ସ୍ୱଚ୍ଛ ସର୍ବେକ୍ଷଣରେ ପଛରେ ପଡ଼ିବା ପରେ ସ୍ୱଚ୍ଛ ଓଡ଼ିଶା ପାଇଁ ଟାର୍ଗେଟ

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶା ୨୨ତମ ସ୍ଥାନରେ ରହିବା ପରେ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତା ଚିନ୍ତା ଧରିଛି। କିପରି ସମସ୍ତ ସହରାଞ୍ଚଳରେ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ ହେବ, ଡମ୍ପିଂୟାର୍ଡରେ ଆବର୍ଜନା ନପଡ଼ି କମ୍ପୋଷ୍ଟ ପ୍ଲାଣ୍ଟକୁ ସିଧା ଯିବ, ପ୍ରତ୍ୟେକ ଘରୁ ପୃଥକ ପୃଥକ କରି ଆବର୍ଜନା ସଂଗ୍ରହ ହେବ, ସମସ୍ତ ରାସ୍ତା ଓ ଗଳିକନ୍ଦିରେ ସଫେଇ ହେବ ସେନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରସଂସ୍ଥାକୁ ଟାର୍ଗେଟ ଦିଆଯାଇଛି। ୨୦୨୦ରେ ଓଡ଼ିଶାର ସମସ୍ତ ସହରକୁ ସ୍ୱଚ୍ଛ ସହର କରିବାକୁ ନିଷ୍ପତ୍ତି ହୋଇଛି। କିପରି ସଫେଇ ବ୍ୟବସ୍ଥା ଠିକ୍‌ ଭାବେ ପରିଚାଳନା ହେବ ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ସଫେଇ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯିବ। ଏହିଭଳି ୩୨ଜଣଙ୍କୁ ନିଯୁକ୍ତି ଦିଆଯିବ। ଯେଉଁମାନେ ପୌରସଂସ୍ଥାର କମିସନର ଏବଂ ଏକଜିକ୍ୟୁଟିଭ୍‌ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ଆବଶ୍ୟକୀୟ ସହଯୋଗ କରିବେ।

ନିକଟରେ ନଗର ଉନ୍ନୟନ ବିଭାଗ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ସ୍ୱଚ୍ଛ ଓଡ଼ିଶାରେ ପ୍ରତିବନ୍ଧକ ସାଜୁଥିବା ସମସ୍ୟା ଏବଂ ଏହାର ସମାଧାନ ଉପରେ ଆଲୋଚନା ହୋଇଛି। ଏଥିରେ ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୫ଟି ମ୍ୟୁନିସପାଲଟି ଏବଂ ୬୪ଟି ଏନ୍‌ଏସିର ସଫେଇ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିଛି ଯେ, ରାଜ୍ୟର ୧୧୪ଟି ପୌରାଞ୍ଚଳରେ ୨୦୦୪ଟି ଓ୍ଵାର୍ଡ ଥିବାବେଳେ ଏଥିରୁ ୧୭୫୭ଟି ଓ୍ଵାର୍ଡରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏଥିରୁ ୧୫୦୬ଟି ଓ୍ଵାର୍ଡରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ହେଉଛି। କିନ୍ତୁ ଜୈବ ଓ ଅଜୈବ ଆବର୍ଜନା ପୃଥକୀକରଣ ହେଉନଥିବାରୁ ଆବର୍ଜନାର ପରିଚାଳନା ଠିକ୍‌ ଭାବେ ହୋଇପାରୁନି। ତେଣୁ ପ୍ରତ୍ୟେକ ପୌରସଂସ୍ଥାରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି କମ୍ପୋଷ୍ଟ ପ୍ଲାଣ୍ଟରେ ଦୈନିକ ୫ଟନ୍‌ ଜୈବ ଆବର୍ଜନା ବିଶୋଧନ ହେବାର ବ୍ୟବସ୍ଥା ରହିବ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେପରି ସମସ୍ତ ଅଞ୍ଚଳରେ ସଫେଇ ହେବ, ପ୍ରତ୍ୟେକ ଲୋକଙ୍କ ଘରୁ ଆବର୍ଜନା ପୃଥକୀକରଣ କରି ଆଦାୟ ହେବ, ଜୈବ ଆବର୍ଜନା ସିଧା କମ୍ପୋଷ୍ଟ ପ୍ଳାଣ୍ଟକୁ ଯିବ ଏବଂ ଅଜୈବ ଆବର୍ଜନା ପ୍ଲାଷ୍ଟିକ ବର୍ଜ୍ୟ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯିବ, ଆଉ ଡମ୍ପିଂୟାର୍ଡ ରହିବନି ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ ଡିସେମ୍ବର ୩୧, ୨୦୧୯ ଟାର୍ଗେଟ ଦିଆଯାଇଛି। ଏହି ସମୟ ସୁଦ୍ଧା ପ୍ରତ୍ୟେକ ଘରୁ ପୃଥକ ପୃଥକ ଭାବେ ଜୈବ ଓ ଅଜୈବ ଆବର୍ଜନା ସଂଗ୍ରହ ହେବ। ୨୦୨୦ ପୂର୍ବରୁ ସବୁ ସହରାଞ୍ଚଳକୁ ସ୍ୱଚ୍ଛ ସହର ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୧୭,୬୪୦ କିମି ରାସ୍ତା ଥିବାବେଳେ ସମସ୍ତ ରାସ୍ତାର ସଫେଇ ହୋଇପାରୁନି। ମାତ୍ର ୬୯% ରାସ୍ତାରେ ନିୟମିତ ସଫେଇ ହେଉଛି। ଏପରିକି ଅଧିକାଂଶ ରାସ୍ତାରେ ଆବର୍ଜନା ରାସ୍ତା କଡ଼ରେ ଗଦେଇ ହୋଇ ରହିଛି। ବିଭିନ୍ନ ବିଜ୍ଞପିତ ପରିଷଦ ଅଞ୍ଚଳରେ ରାସ୍ତାରେ ଡଷ୍ଟବିନ୍‌ ନଥିବାରୁ ଆବର୍ଜନା ରାସ୍ତା ଉପରେ ଗଦାଯାଉଛି। ସେହିପରି ପୌରସଂସ୍ଥାଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଅଗଷ୍ଟ ୩୧, ୨୦୧୯ ସୁଦ୍ଧା ଦୈନିକ ୫ଟନ୍‌ କ୍ଷମତା ବିଶିଷ୍ଟ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ କୁହାଯାଇଛି। ଏବେ ସୁଦ୍ଧା ୧୦୪ଟି ପୌରସଂସ୍ଥା କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାଇ ଲ’-୨୦୧୭ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ବାକି ୧୦ଟି ପୌରସଂସ୍ଥା ଖୁବ୍‌ ଶୀଘ୍ର ଏହାକୁ ପ୍ରକାଶ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର