କୋଲକାତାକୁ ସ୍ଥାନାନ୍ତର ହେବ ଟାଟାସ୍ପଞ୍ଜର ପଞ୍ଜୀକୃତ କାର୍ଯ୍ୟାଳୟ

ଟାଟା ବୋର୍ଡ ବୈଠକରେ ପ୍ରସ୍ତାବ ଗୃହୀତ

ଯୋଡ଼ା : ଯୋଡ଼ାରେ ଥିବା ଟାଟା ସ୍ପଞ୍ଜର ପଞ୍ଜୀକୃତ କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର କରାଯିବ। ଏ ସଂକ୍ରାନ୍ତରେ ଟାଟା ବୋର୍ଡ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବିଲେଇପଦାଠାରେ ୧୯୮୨ ରେ ଓଡିଶା ସରକାର ଓ ଟାଟାର ମିଳିତ ଉଦ୍ୟମରେ ଇପିଟାଟା ସ୍ପଞ୍ଜ ଆଇରନ କାରଖାନା ନିର୍ମାଣ କରାଯାଇଥିଲା। ଏହି କାରଖାନାରେ ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ଶ୍ରମିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରି ଆସୁଛନ୍ତି। ଜମି ଅଧିଗ୍ରହଣ ଓ କିଛି ବର୍ଷର ବ୍ୟବସାୟିକ ସଫଳତା ପରେ ଟାଟା ଓଡ଼ିଶା ସରକାରଙ୍କୁ ବାଦ୍‌ ଦେଇ ନିଜ ହାତରେ ମାଲିକାନା ରଖିଥିଲା। ୧୯୯୬ ସେପ୍ଟେମ୍ବର ୨୪ରୁ ଟାଟା ସ୍ପଞ୍ଜ ଆଇରନ ଲି. ନାମରେ କାରଖାନାର ଉତ୍ପାଦନ ବୃଦ୍ଧି ସାଙ୍ଗକୁ ବିଦ୍ୟୁତ୍‌ ଉତ୍ପାଦନ କରି ଲାଭବାନ ହୋଇଥିଲା। ଟାଟା ବୋର୍ଡ କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ଟାଟା ସ୍ପଞ୍ଜ କାରଖାନା ପୁଞ୍ଜି ବିନିଯୋଗ କରିବା ପାଇଁ ଗତ ଏପ୍ରିଲରେ ଝାଡ଼ଖଣ୍ତର ଜାମସେଦପୁରଠାରେ ଥିବା ଉସାମାଟିନ ଲି.ର ଇସ୍ପାତ କାରଖାନାକୁ କ୍ରୟ କରିଛି। ଏହି କାରଖାନା ବାର୍ଷିକ ଏକ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିପାରିବ। କାରଖାନା ସହ ଏକ କାର୍ଯ୍ୟକ୍ଷମ ଲୁହାପଥର ଖଣି, ଏକ କୋଇଲା ଖଣି ଓ ଆଉ ଏକ ପାୱାର ପ୍ଲାଣ୍ଟକୁ ପ୍ରାୟ ୩,୪୬୮.୬୩ କୋଟିରେ କ୍ରୟ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥିସହ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ୍‌ରୁ ନାମ ପରିବର୍ତ୍ତନ କରି ଟାଟା ଷ୍ଟିଲ ଲଙ୍ଗ‌୍ ପ୍ରଡକ୍ଟ ଲିମିଟେଡ ରଖିଛି। ଏହି ନାମ ପରିବର୍ତ୍ତନ କରିବା ସାଙ୍ଗକୁ ଯୋଡ଼ାରେ ରହିଥିବା ପଞ୍ଜିକୃତ କାର୍ଯ୍ୟାଳୟକୁ କୋଲକାତାକୁ ସ୍ଥାନାନ୍ତର କରିବା ପାଇଁ ଗତ ଏପ୍ରିଲ ୧୮ରେ କୋଲକାତାରେ ଟାଟା ସ୍ପଞ୍ଜ ବୋର୍ଡ ବୈଠକରେ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ଗତ ଜୁଲାଇ ୧୫ରେ ଅନୁଷ୍ଠିତ ଟାଟା ସ୍ପଞ୍ଜର ବାର୍ଷିକ ସାଧାରଣ ବୈଠକରେ ଅନୁମୋଦନ ଲାଭ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଅନୁମୋଦନ ସହ ଟାଟା ସ୍ପଞ୍ଜର ନାମ ପରିବର୍ତ୍ତନ ନେଇ କଂପାନି ବ୍ୟାପାର ମନ୍ତ୍ରଣାଳୟ ଓ ରେଜିଷ୍ଟ୍ରେସନ ଅଫିସ ସ୍ଥାନାନ୍ତର ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରୁ ଅନୁମତି ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଉସାମାଟିନ ଲିମିଟେଡକୁ ଟାଟା ସଂପୂର୍ଣ୍ଣ ଭାବେ ଅଧିଗ୍ରହଣ କରିବା ପରେ ଚଳିତ ମାସରେ ହିଁ ଯୋଡ଼ାରେ ଥିବା ପଞ୍ଜିକୃତ କାର୍ଯ୍ୟାଳୟକୁ କୋଲକାତାକୁ ଉଠାଇ ନେବ।

ଏ ନେଇ ଯୋଡ଼ା ପୌରପାଳିକା ପୂର୍ବତନ ନଗରପାଳ ରବୀନ୍ଦ୍ର କୁମାର ଦାସ କହିଛନ୍ତି ଯେ ଯଦି ଟାଟା ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ କୋଲକାତା ନିଏ ତାହାହେଲେ ସେ ସେଠାରୁ ଲୁହାପଥର ଆଣୁ। କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେଲେ ଓଡ଼ିଆ ଲୋକଙ୍କ ନିଯୁକ୍ତି ସାଙ୍ଗକୁ କମ୍ପାନି ପକ୍ଷରୁ କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ। କାର୍ଯ୍ୟାଳୟ ସ୍ଥାନାନ୍ତରକୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି। ଏ ନେଇ ଟାଟାସ୍ପଞ୍ଜର କର୍ପୋରେଟ ଯୋଗାଯୋଗ ବିଭାଗ ମୁଖ୍ୟ ଶୀତଳ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି ଯେ କମ୍ପାନିର ବାର୍ଷିକ ରିପୋର୍ଟରେ ଏନେଇ ବିସ୍ତୃତ ସୂଚନା ଦିଆଯାଇଛି, ଯାହାକୁ ଜନସାଧାରଣ ଜାଣି ପାରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର