁ ଟ୍ରିପ୍‌ ପିଛା ୩ହଜାର ଟଙ୍କା ଏବଂ ସାଢ଼େ ୪ହଜାର କିଲୋଲିଟର ପାଇଁ ୯୦୦ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି।
ଏହି ସେସ୍‌ପୋଲ୍‌ ଗୁଡ଼ଇକ ଯେପରି ବିନା ପ୍ରତିବନ୍ଧରେ ସହର ମଧ୍ୟରେ ଯାତାୟତ କରିପାରିବ ସେଥିପାଇଁ ବିଏମ୍‌ସି ପକ୍ଷରୁ କମିସନରେଟ୍‌ ପୁଲିସକୁ ଚିଠି ଲେଖାଯିବ।
ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ରାଜଧାନୀରେ ବର୍ଜ୍ୟଜଳ ସମସ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ସ୍ୱେରେଜ୍‌ ବୋର୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ୬ଟି ଯାକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି। ଗୋଟିଏ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଆହୁରି ୬ରୁ ୭ମାସ ସମୟ ଲାଗିବ। ବାକି ୫ଟି ପାଇଁ ପ୍ରକି୍ରୟା ଆରମ୍ଭ ହୋଇଛି। ତେଣୁ ସମସ୍ତ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଏହି ମିନି ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ବର୍ଜ୍ୟ ଜଳ ପରିଚାଳନା ହେବ।

ସମ୍ବନ୍ଧିତ ଖବର