ରାଜ୍ୟରେ ସ୍ବାଇନ୍ ଫ୍ଲୁ ସ୍ଥିତି ଉଦ୍‌ବେଗଜନକ

ମାସକରେ ୧୬ ପଜିଟିଭ୍, ଜଣେ ମୃତ

ଭୁବନେଶ୍ବର : ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବର୍ଷ ଆରମ୍ଭରୁ ସ୍ବାଇନ୍ ଫ୍ଲୁ ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ରାଜାଧୀନର ଘରୋଇ ଡାକ୍ତରଖାନା ଗୁଡ଼ିକରେ ମାଳ ମାଳ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଶେଷକରି ରାଜଧାନୀ ଆଖପାଖ ଅଞ୍ଚଳରୁ ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ମାତ୍ର ସରକାରୀଭାବେ ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୬ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି। ଏହାସହ ଜଣେ ବ୍ୟକ୍ତି ଏଥିରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆସନ୍ତା କିଛିଦିନ ପାଇଁ ରାଜ୍ୟରେ ସ୍ବାଇନ୍ ଫ୍ଲୁର ସ୍ଥିତି ଉଦ୍‌ବେଗଜନକ ରହିବ ବୋଲି ଆଶା କରାଯାଉଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ୧୬୭ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୧୬ଟି ନମୁନା ପଜିଟିଭ୍ ରହିଛି। ଆଜି ୪ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ତହିଁରୁ ଗୋଟିଏ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। ଗତ ୯ତାରିଖରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତି ସ୍ବାଇନ୍ ଫ୍ଲୁରେ ପ୍ରାଣ ହରାଇଛନ୍ତି। ରାଜଧାନୀ ସମତେ ଖୋର୍ଧା, ପିପିଲି ଅଞ୍ଚଳରୁ ହିଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ମୋଟ୍‌ ୩୩ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୭ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ମାତ୍ର ଚଳିତବର୍ଷ ୪୨ ଦିନ ଭିତରେ ୧୬ଟି ନମୁନା ପଜିଟିଭ୍ ଆସିବା ରାଜ୍ୟରେ ସ୍ବାଇନ୍ ଫ୍ଲୁ ଜନିତସ୍ଥିତି ଗମ୍ଭୀର ରହିଥିବା ସୂଚାଉଛି। ଅପରପକ୍ଷରେ ଗତ ୫ବର୍ଷ ଭିତରେ କେବଳ ୨୦୧୬ ମସିହାକୁ ବାଦ୍ ଦେଲେ ଅନ୍ୟ ବର୍ଷଗୁଡ଼ିକରେ ଅଧିକରୁ ଅଧିକ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ‌ସହିତ ପ୍ରାଣ ହରାଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା, ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଓଡ଼ିଶାଠାରୁ ଅଧିକ ସଂଖ୍ୟାରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଦେଶରେ ଅନ୍ୟାନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ବାଇନ୍ ଫ୍ଲୁ ‌ସ୍ଥିତି ‌ସେତେଟା ଗମ୍ଭୀର ନୁହେଁ। ଏବେ ଜାତୀୟସ୍ତରରେ ସ୍ବାଇନ୍ ଫ୍ଲୁକୁ ଏବେ ସାଧାରଣ ଏନ୍‌ଫ୍ଲୁଏଞ୍ଜା ଭାଇରସ୍ ଭାବେ ବିବେଚନା କରିବାକୁ ଆରମ୍ଭ କଲେଣି। ଜୋର୍‌ରେ ଖରା ଆରମ୍ଭ ହେଲେ ଏଥିରେ ହ୍ରାସ ଘଟିବ। ରାଜ୍ୟରେ ସ୍ବାଇନ୍ ଫ୍ଲୁର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି। ୫ଟି ସରକାରୀ ଓ ୩ଟି ବେସରକାରୀ ମେଡିକାଲ କଲେଜ ସମେତ ଏମ୍‌ସ ଭୁବନେଶ୍ବର, କ୍ୟାପିଟାଲ ହସ୍ପିଟାଲରେ ସ୍ବାଇନ୍ ଫ୍ଲୁର ସ୍କ୍ରିନିଂ ସହିତ କେସ୍ ପରିଚାଳନା ଓ ଭେଣ୍ଟିଲେଟର ସହିତ ଆଇସୋଲେସନ୍‌ର ସୁବିଧା ରହିଛି। ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଜିଏଚ୍ ରାଉରକେଲାରେ ସ୍କ୍ରିନିଂ ସହିତ ଆଇସୋଲେସନ୍‌ର ସୁବିଧା ରହିଛି। ସେହିପରି ସ୍ବାସ୍ଥ୍ୟ ବିଭାଗର ରେଫରାଲ ହସ୍ପିଟାଲ ଭାବେ ରାଜଧାନୀର ୯ଟି ଓ କଟକର ୩ଟି ଘରୋଇ ହସ୍ପିଟାଲରେ ମଧ୍ୟ ଏହି ସୁବିଧା ମିଳିବ। ସ୍ବାଇନ୍ ଫ୍ଲୁ ପାଇଁ ଆବଶ୍ୟକ ୫ ପ୍ରକାରର ଔଷଧ ‘ନିରାମୟ’ ଯୋଜନାରେ ଉପଲବ୍ଧ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର