ମାଡ଼ୁଛି ସ୍ବାଇନ୍ ଫ୍ଲୁ : ଯୁବତୀଙ୍କ ମୃତ୍ୟୁ ସନ୍ଦେହ

ଭୁବନେଶ୍ବର : ରାଜ୍ୟରେ ସ୍ବାଇନ୍ ଫ୍ଲୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ପ୍ରତ୍ୟେକ ଦିନ ଏକାଧିକ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ଆଜି ଗୋଟିଏ ଦିନରେ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ଯୁବତୀ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାକୁ ମିଶାଇଲେ ଚଳିତ ମାସରେ ରାଜ୍ୟରେ ୨ଜଣଙ୍କର ମୃତ୍ୟୁ ହୋଇଛି। ତେବେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏ ନେଇ ମୁହଁ ଖୋଲୁ ନାହାନ୍ତି। ତଦନ୍ତ ହେବା ପରେ ମୃତ୍ୟୁ ନେଇ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକ ଅଞ୍ଚଳର ଏହି ଯୁବତୀ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ଆଜି ୬ଟି ସ୍ବାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି। ସମସ୍ତ ଆକ୍ରାନ୍ତ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା, ଆଜିର ମୃତ୍ୟୁ ସଂପର୍କରେ କୌଣସି ସୂଚନା ନାହିଁ। ଯେଉଁ ଘରୋଇ ହସ୍ପିଟାଲ କଥା କୁହାଯାଉଛି ସେଠାରୁ ବିଭାଗକୁ କୌଣସି ଖବର ଆସିନାହିଁ। ତେଣୁ ତଦନ୍ତ ହେବା ପରେ ଏହା ସ୍ବାଇନ୍ ଫ୍ଲୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ।

ଉଲ୍ଲେଖ ଯେ, ଗତମାସରେ ୧୬ରୁ ଅଧିକ ବ୍ୟକ୍ତି ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ମାସ ୯ତାରିଖରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସ୍ବାଇନ୍ ଫ୍ଲୁରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର