ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଟିକେଟ୍‌ ପାଇଁ ଲମ୍ବା ଧାଡ଼ି : ସରିଗଲା ଗ୍ୟାଲେରି ଟିକେଟ୍‌

କଟକ : ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେ୍ଵଣ୍ଟି-୨୦ କ୍ରିକେଟ ପାଇଁ ଶନିବାରଠୁ କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ ହୋଇଛି। ଆରମ୍ଭରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିବାରୁ ପ୍ରଥମ ଦିନରେ ପ୍ରାୟ ୯୦ ପ୍ରତିଶତ ଟିକେଟ ବିକ୍ରି ହୋଇଯାଇଛି। ଶନିବାର ପାଇଁ ମାତ୍ର ୩୪୦ ଟିକେଟ୍‌ ଉପଲବ୍‌ଧ ଥିବାବେଳେ ଏହା କେବଳ ୩୦୦୦ରୁ ଊର୍ଧ୍ୱ ଟଙ୍କା ମୂଲ୍ୟ ବିଶିଷ୍ଟ ସ୍ପେଶାଲ ଏନ୍‌କ୍ଲୋଜର୍‌ (୨୩୩), କର୍ପୋରେଟ୍‌ ବକ୍ସ (୧), ଏସି ବକ୍ସ (୧୦୬) ହୋଇଥିବାରୁ ସାଧାରଣ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି। ରବିବାର ଏହି ବଳକା ଟିକେଟ ଗୁଡ଼ିକ କେବଳ ୧ ନମ୍ବର କାଉଣ୍ଟରରେ ବିକ୍ରି କରାଯିବ।

କାଉଣ୍ଟରରେ ବିକ୍ରି ପାଇଁ ୧୨, ୫୨୯ ଟିକେଟ୍‌ ଉଦ୍ଧିଷ୍ଟ ଥିଲା। ସେଥିମଧ୍ୟରୁ ୧ ନମ୍ବର କାଉଣ୍ଟରରେ ସ୍ପେଶାଲ ଏନ୍‌କ୍ଲୋଜୋର, ନିଉ ପ୍ୟାଭିଲିଅନ୍‌, ଏସି ଗ୍ୟାଲେରୀ, କର୍ପୋରେଟ୍‌ ବକ୍ସ ଟିକେଟ ବିକ୍ରୀ କରାଯାଇଥିଲାବେଳେ ପ୍ରଥମ ୩ ଘଣ୍ଟା ଭିଡ ରହିଥିଲା। ଅନ୍ୟପକ୍ଷରେ ଗ୍ୟାଲେରୀ ଟିକେଟ ପାଇଁ ଉଦ୍ଧିଷ୍ଟ ଥିବା ୨ ଓ ୩ ନମ୍ବର ଗ୍ୟାଲେରୀରେ ଅସମ୍ଭାଳ ଭିଡ ଦେଖବାକୁ ମିଳିଥିଲା। ଟିକେଟ ପାଇଁ ପୂର୍ବଦିନ ରାତି ଅଧରୁ ଦର୍ଶକମାନେ ଧାଡ଼ିରେ ଛିଡ଼ା ହୋଇଥିଲାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ୍‌ ମୁତୟନ ହୋଇଥିଲା। ହେଲେ ମହିଳାମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ୩ ନମ୍ବର କାଉଣ୍ଟର ପାଖରେ ମହିଳା ଓ ଯୁବତୀମାନେ ସ୍ୱତଃ ଏକ ନୂଆ ଧାଡ଼ି ତିଆରି କରିଥିଲେ। ପୁଲିସ୍‌ର ସହାୟତାକ୍ରମେ ମହିଳାଙ୍କୁ ଟିକେଟ କିଣିବାକୁ ସୁଯୋଗ ଦିଆଯାଇଥିଲା। ତେବେ ଟିକେଟ କିଣାକୁ ନେଇ ଏକାଧିକ ଥର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ପକେଟମାରମାନେ ବି ସକ୍ରିୟ ହୋଇଯାଇଥିଲେ। ଜଣେ ପକେଟମାର୍‌ ଧରାପଡ଼ିବା ପରେ ନିର୍ଦ୍ଧୁମ୍‌ ଛେଚା ମଧ୍ୟ ଖାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର