ତପସ୍ବିନୀ ଟ୍ରେନ୍ ପୋଡ଼ି ଘଟଣାର ଅଭିଯୁକ୍ତ ଗିରଫ : ରେଳ କର୍ମଚାରୀଙ୍କ ଉପରେ ରାଗ ରଖି ନିଆଁ ଲଗାଇଥିଲା

ପୁରୀ : ହୋଲି ଦିନ ପୁରୀ ରେଳ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସ୍‌କୁ ପୋଡ଼ି ଦେଇଥିବା ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଛି। ସେ ହେଲା ବ୍ରହ୍ମଗିରି ଥାନା ଖଜୁରିଆ ଉଆସାହିର ଅଶୋକ ପ୍ରଧାନ (୨୮)। ଜିଆରପି ହାତରେ ଧରାପଡ଼ିବା ପରେ ଅଶୋକ ବିସ୍ମୟକର ବୟାନ ଦେଇଛି। କହିଛି, ରେଳ କର୍ମଚାରୀଙ୍କ ଉପରେ ତା’ର ପୂର୍ବରୁ ରାଗ ଥିଲା। ରାଗ ଶୁଝାଇବାକୁ ଯାଇ ସେ ଟ୍ରେନ୍‌ରେ ନିଆଁ ଲଗାଇଥିଲା ବୋଲି ଆଜି ଜିଆର୍‌ପି ପୁଲିସ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ହୋଲି ଦିନ ତପସ୍ବିନୀରେ ନିଆଁ ଲାଗିବା ପରେ ଜିଆର୍‌ପି ଓ ଆର୍‌ପିଏଫ୍‌ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ତନାଘନା କରିଥିଲେ। ହଳଦିଆ ସାର୍ଟ ପିନ୍ଧି ଜଣେ ଯୁବକ ଚାରି ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏବଂ ପରେ ତପସ୍ବିନୀ ଟ୍ରେନ୍‌ରେ ପଶି ପ୍ଲାଟ୍‌ଫର୍ମର ଶେଷ ଆଡକୁ ବଗିରୁ ବାହାରି ଯାଉଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା। ଭିଡ଼ିଓ ଫୁଟେଜ୍‌ ଆଧାରରେ ଜିଆର୍‌ପି ପୁଲିସ ବ୍ରହ୍ମଗିରି ଥାନା ଖଜୁରିଆ ଉଆସାହିର ଅଶୋକ ପ୍ରଧାନ (୨୮)କୁ ତା’ ଘରୁ ଉଠାଇ ନେଇ ମାରାଥନ୍ ଜେରା କରିଥିଲା। ସିସିଟିଭି ଫୁଟେଜ୍‌କୁ ଦେଖାଇବା ପରେ ଅଭିଯୁକ୍ତ ଟ୍ରେନ୍‌ ପୋଡ଼ି ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିଛି। ଏହି ଘଟଣାରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ଅଧିକ ଅନୁସନ୍ଧାନ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଜିଆରପି ଥାନା ଏସ୍ଆଇ ସନ୍ତୋଷ ବାହିନୀପତି କହିଛନ୍ତି। ପୂର୍ବରୁ ଅନେକ ଚୋରି ମାମଲାରେ ଅଶୋକ ସମ୍ପୃକ୍ତ ରହିଥିବାରୁ ଜିଆର୍‌ପି ପୁଲିସ ଏବଂ ରେଳବାଇ କର୍ମଚାରୀମାନେ ତାକୁ ଷ୍ଟେସନ୍‌ ଭିତରକୁ ପ୍ରବେଶ କରାଇ ଦିଅନ୍ତି ନାହିଁ। ‌ଏହି ରାଗ ରଖି ହୋଲି ଦିନ ଅଶୋକ ଷ୍ଟେସନରେ ପଶି ତପସ୍ବିନୀ ଏକ୍ସପ୍ରେସ୍‌ରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଆରପିଏଫ୍‌ର ଓସି ଗଗନ ଦାଶ, ଜିଆର୍‌ପି ଏଏସ୍ଆଇ ସୁଦର୍ଶନ ପାଇକରାୟ ଉପସ୍ଥିତ ଥିଲେ। ପ୍ରକାଶଥାଉକି, ମାର୍ଚ୍ଚ ୨୨ ତାରିଖ ଦିନ ୧୨ଟା ୪୫ରେ ପୁରୀ ରେଳ ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ତପସ୍ବିନୀ ଏକ୍ସପ୍ରେସ୍‌ରେ ହଠାତ ନିଆଁ ଲାଗିଥିଲା। ଟ୍ରେନର ଏସ୍-୪ ନମ୍ବର ବଗିଟି ହୁତୁହୁତୁ ହୋଇ ଜଳିବା ପରେ ଏସ୍-୩ ଏବଂ ଏସ୍-୫ ନମ୍ବର ବଗିକୁ ନିଆଁ ବ୍ୟାପିଥିଲା। ବହୁ ପ୍ରୟାସ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଏସ୍-୪ ନମ୍ବର ବଗିଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇ ଯାଇଥିଲା ଏବଂ ପାଖରେ ଥିବା ଅନ୍ୟ ଦୁଇଟି ବଗି ଆଂଶିକ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର