ଲୋକସେବା ଭବନ ପ୍ରବେଶ ପଥରେ ଗାନ୍ଧିଜୀଙ୍କ ‘କଷଟି’, ଆଜି ଉନ୍ମୋଚନ

ଭୁବନେଶ୍ବର : ଲୋକସେବା ଭବନର ପ୍ରବେଶ ପଥରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ କଷଟି ପଥର (Talisman) ପ୍ରତିଷ୍ଠା କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନାବରଣ କରିବେ।

ଜାତିର ପିତା ଗାନ୍ଧୀଙ୍କ ଭାଷାରେ ‘ ମୁଁ ତୁମକୁ ଦେବି ଏକ କଷଟି ପଥର। ଯେତେବେଳେ ତୁମେ ଦ୍ବନ୍ଦ୍ବରେ ଅଛ କିମ୍ବା ନିଜ ଉପରେ ଅହଂର ପ୍ରଭାବ ବୃଦ୍ଧି ପାଉଛି, ସେତେବେଳେ ଏମିତି କିଛି ପରୀକ୍ଷା ଦିଅ… ତୁମେ ଦେଖିଥିବା ସବୁଠାରୁ ଗରିବ ଓ ଦୁର୍ବଳ ବ୍ୟକ୍ତିଙ୍କ ଚେହେରାକୁ ମନେପକାଅ ଏବଂ ନିଜ ମନକୁ ପଚାର, ଯେଉଁ ପଦକ୍ଷେପ ତୁମେ ନେବାକୁ ଚିନ୍ତା କରୁଛ, ତାହା ସେହି ବ୍ୟକ୍ତି ପାଇଁ କେତେ ଉପଯୋଗୀ ହେବ। ତାହାଦ୍ବାରା ସେହି ବ୍ୟକ୍ତିଙ୍କୁ କିଛି ଲାଭ ମିଳିବ କି। ଏହାଦ୍ବାରା ସେ ନିଜ ଜୀବନ ଓ ଭାଗ୍ୟ ଉପରେ କିଛି ନିୟନ୍ତ୍ରଣ ରଖିପାରିବ। ଅନ୍ୟ ଅର୍ଥରେ ଏହାଦ୍ବାରା କୋଟି କୋଟି ଭୋକିଲା ଓ ଅତୃପ୍ତ ଆତ୍ମାଙ୍କୁ ସ୍ବରାଜ ମିଳିପାରିବ କି। ସେତେବେଳେ ତୁମେ ଦେଖିବ କି ତୁମ ସନ୍ଦେହ ଦୂର ହେଉଛି ଏବଂ ଅହଂ ଭାବ ଶେଷ ହେଉଛି’।

ମହାତ୍ମା ଗାନ୍ଧୀଙ୍କ ଏହି କଷଟି ପଥର ବାଣୀକୁ ଲୋକସେବା ଭବନରେ ସ୍ଥାପନ କରି ସରକାରୀ କର୍ମଚାରୀଙ୍କ ଭିତରେ ଗାନ୍ଧୀ ଚେତନାକୁ ଜାଗ୍ରତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଗାନ୍ଧୀଙ୍କ ଏହି ମହତ ବାଣୀ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହ ଲୋକଙ୍କ ସେବା ପାଇଁ ମନୋଭାବ ସୃଷ୍ଟି କରିପାରିବ। ସରକାରୀ ଅଧିକାରୀ ଓ ନେତାମାନେ ଅହଂ ଭାବ ଛାଡ଼ି ଏହି କଷଟି ପଥର ବାଣୀକୁ ପାଥେୟ କରି ଲୋକଙ୍କ ପାଇଁ କାମ କରିବେ ଏହି ଆଶା ସରକାର ରଖିଛନ୍ତି।

ସମ୍ବନ୍ଧିତ ଖବର