ତାହିର ଅଲ୍ଲୀ ଗୁଳିକାଣ୍ଡ ଘଟଣା : ଜଳସେଚନ ବିଭାଗର ୪ ଅଧିକାରୀ ବି ସାମିଲ୍‌

ଆଜି ଜେଲ୍‌ ଫେରିବ ଟିଟୋ, ରିମାଣ୍ଡରେ ଆଣିବ ଚାଉଳିଆଗଞ୍ଜ, କିଶନନଗର ପୁଲିସ; ଜଣାପଡ଼ିଲା ଆହୁରି ୪ ସହଯୋଗୀଙ୍କ ସଂପୃକ୍ତି

କଟକ : ଟେଣ୍ଡର କାମରେ ଜଗତପୁର ଜଳସେଚନ ବିଭାଗର ଚାରି ଜଣ ବରିଷ୍ଠ ଅଧିକାରୀ ଭିତିରି ତଥ୍ୟ ଟିଟୋକୁ ଯୋଗାଉଥିଲେ। ଟିଟୋର ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ କାଲା ବାବୁ ମାଧ୍ୟମରେ ସମ୍ପୃକ୍ତ ଅଧିକାରୀମାନେ ଟେଣ୍ଡର ସମ୍ପର୍କିତ ସମସ୍ତ ଗୁପ୍ତ ତଥ୍ୟ ଲିକ୍‌ କରୁଥିଲେ। ଯଦ୍ୱାରା ଅନ୍ୟ ଠିକାଦାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିଲା। ସମ୍ପୃକ୍ତ ଚାରି ଅଧିକାରୀଙ୍କ ତାଲିକା ଟିଟୋ ଆଜି ଦୁଇ ଦିନିଆ ରିମାଣ୍ଡର ଶେଷ ଦିନରେ ଜଗତପୁର ଥାନା ପୁଲିସ ଆଗରେ ପ୍ରକାଶ କରିଛି। ତା’ ସହିତ ଜଳସେଚନ ବିଭାଗରେ ୩୦ ଲକ୍ଷ ଟଙ୍କା ଟେଣ୍ଡର କାମରେ ତାହିର୍‌ ଅଲ୍ଲୀ ଗୁଳିକାଣ୍ଡ ଘଟଣାରେ ଆହୁରି ୪ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତ ଥିବା ମଧ୍ୟ ଟିଟୋ ଆଜି ପୁଲିସକୁ କହିଛି। ଆବଶ୍ୟକ ପଡ଼ିଲେ ପୁଣି ଥରେ ଟିଟୋକୁ ପୁଲିସ ରିମାଣ୍ଡରେ ଆଣିବାର ସମ୍ଭାବନା ଥିବା ସୂଚନା ମିଳିଛି।

ତାହିର୍‌ ଅଲ୍ଲୀ ଗୁଳିକାଣ୍ଡ ଘଟଣାରେ ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ ସୟଦ ଉସ୍‌ମାନ୍‌ ଅଲ୍ଲୀର ଦୁଇ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଆସନ୍ତାକାଲି ପୁଲିସ ତାକୁ ସାଲେପୁର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଦିନ ପ୍ରାୟ ୧୦ଟା ୩୦ରେ ହାଜର କରିବ। ପରେ ତାକୁ ସାଲେପୁର ଜେଲ୍‌ ହାଜତକୁ ପଠାଇ ଦିଆଯିବ। ଗତକାଲି ଅଦାଲତରୁ ୨ଦିନ ରିମାଣ୍ଡରେ ଆସିବା ପରେ ଟିଟୋକୁ ମାର୍ଚ୍ଚ ୨୮ ତାରିଖ ସନ୍ଧ୍ୟା ଜଗତପୁର ଥାନା ମଧ୍ୟକଚ୍ଛ ପଞ୍ଚାୟତର ତାହିର୍‌ ଅଲ୍ଲୀ ଗୁଳିମାଡ଼ ଘଟଣାରେ ପଚରା ଉଚରା କରାଯାଇଥିଲା। ଗତକାଲି ଅପରାହ୍ନ ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଜେରା କରାଯାଇଥିଲା। ଡିସିପି ଅଖିଳେଶ୍ୱର ସିଂହ ଗତକାଲି ରାତିରେ ୬ ଘଣ୍ଟା ଜେରା କରିଥିଲେ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଦିନ ପ୍ରାୟ ୧୧ଟାରୁ ୨ଟା ଏବଂ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଏସିପି ତ୍ରିନାଥ ମିଶ୍ର ଏବଂ ଥାନା ଇନ୍‌ସ୍ପେକ୍ଟର ବିରଞ୍ଚି ପତି ଆଜି ତାକୁ ଜେରା କରିଥିଲେ। ନିର୍ଦ୍ଦିଷ୍ଟ ଭାବେ ଜଗତପୁର ଜଳସେଚନ ବିଭାଗରେ ଦୀର୍ଘ ଦିନ ହେବ ଟିଟୋର ଟେଣ୍ଡର ଫିକ୍ସିଂରେ ବିଭାଗର କେଉଁ ଅଧିକାରୀଙ୍କ ହାତ ରହିଥିଲା, କିଭଳି ଫିକ୍ସିଂ ଚାଲିଥିଲା, ତାହିର୍‌ଙ୍କୁ ଗୁଳିକାଣ୍ଡ ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଥିଲା ସେ ସମ୍ପର୍କରେ ପୁଲିସ ଜାଣିବାକୁ ଚାହିଁଥିଲା। ଟେଣ୍ଡର ସମ୍ପର୍କିତ ଲିକ୍‌ ହେଉଥିବା ତଥ୍ୟ ବିଭାଗରୁ କାଲା ବାବୁ ମାଧ୍ୟମରେ ଟିଟୋ ନିକଟକୁ ଆସୁଥିବା ଜେରାରେ ସେ ସ୍ୱୀକାର କରିଛି। ବିଭାଗରେ ଏ ପ୍ରକାର କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ପୁଲିସ ଏବେ ନିର୍ଦ୍ଦିଷ୍ଟ ଭାବେ ୪ ବରିଷ୍ଠ ଅଧିକାରୀଙ୍କୁ ଜେରା କରିବାକୁ ନୋଟିସ୍‌ ଜାରି କରିବ। ଅନ୍ୟପଟେ ଏଥିରେ ଆଉ କିଛି ଠିକାଦାରଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ସମ୍ପୃକ୍ତ ଠିକାଦାରଙ୍କୁ ମଧ୍ୟ ପୁଲିସ ଜେରା କରିବାକୁ ଥାନାକୁ ଡାକିବ। ତାହିର୍‌ଙ୍କ ଗୁଳିମାଡ଼ ଘଟଣାରେ ୬ରୁ ଅଧିକ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଅନ୍ୟ ଚାରି ଅପରାଧୀ ସୂଚନା ଆଜି ପୁଲିସ୍‌ ଜାଣିବାକୁ ପାଇଛି। ସେମାନଙ୍କୁ ଗିରଫ କରିବାକୁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି।

ଜଗତପୁର ମାମଲାରେ ଟିଟୋ ରିମାଣ୍ଡରେ ଆସିବା ପରେ ଏବେ କମିସନରେଟ୍‌ ପୁଲିସର ନଜର ଚାଉଳିଆଗଞ୍ଜ ଥାନାରେ ଟିଟୋ ବିରୋଧରେ ୨୦୧୬ରେ ରହିଥିବା ମାମଲା ଉପରେ ରହିଛି। ଟିଟୋର ଇଙ୍ଗିତରେ ମହାନଦୀ ବ୍ୟାରେଜ ଡିଭିଜନ, ଡ୍ରେନେଜ୍‌ ଡିଭିଜନ, ଆର୍‌ଆଣ୍ଡ୍‌ବି ଡିଭିଜନରେ ଟେଣ୍ଡର ଫିକ୍ସିଂ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ କାରବାର ହେଉଥିଲା। ତା’ସହିତ କଟକ-ପାରଦୀପ ଓ କଟକ-ଜଗତସିଂହପୁର ରୁଟ୍‌ରେ ଚଳାଚଳ କରୁଥିବା ବସ ମାଲିକଙ୍କୁ ଧମକ ଚମକ ଦେଇ ଦାଦାବଟି ଆଦାୟ ସହିତ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ମାମଲାରେ ବି ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଚାଉଳିଆଗଞ୍ଜ ଥାନା ପୁଲିସ ଟିଟୋର ୮ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏବେ ଟିଟୋ ଗିରଫ୍‌ ପରେ ତାକୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି। କିନ୍ତୁ କେତେଦିନ ରିମାଣ୍ଡ ଅଣାଯିବ ତାହା ସ୍ପଷ୍ଟ ହୋଇନାହିଁ।

ଖାଲି ଚାଉଳିଆଗଞ୍ଜ ନୁହେଁ, ୨୦୧୭ରେ କଟକ କିଶନଗର ଥାନା କାଳିକାପୁରଠାରେ ମହାନଦୀ ବନ୍ଧରାସ୍ତା କାମ ଚାଲିଥିବା ବେଳେ ଠିକାଦାରଙ୍କୁ ଦାଦାବଟି ପାଇଁ ବୋମାମାଡ ହୋଇଥିଲା। ଏହି ଘଟଣାରେ ଟିଟୋ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ରିମାଣ୍ଡରେ ଆଣିବାକୁ ମଧ୍ୟ ଯୋଜନା କରୁଥିବା ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର