ମାତୃଭାଷା ଓ ଇଂରାଜୀ ପରସ୍ପର ବିରୋଧୀ ନୁହେଁ: ମନୋଜ ଦାସ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଦ୍ୱିତୀୟ ଦିନ

0 21

ଭୁବନେଶ୍ୱର : ଇଂରେଜମାନଙ୍କ ଦ୍ୱାରା ଭାରତବର୍ଷ ୨ଶହ ବର୍ଷ ଶୋଷିତ ହୋଇଛି। ବ୍ରିଟିସ୍‌ମାନେ ଭାରତରୁ ଅନେକ କିଛ ନେଇ ଯାଇଛନ୍ତି। ମାତ୍ର ଆମେ ସେମାନଙ୍କଠାରୁ ଇଂରାଜୀ ଭାଷା ପାଇ ପାରିଛୁ। ମାତ୍ର ମାତୃଭାଷା ଓ ଇଂରାଜୀ ଭାଷା ପରସ୍ପରର ବିରୋଧୀ ନୁହେଁ। ଏଭଳି ବିଚାର କରିବା ଏକ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ଯଶସ୍ୱୀ ଲେଖକ ମନୋଜ ଦାସ।

ଆଜି ଟାଟା ଷ୍ଟିଲ ଓ ‘ସମ୍ବାଦ’ ସହଯୋଗରେ ହୋଟେଲ ଟ୍ରାଇଡେଣ୍ଟରେ ଚାଲିଥିବା ଲିଟେରାରି ମିଟ୍‌ର ଥିଲା ଦ୍ୱିତୀୟ ଦିନ। ଏହାର ପ୍ରଥମ ଅଧିବେଶନରେ ଶ୍ରୀ ଦାସ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଲେଖକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀଙ୍କ ସହିିତ ଭାବ ବିନିମୟ କରିଥିଲେ। ଭାଷା ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଲେ, ଇଂରାଜୀ ହେଉଛି ଏକ ଅନ୍ତର୍ଜାତୀୟ ଭାଷା। ଏହାକୁ ଆମେ ହେୟଜ୍ଞାନ କରିପାରିବା ନାହିଁ। ତେବେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାରେ କୌଣସି ଅସୁବିଧା ନାହିଁ। ଯେଉଁ ସମୟରେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ପାଇଁ ଦାବି ହୋଇଥିଲା, ସେ ସମୟରେ ମଧ୍ୟ ଏହାର ଯଥାର୍ଥତା ଥିଲା। ଓଡ଼ିଆ ଭାଷା ମରିଯିବ ବୋଲି ଯେଉଁ ଆଶଙ୍କା କରାଯାଉଛି ସେ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଲେ, ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଦାୟିତ୍ୱ ହେଉଛି ଜନସାଧାରଣଙ୍କର। ଓଡ଼ିଆ ଏକ ମାର୍ମିକ ଓ ଆତ୍ମାର ଭାଷା। କେବଳ ଭାବପ୍ରବଣ ହୋଇ ଓଡ଼ିଆ ଭାଷା ମରିବନି ବୋଲି କହିଦେଲେ ହେବ ନାହିଁ। ବିଭିନ୍ନ ଭାଷା ଶିଖିବା ପାଇଁ ଗୋଟିଏ ପିଲାର ଅମାପ ଶକ୍ତି ରହିଛି। ପିତାମାତା ଯଦି ନିଜ ଘରେ ବିଶୁଦ୍ଧ ଓଡ଼ିଆ ଭାଷାରେ ପିଲାଙ୍କ ସହ କଥାବାର୍ତା କରିବେ ନାହିଁ ତେବେ ଓଡ଼ିଆ ଭାଷା କିପରି ବଞ୍ଚିବ ବୋଲି ସେ ପ୍ରଶ୍ନ କରିଥିଲେ। ଏବେ ବି ଓଡ଼ିଆ ଭାଷାର ମୃତ୍ୟୁ ହୋଇଯିବା ନେଇ କୌଣସି ଲକ୍ଷଣ ଦେଖା ଦେଇନି, ତେବେ ଭବିଷ୍ୟତ ସଂପର୍କରେ କହି ହେବ ନାହିଁ ବୋଲି ସେ କହିଥିଲେ।

ରବୀନ୍ଦ୍ର ନାଥ ଟାଗୋରଙ୍କ ପରେ ଭାରତରେ ସାହିତ୍ୟ କୌଣସି ସାହିତ୍ୟିକ କାହିଁକି ନୋବେଲ ପୁରସ୍କାର ପାଇବାରେ ସଫଳ ହୋଇପାରୁ ନାହାନ୍ତି ବୋଲି ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ଏହା ଏକ ସ୍ଥୂଳ କାରଣ ହୋଇପାରେ, ମାତ୍ର ସୂକ୍ଷ୍ମ କାରଣ ନୁହେଁ। ପୁରସ୍କାର ପାଇବା ଦ୍ୱାରା କୌଣସି ସାହିତ୍ୟିକର ମୂଲ୍ୟାୟନ ହୁଏ ନାହିଁ। ଭାରତୀୟ ସାହିତ୍ୟରେ କୌଣସି ଦକ୍ଷ ଅନୁବାଦକ ସୃଷ୍ଟି ହୋଇପାରି ନାହାନ୍ତି। ଯାହାଫଳରେ ଭାରତୀୟ ସାହିତ୍ୟ ବିଶ୍ୱ ଦରବାରରେ ଯେଭଳି ଭାବେ ପହଞ୍ଚିବା କଥା ପହଞ୍ଚି ପାରିନାହିଁ। ଯାହାକି ଜଣେ ଭାରତୀୟ ସାହିତ୍ୟିକ ନୋବେଲ ପୁରସ୍କାର ନ ପାଇବାରେ ଅନ୍ୟ ଏକ କାରଣ ହୋଇପାରେ। ତେବେ ଜଣେ ବ୍ୟକ୍ତି ବିଖ୍ୟାତ ହୋଇଗଲେ ଯେ ତା’ର ଚେତନାର ବିକାଶ ହୋଇଛି ବୋଲି କୁହାଯାଇ ପାରିବ ନାହିଁ।

ଶ୍ରୀଅରବିନ୍ଦଙ୍କ ପ୍ରଭାବ ତାଙ୍କ ଲେଖା ଉପରେ ପଡ଼ିଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଆଶ୍ରମକୁ ଯିବା ପୂର୍ବରୁ ମୁଁ ଜଣେ ଲେଖକ ହୋଇ ସାରିଥିଲି। ତେବେ ଶ୍ରୀଅରବିନ୍ଦଙ୍କ ମାନବସମାଜ ପ୍ରତି ଏକ ଦୂରଦୃଷ୍ଟି ଥିଲା। ତେଣୁ ମୋର କିଛି ପୁସ୍ତକରେ ତାଙ୍କର ପ୍ରଭାବ ରହିଛି। ସ୍ଲୋଗାନ୍‌ କିମ୍ବା ନୀତିକଥା ଲେଖି ସାହିତ୍ୟ ରଚନା କରାଯାଇ ପାରିବ ନାହିଁ। ସାହିତ୍ୟ ଏକ ସୃଜନଶୀଳ ବିଷୟ। ସାହିତ୍ୟରେ ଆଲୋଡ଼ନ ନ ଥିଲେ ଏହା ଲୋକଙ୍କୁ ଆଲୋଡ଼ିତ କରିପାରିବ ନାହିଁ। ଜୀବନରେ ସବୁବେଳେ ପ୍ରେରଣାପ୍ରସ୍ତୁତ ଲେଖା ଲେଖିବାକୁ ଚେଷ୍ଟା କରିଛି।

ଶ୍ରୀ ଦାସ ଆହୁରି କହିଥିଲେ ଯେ ଜୀବନର ଆରମ୍ଭରୁ ମା’ଙ୍କ ସାହିତ୍ୟ ପ୍ରତି ଥିବା ରୁଚି ତାଙ୍କୁ ପୁସ୍ତକ ଆଡ଼କୁ ଟାଣି ନେଇଥିଲା। ବଙ୍ଗଳା ମହାଭାରତ, ଫକୀର ମୋହନ ସେନାପତି ଓ କୁନ୍ତଳାଦେବୀଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ବିଶେଷକରି ଫକୀର ମୋହନଙ୍କ ଦ୍ୱାରା ରଚିତ ପୁସ୍ତକୁ ସେ ବାରମ୍ବାର ପଢ଼ିଥିବା ଶ୍ରୀ ଦାସ କହିଥିଲେ।

ତାଙ୍କ ଲେଖା ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ମଣିଷକୁ ଖରାପ କିମ୍ବା ଭଲ ଏଭଳି ଦୁଇ ଭାଗରେ ବିଭକ୍ତ କରାଯାଇ ପାରିବ ନାହିଁ। ଜଣେ ଖରାପ ମଣିଷ ଭିତରେ ଅନେକ ଭଲ ଗୁଣ ରହିଥାଏ ଓ ଜଣେ ଭଲ ମଣିଷ ଭିତରେ ଖରାପ ଗୁଣ ଭରି ରହିଥାଏ। ଅନେକ ଅଦୃଶ୍ୟ ଶକ୍ତି ଜଣେ ମଣିଷକୁ ପ୍ରଭାବିତ କରିଥାଏ ବୋଲି ଅନେକେ ଏହାକୁ ଜାଣିପାରି ନ ଥାନ୍ତି। ସ୍ଥୂଳ ଜଗତରେ ଯାହା ଆମେ ଦେଖିବାକୁ ପାଉଛେ, ସୂକ୍ଷ୍ମ ଜଗତରେ ଏହାଠାରୁ ଅଧିକ ଉପାଦାନମାନ ରହିଛନ୍ତି। ସେମାନେ ମଧ୍ୟ ମଣିଷକୁ ପ୍ରଭାବିତ କରିଥାନ୍ତି। ମଣିଷ ଅନେକ ସମୟରେ ଅସହାୟ ହୋଇ ପଡ଼ିଥାଏ। ଜଣେ ସଚେତନ ନ ହେଲେ ଏହି ସମସ୍ୟାରୁ ମୁକ୍ତ ହୋଇପାରିବ ନାହିଁ।

ସେ ତାଙ୍କ ଆତ୍ମଜୀବନୀ କେବେ ଲେଖିବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ମୋର ଜୀବନ ଏତେ ଗୁରୁତ୍ୱପୂର୍ଣ୍ଣ ବୋଲି ହୃଦବୋଧ ହେଉନାହିଁ। ତେଣୁ ଆତ୍ମଜୀବନୀ ଲେଖିବାକୁ ଚେଷ୍ଟା କରିନି। ଭଗବାନଙ୍କ ଶକ୍ତି ଓ ପ୍ରେରଣା ଯୋଗୁଁ ଆଜି ପର୍ଯ୍ୟନ୍ତ ଲେଖି ଚାଲିଛି

ସମ୍ବନ୍ଧିତ ଖବର

Leave A Reply

Your email address will not be published.