ଦିନକୁ ହେଉଛି ଅଧମିଟର କାମ

ତାମୁଳିଆ ଫ୍ଲାଏ ଓଭର: ୪ ବର୍ଷରେ ବି ସରିଲାନି ୮୦୦ ମିଟର

ବାଲେଶ୍ୱର, (ଅବିନାଶ ମହାପାତ୍ର): ବାଲେଶ୍ୱର ସହରରର ପ୍ରବେଶ ପଥ ତାମୁଳିଆ ଫ୍ଲାଇଓଭର କାମ କଚ୍ଛପ ଗତିରେ ଚାଲିଛି। ୪ ବର୍ଷରେ ଯେତିକି କାମ ହୋଇଛି, ସେଥିରୁ ହାରାହାରି ଦିନକୁ ପଡ଼ୁଛି ଅଧାମିଟର। ଫଳରେ ପ୍ରଥମ ଧାର୍ଯ୍ୟ ସମୟ ତ ସରିଛି, ସଂଶୋଧିତ ତାରିଖ ସୁଦ୍ଧା ଯେ କାମ ସରିବ କି ନାହିଁ, ସେନେଇ ସନ୍ଦେହ ଉଙ୍କି ମାରିଲାଣି। ପ୍ରତିଦିନ ତାମୁଳିଆ ରେଳ ଗେଟ୍‌ ଦେଇ ୧୩୦ରୁ ଅଧିକ ଟ୍ରେନ୍‌ ଯାତାୟତ କରୁଛି। ପ୍ରତି ଟ୍ରେନ୍‌ ପାଇଁ ୧୦ରୁ ୧୫ ମିନିଟ୍‌ ଗେଟ୍‌ ବନ୍ଦ୍‌ ରହୁଛି। ଯାତ୍ରୀମାନେ ତ ହଇରାଣ ହେଉଛନ୍ତି, ଜରୁରି ସେବା ଆମ୍ବୁଲାନ୍ସ ବି ଭିଡ଼ ଭିତରେ ଫସି ରହୁଛି। ଏ ଅବ୍ୟବସ୍ଥାକୁ ନେଇ ସାରା ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ହେଲେ କାମ ଯେମିତି ଧିମା ଚାଲିଥିଲା, ସେମିତି। କିଛି ବି ପରିବର୍ତନ ହୋଇନି।

ଲକ୍ଷ୍ୟ ଥିଲା ୩ ବର୍ଷରେ ଶେଷ ହେବ ଏ କାମ। ଦୂର ହେବ ଟ୍ରାଫିକ୍‌ ସମସ୍ୟା। ଯାତାୟତର ସମସ୍ତ ସୁବିଧା ସୁଯୋଗ ପାଇବେ ବାଲେଶ୍ୱର ସହରବାସୀ। ତାମୁଳିଆ ରେଳ ଫାଟକରେ ଫ୍ଲାଏ ଓଭର ନିର୍ମାଣ ବେଳେ ଏମିତି କିଛି ସ୍ୱପ୍ନ ଦେଖା ଯାଇଥିଲା ସହରବାସୀଙ୍କୁ । ମାତ୍ର ଏ ସ୍ୱପ୍ନ ସାକାର ହେବାକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ହେବ, ତା’ର ଉତ୍ତର କାହା ପାଖରୁ ମିଳୁନି। ପଚାରିଲେ; ଧରାବନ୍ଧା ଉତ୍ତର ମିଳୁଛି, କାମ ଚାଲିଛି, ଖୁବଶୀଘ୍ର ସରିବ। ଇତି ମଧ୍ୟରେ ପ୍ରକଳ୍ପକୁ ୪ ବର୍ଷ ବିତିଲାଣି। ୨୦୧୩ରେ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ଦୁଇ ରାଜନୈତିକ ଦଳର ନେତା କାର୍ଯ୍ୟାରମ୍ଭ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ସେତେ ବେଳେ ୩୧ ଡିସେମ୍ବର ୨୦୧୬ରେ କାମ ଶେଷହେବ ବୋଲି ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। ମାତ୍ର ପ୍ରଥମରୁ ବିଳମ୍ବ ହେଲା ରେଳ ବିଭାଗର ଅନୁଦାନକୁ ନେଇ। ଅନୁଦାନ ମିଳିବାରେ ବିଳମ୍ବ ହେବାରୁ ଦୀର୍ଘଦିନ ଧରି ଅଟକି ରହିଲା ପ୍ରକଳ୍ପ କାମ। ପରେ ବିଭିନ୍ନ କାରଣରୁ ସମୟ ବଢିଲା ଓ ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି ପାଇଲା। ମାତ୍ର ୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବ୍ୟୟବରାଦ ଏବେ ୫୬ କୋଟିରେ ପହଞ୍ଚିଲାଣି। କାମ ସରିବା ବେଳକୁ ଏହା ଯେ ମୂଳ ବ୍ୟୟବରାଦର ଦୁଇଗୁଣ ଟପି ସାରିଥିବ, ସେନେଇ ଆଶଙ୍କା ପ୍ରକାଶ ପାଇଲାଣି।

ରେଳ ବିଭାଗରୁ ମିଳିଥିବା ତଥ୍ୟ କହୁଛି; ପ୍ରତିଦିନ ତାମୁଳିଆ ରେଳ ଫାଟକ ଦେଇ ୧୩୦ରୁ ଅଧିକ ଟ୍ରେନ୍‌ ଯାତାୟତ କରୁଛି। ପ୍ରତି ଟ୍ରେନ୍‌ ଗଲାବଳେ ୧୦ରୁ ୧୫ ମିନିଟ ଫାଟକ ପଡ଼ୁଛି। ଶହ ଶହ ଯାନବାହନ ଉଭୟ ପାର୍ଶ୍ୱରେ ଅଟକି ରହୁଛି। ଆମ୍ବୁଲାନ୍ସ ବି ଏଥିରୁ ବାଦ୍‌ ପଡୁନି। ୨୦୧୬ ମଇ ମାସର ଏକ ଗଣନାରୁ ଜଣାପଡିଛି, ଗୋଟିଏ ସପ୍ତାହରେ ତାମୁଳିଆ ଫାଟକ ନିଟକରେ ୨ ଲକ୍ଷ ୩୮ ହଜାର ୪୮୯ ଟି ଗାଡି ଅଟକି ରହିଥିଲା। ଅର୍ଥାତ୍‌ ହିସାବ କଲେ ଦିନକୁ ୩୪,୦୬୯ଟି ଗାଡ଼ି ଉଭୟ ପାର୍ଶ୍ୱରେ ଅଟକି ରହୁଥିଲା। ବଢୁଥିବା ଗାଡ଼ିସଂଖ୍ୟା ହିସାବରେ ଏବେ ସାପ୍ତାହିକ ୩ ଲକ୍ଷରୁ ଅଧିକ ଯାନବାହନ ଅଟକୁଥିବ। ତା’ଭିତରେ କେତେ ଆମ୍ବୁଲାନ୍ସ ଅଟକୁଛି, କେତେ ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି, ତା’ର ହିସାବ ନାହିଁ। ମାତ୍ର ୮୦୦ ମିଟରର ଫ୍ଲାଏଓଭର ନିର୍ମାଣ ପାଇଁ ୪ ବର୍ଷରୁ ଅଧିକ ସମୟ ଲାଗିଲାଣି। ଏବେ ପୂର୍ତ ବିଭାଗ କହୁଛି ପ୍ରକଳ୍ପ କାମ ୨୦୧୮ ଏପ୍ରିଲ ସୁଦ୍ଧା ସରିଯିବ। ହେଲେ କାମ ଯେଉଁ ଗତିରେ ଚାଲିଛି, ଏ ଧାର୍ଯ୍ୟ ତାରିଖ ଯେ ପୁଣି ବଦଳିବ, ତାହା ଜଳଜଳ ଦିଶୁଛି।

ଏତିକିରେ ସରିନି ସମସ୍ୟା। ଫ୍ଲାଇଓଭର ନିର୍ମାଣ କାମ ବେଳେ ସର୍ଭିସ୍‌ ରୋଡ ମରାମତି ପ୍ରତି ଧ୍ୟାନ ଦିଆଯାଉ ନାହିଁ। ସର୍ଭିସରୋଡ୍‌ ଅବସ୍ଥା ଏମିତି ଯେ ଗାଡ଼ିଗୁଡ଼ିକ ଟଳୁଛି, ଡେଉଁଛି। ଏନେଇ ସହରବାସୀ ବାରମ୍ବାର ଦାବିକରି ଆସୁଛନ୍ତି। ଯୋଜନାରେ ସର୍ଭିସ୍‌ ରୋଡ ମରାମତି ବାବଦ ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନ ପଚାରୁଛନ୍ତି। ହେଲେ ତା’ର ଉତ୍ତର ମିଳୁନି। ଆଶାଥିଲା ବର୍ଷାଦିନ ସରିବା ପରେ ଏ ରାସ୍ତାକୁ ମରାମତି କରାଯିବ। ହେଲେ ତା’ ବି ହେଲାନାହିଁ। ଖାଲ ଖମା ଭର୍ତ୍ତି ରାସ୍ତାରେ ପ୍ରବଳ ଧୂଳି ଉଡ଼ୁଛି। ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି। ବାଲେଶ୍ୱରବାସୀଙ୍କ ଦୁଃଖ; ଫ୍ଲାଏଓଭର ନିର୍ମାଣ ମନ୍ଥର କାହିଁକି, ଏ ପ୍ରଶ୍ନ ଉପର ମହଲରେ ଉଠୁନି। ସତେ ଯେମିତି ନିର୍ମାଣକାରୀ ସଂସ୍ଥାର ମନମୁଖୀ ଓ ବିଳମ୍ବିତ କାର୍ଯ୍ୟକୁ ଜାଣିଶୁଣି ନଜରଅନ୍ଦାଜ କରାଯାଉଛି। ଏହା ପଛର ରହସ୍ୟ କ’ଣ, ତା’ ମଧ୍ୟ ବୁଝିହେଉ ନାହିଁ। ପ୍ରଶାସନ ଓ ଜନପ୍ରତିନିଧି ଏହାକୁ ଗୁରୁତର ସହ ନେଇ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ପାଇଁ ଚାପ ସୃଷ୍ଟି କରିବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର