ରାଜ୍ୟରେ ୫୪ ଲକ୍ଷ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

କେନ୍ଦ୍ରାଞ୍ଚଳ ଧାନସଂଗ୍ରହ ସମୀକ୍ଷା ବୈଠକ

ପୁରୀ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧୀନ ଜିଲ୍ଲାମାନଙ୍କରେ ଧାନ ସଂଗ୍ରହ ନେଇ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ ପୁରୀ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ୨୦୧୭-୧୮ ବର୍ଷରେ ରାଜ୍ୟରେ ୫୪ ଲକ୍ଷ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଅଦିନିଆ ବର୍ଷା ଓ ରୋଗପୋକଜନିତ ସମସ୍ୟା ଯୋଗୁଁ ଗତ ଖରିଫ୍‌ ଋତୁରେ ଧାର୍ଯ୍ୟଲକ୍ଷ୍ୟଠାରୁ କିଛି ପରିମାଣର ଧାନ କମିଥିବାବେଳେ ରବି ଫସଲ ଅମଳ ଓ ସଂଗ୍ରହ ଉପରେ ଗୁରୁତ୍ଵାରୋପ କରାଯାଇଛି। ଟାର୍ଗେଟ୍‌ ଛୁଇଁବା ପାଇଁ ଖରିଫ୍‌ରେ କମିଥିବା ଧାନକୁ ରବିରେ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି.ଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲେ। ସେହିପରି କେନ୍ଦ୍ରାଞ୍ଚଳ ଅଧୀନରେ ଆସୁଥିବା ପୁରୀ, ନୟାଗଡ଼, ଖୋର୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଜିଲ୍ଲାପାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ। ଗତ ୪ ତାରିଖରେ ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧୀନରେ ଥିବା ଜିଲ୍ଲାଗୁଡ଼ିକର ଧାନସଂଗ୍ରହ ଉପରେ ସମୀକ୍ଷା ବୈଠକ ସରିଥିଲାବେଳେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧୀନରେ ଆସୁଥିବା ଜିଲ୍ଲାମାନଙ୍କରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ୨୦୧୬-୧୭ ବର୍ଷରେ ଖରିଫ୍‌ ଓ ରବି ଋତୁରେ ୫୪ ଲକ୍ଷ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୧୭-୧୮ ବର୍ଷରେ ବି ଖରିଫ୍‌ ଓ ରବି ଋତୁରେ ୫୪ ଲକ୍ଷ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଗତ ଖରିଫ୍‌ ଋତୁରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଖାପାଖି ୪ ଲକ୍ଷ ଟନ୍‌ ଧାନ କମ୍‌ ସଂଗ୍ରହ ହୋଇଛି। ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଓ ପୋକଜନିତ ସମସ୍ୟା ଯୋଗୁଁ ଖରିଫ୍‌ରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟରେ ୪ଲକ୍ଷ ଟନ୍‌ ପାଖାପାଖି କମ୍‌ ରହିଛି। ରବିରେ ୧୦ ଲକ୍ଷ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏହା କିପରି ସୁବିଧାରେ ଚାଷୀଙ୍କଠାରୁ ସଂଗ୍ରହ କରାଯାଇ ପାରିବ ସେ ଉପରେ ଦୃଷ୍ଟି ଦେବାକୁ ଉପରୋକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତିମାନଙ୍କୁ ନିର୍ଦେଶ ଦିଆଯାଇଛି।

ଅନେକ କ୍ଷେତ୍ରରେ ଦେଖାଯାଉଛି, ଜଳସେଚନ ସୁବିଧା ନଥିବା ଅଞ୍ଚଳରେ ଚାଷୀମାନେ ଟ୍ୟୁବ୍‌ୱେଲ୍‌, କୂଅ ଅବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରି ଚାଷବାସ କରୁଛନ୍ତି। ପୂର୍ବରୁ ଏମାନଙ୍କୁ ରବି ଫସଲରେ ଅନ୍ତର୍ଭୁକ୍ତ କରାଯାଉନଥିଲା। କିନ୍ତୁ ଚାଷୀଙ୍କ ସୁବିଧାକୁ ନଜରରେ ରଖି ରାଜ୍ୟର ସମସ୍ତ ଜିଲ୍ଲାକୁ ରବି ଚାଷରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଚାଷୀମାନେ ବି ନିଜ ନାମ ପଞ୍ଜୀକରଣ କରି ସରକାରୀ ଦରରେ ଧାନ ବିକ୍ରୟ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଖରିଫ ଧାନ କ୍ରୟ ଏପ୍ରିଲ୍‌ ୩୦ ଭିତରେ ଆପାତତଃ ସରୁଥିବାବେଳେ ମେ ପହିଲାରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ରବି ଧାନ କ୍ରୟ ହେବ ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଆଗକୁ ଖରିଫ୍‌ ଋତୁ ଆସୁଥିବାରୁ ଚାଷୀମାନେ କିପରି ସୁବିଧାରେ ନାମ ପଞ୍ଜୀକରଣ କରିପାରିବେ ସେ ଉପରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏପ୍ରିଲ୍‌ ୨୫ ନାମ ପଞ୍ଜୀକରଣର ଶେଷ ତାରିଖ ରହିଥିବାବେଳେ ଏହା ଉପରେ ମାଇକ୍‌ ଦ୍ଵାରା ପ୍ରଚାରପ୍ରସାର ସହ ଅନ୍ୟ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଆଜିର ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ବୀରବିକ୍ରମ ଯାଦବ, ସମବାୟ ବିଭାଗ ଶାସନ ସଚିବ ରଞ୍ଜନା ଚୋପ୍ରା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର