ଭୋଗେଇ ପାଇଁ ମିଳୁନି ତାଳପତ୍ର

ତାଳଗଛ ସଂରକ୍ଷଣ ପାଇଁ ଦାବି, ସେବକ ମାନ୍ୟତା ମାଗିଲେ ତାଳପତ୍ର ଶିଳ୍ପୀ

ପୁରୀ : ମହାପ୍ରଭୁଙ୍କ ଭୋଗ ରହୁଥିବା ତାଳପତ୍ର ଭୋଗେଇ ପାଇଁ ମିଳୁନି ତାଳପତ୍ର। ଭକ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୋଗେଇ ଚାହିଦା ବି ବଢ଼ୁଛି। ହେଲେ ତାଳପତ୍ର ମିଳୁନାହିଁ। ଏବେଠୁ ତାଳଗଛ ସଂରକ୍ଷଣ କରାନଗଲେ, ଆଗକୁ ତାଳପତ୍ର ଭୋଗେଇ ଲୁପ୍ତ ହୋଇଯିବ। ବଦଳିଯିବ ମହାପ୍ରଭୁଙ୍କ ଭୋଗ ପରମ୍ପରା। ତେଣୁ ତୁରନ୍ତ ତାଳଗଛ କଟା ଉପରେ ରୋକ୍‌ ଲଗାଇବାକୁ ଭୋଗେଇ ଶିଳ୍ପୀମାନ‌େ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି।

ସିଦ୍ଧମହାବୀରପାଟଣାରେ ରହୁଛନ୍ତି ତାଳପତ୍ର ଶିଳ୍ପୀ। ଲୋକନାଥ ବେହେରା, ହୃଷିକେଶ ବେହେରା, ବୈକୁଣ୍ଠ, ଶଙ୍କର ‌ବେହେରାଙ୍କ ସମେତ ବହୁ ଶିଳ୍ପ ତାଳପତ୍ର ସମସ୍ୟା ନେଇ ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି। ‌ସେମାନେ ଦର୍ଶାଇଛନ୍ତି ଯେ, ଶହଶହ ବର୍ଷରୁ ସେମାନେ ୪୦ ପରିବାର ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଭୋଗ ପାଇଁ ତାଳପତ୍ର ଭୋଗେଇ ଯୋଗାଉଛନ୍ତି। କେବଳ ସେତିକି ନୁହେଁ, ନବକଳେବର ସମୟରେ ଦାରୁଦେବତାଙ୍କ ପାଇଁ ଦାରୁ ତାଟ ପ୍ରସ୍ତୁତ କରି ଦେଉଛନ୍ତି। ମାତ୍ର ଏବେ ତାଳଗଛ ବିଲୁପ୍ତ ହେବାକୁ ବସିଲାଣି। ତେଣୁ ଠାକୁରଙ୍କର ଏହି ଭୋଗେଇ ପରମ୍ପରାକୁ ବଞ୍ଚାଇ ରଖିବା କଷ୍ଟକର ବ୍ୟାପାର ହେଲାଣି। ପ୍ରଶାସନ ପକ୍ଷରୁ ତାଳଗଛ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବା ଆବଶ୍ୟକ। ଏବେ ତାଳଗଛ କାଟି ଦିଆଯାଉଛି। ରାସ୍ତା କଡ଼ରେ ଥିବା ତାଳଗଛକୁ ରାସ୍ତା ସମ୍ପ୍ରସାରଣବେଳେ କଟାଯାଉଛି। ହେଲେ ନୂଆ ଗଛ ଲଗାଯିବା ବେଳେ ତାଳଗଛ ଲଗାଯାଉନାହିଁ। ସେହିପରି ଜଙ୍ଗଲ ଗୁଡ଼ିକରେ ତାଳଗଛ ଲଗାଯିବାକୁ ଯୋଜନା ହେଉନାହିଁ। ଫଳରେ ତାଳପତ୍ର ଦିନକୁ ଦିନ ଅଭାବ ହେଲାଣି। ଏପରିକି ଅନେକ ସମୟରେ ବହୁ ଦୂରରୁ ତାଳପତ୍ର ସଂଗ୍ରହ କରି ଭୋଗେଇ ପ୍ରସ୍ତୁତ କରିବାକୁ ପଡ଼ୁଛି। ଯାହା ବ୍ୟୟବହୁଳ ଓ ସମୟ ସାପେକ୍ଷ ମଧ୍ୟ। ଏଥିପ୍ରତି ପ୍ରଶାସନ କେବେ ବି ଗୁରୁତ୍ବ ଦେଇନାହିଁ। ଯାହାଦ୍ବାରା ଧିରେ ଧିରେ ଏହା ଲୋପ ହେବାକୁ ବସିଛି ବୋଲି ତାଳପତ୍ର ଶିଳ୍ପୀ କହିଛନ୍ତି।

ବିଭିନ୍ନ ସ୍ଥିତି ସହ ଯୁଝି ଭୋଗେଇ ପ୍ରସ୍ତୁତ କରୁଥିବା ଏହି ଶିଳ୍ପୀମାନଙ୍କୁ ଆଜିଯାଏ ସେବକ ତାଲିକାଭୁକ୍ତ କରାଗଲାନାହିଁ। ଯାହା ତାଙ୍କର ପ୍ରାପ୍ୟ ବୋଲି ସେମାନେ ଦର୍ଶାଇଛନ୍ତି। ଏହାବ୍ୟତୀତ ବହୁ କଷ୍ଟରେ ତାଳପତ୍ର ଭୋଗେଇ ତିଆରି କରି ମନ୍ଦିରକୁ ନେବା ବେଳେ ତାଙ୍କୁ ମାହାସୁଲ (ଟିକସ) ଦେବାକୁ ପଡ଼ୁଛି। ସେମାନଙ୍କ ଉପରେ ଏହା ବୋଝ ହୋଇଛି। ମନ୍ଦିର ପ୍ରଶାସନ ତାଳଗଛର ସୁରକ୍ଷା କରିବା ସହ ତାଳଗଛରୁ ପତ୍ର ତୋଳିବା ପାଇଁ ଗଛ ଚଢ଼ା ଯନ୍ତ୍ର ମାଗଣାରେ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏଥି ସହ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର